Pratidin TV

Odisha's Digital News Platform

ନିଆଁ ଜାଳିପାରିଲାନି ସମ୍ପର୍କ , ସର୍ବସ୍ୱ ହରାଇବା ପରେ ଖଣ୍ଡିଏ ଶାଢୀରେ ଝିଅକୁ ବୋହୂ କରିନେଲେ ପୁଅଘର ଲୋକେ ..

1 min read

ନିଆଁ ସବୁ କିଛି ଜାଳିପୋଡି ଛାରଖାର କରିଦେଲା । ହେଲେ ଜାଳିପାରିଲାନି ଏହି ସମ୍ପର୍କର କୁ ଛିଣ୍ଡାଇ ପାରିଲାନି ସମ୍ପର୍କର ଡୋରିକୁ । ସାତ ଜନ୍ମକୁ ସାଥୀ ହେବା ପାଇଁ ଦେଇଥିବା ପ୍ରତିଶୃତି ଆଗରେ ହାର ମାନିଗଲା ଏ ସର୍ବଗିଳା ନିଆଁ । ଅନେକ ଫିଲ୍ମ ର ଦେଖିଥିବା କାହାଣୀ ଆଜି ସତ ହୋଇଗଲା । ନିଆଁର ଆଁରେ ସବୁ କିଛି ଜଲିଗଲା ପରେ ବି ନିଜର ଜୀବନ ସାଥୀର ହାତ ଛାଡିନାହାନ୍ତି , ବରଂ ସାତ ଜନ୍ମ ପାଇଁ ନିଜର କରିନେଇଛନ୍ତି । ଅଗ୍ନିକାଣ୍ଡରେ ସର୍ବସ୍ୱ ହରାଇବା ପରେ ବି ଝିଅ ଘର ଲୋକଙ୍କ ହାତ ଛାଡ଼ିନାହାନ୍ତି ପୁଅ ଘର ଲୋକେ । ରାତି ଅଧରେ ଆସି ସାହା ହେବା ସହ ନିର୍ଦ୍ଧାରିତ ତାରିଖରେ ବିବାହ ପାଇଁ ବି ପ୍ରତିଶ୍ରୁତି ଦେଇଥିଲେ । ଆଜି ସେହି ପ୍ରତିଶୃତିକୁ ପୁରଣ କରିଛନ୍ତି । ଖାଲି ହାତରେ ଶାଢୀ ଖଣ୍ଡିଏ ପିନ୍ଧାଇ ଝିଅକୁ ବୋହୂ କରିନେଇଛନ୍ତି ପୁଅ ଘର ଲୋକେ ।

ଲଗ୍ନ ପୂର୍ବରୁ ଜଳିଗଲା ଘର । ସମସ୍ତ ଜିନିଷ ଜଳି ପୋଡ଼ି ପାଉଁଶ ହୋଇଗଲା , ଘରର ଚିହ୍ନ ନାହିଁ । ସୁନା ଗହଣା ସାଙ୍ଗକୁ ନଗଦ ଟଙ୍କା ବି ଜଳିଯାଇଛି । ଦିନ କେଇଟାରେ ଝିଅର ବାହାଘର ହୋଇଥାନ୍ତା । ଲଗ୍ନ ପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ସରିଥିଲା । ଏଥିପାଇଁ ସୁନା ଗହଣା, ଶାଢ଼ୀ, ପିତ୍ତଳ କଂସା ବାସନ ମଧ୍ୟ କିଣା ସରିଥିଲା । କିନ୍ତୁ ଏ ସର୍ବଗିଳା ନିଆଁ କେଉଁଠିଥିଲା କେଜାଣି ହଠାତ ଘରକୁ ଜାଳି ପୋଡି ପାଉଁଶ କରିଦେଲା । ଆଉ ସେହି ନିଆଁରେ ପୋଡି ଯାଇଥିଲା କୁଆଁରୀ ମନରେ ସାଇତା ସବୁ ସ୍ୱପ୍ନ । ଟଙ୍କାଟେ ଟଙ୍କାଟେ କରି ଝିଅ ବାହଘର ପାଇଁ ସାଇତି ଥିବା ସବୁ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା । ଲାଗୁଥିଲା ଅଧା ରହିଯିବ ଝିଅ ବାହାଘର , ଆଉ ଝିଅ କେବେ ମୁଣ୍ଡରେ ପାଟ ଓଢଣୀ ଦେଇ କନିଆଁ ସାଜିବନି । ଝିଅ ସବୁଦିନ ପାଇଁ କୁଆଁରୀ ରହିଯିବ କିଏ ଏ ଦରପୋଡା ଘର ଦେଖି ଝିଅକୁ ବାହାହେବ । ଏମିତି ଅବସ୍ଥା ଦେଖି ନିଶ୍ଚୟ ବାହଘର ଭାଙ୍ଗିଦେବେ । ହେଲେ ସେହି ସମୟରେ ଏସବୁ କଥାକୁ ଭୁଲ୍ ପ୍ରମାଣ କରିଥିଲେ ପୁଅ ଘର ଲୋକେ । ବିପଦ ସମୟରେ ଦରଦୀ ବନ୍ଧୁ ସାଜି ଝିଅ ଘରକୁ ଦେଇଥିଲେ ଆଶ୍ୱସନା । ପୋଡା ପାଉଁଶ ତଳେ ଦେଖାଦେଇଥିଲା ନୂଚନ ସମ୍ଭବନା । ନିର୍ଦ୍ଧାରିତ ତାରିଖରେ ବିବାହ ପାଇଁ ପ୍ରତିଶୃତି ଦେଇଥିଲା ପୁଅ । ଆଉ ସେହି ନିର୍ଦ୍ଧାରିତ ତାରିଖରେ ହୋଇଛି ବାହାଘର । ଆଉ ସେହି ଦରପୋଡା ଘର ଭିତରୁ ଶୁଭୁଛି ଜୋଡି ମହୁରୀ , ଆଜି ସେହି ଘରର ଦାଣ୍ଡରେ ବାଜୁଛି ସାହାନାଇ ହେଉଛି ବାହାଘର ।

