Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ସତ , ଦୁର୍ଘଟଣା ବେଳେ ମୋବାଇଲ୍ ରେ କ୍ରିକେଟ ମ୍ୟାଚ ଦେଖୁଥିଲେ ଲୋକପାଇଲଟ୍ …

1 min read

୨୯ ଅକ୍ଟୋବର ୨୦୨୩ ଆନ୍ଧ୍ରରେ ହୋଇଥିଲା ଭୟଙ୍କର ଟ୍ରେନ ଦୁର୍ଘଟଣା । ଆଉ ଏହି ଦୁର୍ଘଟଣାରେ ଚାଲିଯାଇଥିଲା ୧୪ ଯାତ୍ରୀଙ୍କ ଜୀବନ । ଦୀର୍ଘ ୪ ମାସ ପରେ ଏହି ବଡ଼ ଧରଣର ରେଳ ଦୁର୍ଘଟଣା ପଛର କାରଣ ଏବେ ସାମ୍ନାକୁ ଆସିଛି । ଯେଉଁ ଦୁଇଟି ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟ ନିଜ ଫୋନରେ କ୍ରିକେଟ ମ୍ୟାଚ ଦେଖୁଥିଲେ । ଦୁହିଁଙ୍କର ଏଭଳି ଚରମ ଅବହେଳା ପାଇଁ ସେଦିନ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ଘଟିଯାଇଥିଲା ବୋଲି ଶନିବାର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି, ‘ନିକଟ ଅତୀତରେ ଆନ୍ଧ୍ରପ୍ରଦେଶରେ ଯେଉଁ ଦୁର୍ଘଟଣା ଘଟିଥିଲା ତାହାର କାରଣ ଥିଲା ଲୋକେ ପାଇଲଟ୍ ଓ କୋ- ପାଇଲଟ୍ ଙ୍କ ଅନ୍ୟମନସ୍କତା । ଟ୍ରେନ୍ ଚଳାଇବା ବେଳେ ଉଭୟ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ । ଅନ୍ୟମନସ୍କ ହୋଇଯିବା କାରଣରୁ ଏଭଳି ଦୁର୍ଘଟଣା ଘଟିଥିଲା’ । ଏଥିସହ ଭାରତୀୟ ରେଳ ବିଭାଗ ନୂଆ ସୁରକ୍ଷା ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଥିବା ସେ କହିଛନ୍ତି । ‘ଏବେ ଟ୍ରେନ୍ ରେ ଏଭଳି ବ୍ୟବସ୍ଥା କରାଯିବ ଯାହା ଦ୍ୱାରା ଲୋକ ପାଇଲଟ୍ ଓ ତାଙ୍କ ସହଯୋଗୀ ଟ୍ରେନ୍ ଚଳାଇବା ଉପରେ ଧ୍ୟାନ ଦେଉଛନ୍ତି କି ନାହିଁ ତାହା ଜଣାପଡିବ’ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ସୁରକ୍ଷା ଉପରେ ଧ୍ୟାନ ନିବେଶ କରିବୁ । ପ୍ରତି ଦୁର୍ଘଟଣାର ପ୍ରକୃତ କାରଣ ଖୋଜି ବାହାର କରୁଛୁ । ତା’ର ପୁନରାବୃତ୍ତି ନ ହେବାକୁ ବ୍ୟବସ୍ଥା କରୁଛୁ ।

ସୂଚନାଯୋଗ୍ୟଯେ ୨୦୨୩ ଅକ୍ଟୋବର ମାସ ୨୯ ତାରିଖରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଜିଲ୍ଲା ଅନ୍ତର୍ଗତ କଣ୍ଟକପଲ୍ଲୀ ଦେଇ ଯାଉଥିବା ହାଓଡ଼ା-ଚେନ୍ନାଇ ଟ୍ରେନ୍ ରେଳପଥରେ ସନ୍ଧ୍ୟା ୭ଟା ବେଳେ ରାୟଗଡ଼ା ପାସେଞ୍ଜର ଟ୍ରେନ୍ ବିଶାଖାପଟନମ୍ ପଲାସା ଟ୍ରେନ୍‌କୁ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୧୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣ ଯାତ୍ରୀ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *