ପୁଣି ଥରେ ଶେହବାଜ ଧରିଲେ ପାକିସ୍ତାନ ଶାସନର ଡୋର , ଦ୍ୱୀତିୟ ଥରେ ହେଲେ ପ୍ରଧାନମନ୍ତ୍ରୀ …
1 min readପୁଣି ଥରେ ପାକିସ୍ତାନରେ ସରକାର ଗଢିବେ ଶେହବାଜ ସରିଫ । ଦ୍ୱୀତିିୟ ଥର ପାଇଁ ଧରିଲେ ପାକିସ୍ତାନର ଶାସନର ଡୋର । ପାକିସ୍ତାନ ମୁସଲିମ୍ ଲିଗ୍ ର ବରିଷ୍ଠ ନେତା ଶେହବାଜ ସରିଫ୍ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ରବିବାର ନବ ନିର୍ବାଚିତ ସାଂସଦମାନଙ୍କ ଭୋଟିଂ ପରେ ସେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ଏହା ପୂର୍ବରୁ ଶନିବାର ଶେହବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ସଂସଦରେ ଅତି ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ଶେହବାଜ ଶରିଫ ରବିବାର ଦ୍ୱିତୀୟ ଥର ପାଇଁ ମେଣ୍ଟ ସରକାରର ନେତୃତ୍ୱ ନେବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ସୋମବାର ରାଷ୍ଟ୍ରପତି ଭବନ ଆୱାମ-ଇ-ସାଦ୍ରେର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ତାଙ୍କ ବିରୋଧରେ ଇମ୍ରାନ୍ ଖାନ୍ ଙ୍କ ଦଳ ପିଟିଆଇର ନେତା ଓମାର ଆୟୁବ୍ ଖାନ୍ ପ୍ରଧାନମନ୍ତ୍ରୀ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଚୟନ ପାଇଁ ରବିବାର ଭୋଟ୍ ହୋଇଥିଲା । ଶେହବାଜ ସରିଫ ମୋଟ ୨୦୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ପିଟିଆଇର ଓମାର ଆୟୁବ ଖାନ୍ ୯୨ ଖଣ୍ଡ ଭୋଟ୍ ପାଇଛନ୍ତି । ଏହାପରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶେହବାଜ ସରିଫଙ୍କ ନାମ ଘୋଷଣା କରାଯାଇଥିଲା । ନିକଟରେ ପାକିସ୍ତାନରେ ହୋଇଥିବା ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳିନଥିଲା । ଏହାପରେ ନୱାଜ ସରିଫଙ୍କ ଦଳ ପିଏମଏଲ-ଏନ ପିପିପି ଏବଂ ଏମକ୍ୟୁଏମ ସହ ମେଣ୍ଟ କରି ସରକାର ଗଠନ କରିବାକୁ ନିଷ୍ପତ୍ତି ନେଇଥିଲା ।