Advertisement

ସୂଚନାଯୋଗ୍ୟ, ଉତୁକୁଡା ଗାଁର ରବୀନ୍ଦ୍ର ରାଉତଙ୍କ ଝିଅ ହୀରାମଣିଙ୍କ ସହ ଚାନ୍ଦବାଲି ଏନ୍ ଏ ସି ୯ ନମ୍ବର ୱାର୍ଡର ଅକ୍ଷୟ ନାୟକଙ୍କ ପୁଅ ଦିଲ୍ଲୀପଙ୍କ ସହ ବିବାହ ସ୍ଥିର ହୋଇଥିଲା । ଫେବୃଆରୀ ୨୧ରେ ହୋଇଥାନ୍ତା ବାହାଘର ହେଲେ ଏହା ପୂର୍ବରୁ ବିଳମ୍ୱିତ ରାତିରେ ରବୀନ୍ଦ୍ର ରାଉତଙ୍କ ଘରେ ନିଆଁ ଲାଗି ତିନି ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି । ନିଆଁ ଲାଗିବା କାରଣରୁ ଘରେ ଥିବା ସମସ୍ତ ଘର କରଣା ସାମଗ୍ରୀ ସହ ଝିଅର ଲଗ୍ନ ପାଇଁ କିଣାଯାଇଥିବା ସୁନା ଅଳଙ୍କାର ସହ ନଗଦ ପଚାଶ ହଜାର ଟଙ୍କା ଜଳି ଯାଇଛି । ଏହା ସହ ଝିଅ ପାଇଁ କିଣାଯାଇଥିବା କଂସା ଓ ପିତଳ ଜିନିଷ ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଥଲା । ନିଆଁ ଲାଗିବା ପରେ ଘରୁ ବାହାଘର ସାମଗ୍ରୀ କଢିବା ସମ୍ଭବ ହୋଇପାରିଲାନାହିଁ । ଦମକଳ ଆସି ନିଆଁକୁ ଆୟତ୍ତ କରିବା ପୂର୍ବରୁ ସବୁ କିଛି ଜଳିପୋଡି ନଷ୍ଟ ହୋଇଯାଇଥିଲା । ଏବେ ପରିବାର ଝିଅର ବାହାଘରକୁ ନେଇ ଚିନ୍ତାରେ ଥିବା ବେଳେ ହାତ ଛାଡ଼ି ନାହାଁନ୍ତି ପୁଅ ଘର ଲୋକ । ରାତି ଅଧରେ ଆସି ସାହା ହେବା ସହ ନିର୍ଦ୍ଧାରିତ ତାରିଖରେ ବିବାହ ପାଇଁ ବି ପ୍ରତିଶ୍ରୁତି ଦେଇଥିଲେ । ଆଜି ବିପଦରେ ଦରଦୀ ବନ୍ଧୁ ଟିଏ ସାଜି ପ୍ରତିଶୃତି ପୁରଣ କରୁଛନ୍ତି ପୁଅ ଘର ଲୋକେ । ଯେଉଁ ଦରପୋଡା ଘରେ ମୁଣ୍ଡଟିକେ ଗୁଞ୍ଜିବା ଅସମ୍ଭବ ସେହି ଘରୁ ଆଜି ଝିଅର ସବାରୀ ଉଠୁଛି । ଗୋଟେ ପଟେ ନିଆଁରେ ସର୍ବସ୍ୱ ହରାଇବାର ଦୁଃଖଥିବା ବେଳେ ଅନ୍ୟ ପଟେ ପ୍ରକୃତ ବନ୍ଧୁ ତାଙ୍କ ପାଖରେ ଅଛନ୍ତି । ସତରେ ଘର ସିନା ଜଳିଗଲା ହେଲେ ହୃଦୟ ମିଶିଗଲା ।

Leave a Reply

Your email address will not be published. Required fields are marked *