Pratidin TV

Odisha's Digital News Platform

ରାଜନୀତି କରିବେ କି ସୌରଭ ଗାଙ୍ଗୁଲି , ମମତା କୁ ଭେଟିବା ପରେ ଦାଦାକୁ ନେଇ ବଢ଼ିଲା ଚର୍ଚ୍ଚା..

ରାଜନୀତି କରିବେ ଦାଦା । କ୍ରିକେଟ ମଇଦାନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଏବେ ରାଜନୀତିରେ ଯାଦୁ ଦେଖାଇବେ ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ସେ ତୃଣମୁଳ କଂଗ୍ରେସ ତରଫରୁ ନିର୍ବାଚନ ଲଢି ପାରନ୍ତି । ତେବେ ବର୍ତ୍ତମାନ ସୌରଭ ଗାଙ୍ଗୁଲିଙ୍କ ନିର୍ବାଚନ ଲଢିବାକୁ ନେଇ ଚର୍ଚ୍ଚା ହେଉଛି । କାରଣ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଭେଟିବା ପରେ ଏପରି କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ତେବେ ଆଉ ମାତ୍ର କେଇଟା ଦିନ ପରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ ଆଉ ଏହା ପୂର୍ବରୁ ବୁଧବାର ମମତାଙ୍କୁ ଭେଟିଥିଲେ ଗାଙ୍ଗୁଲି । କିନ୍ତୁ ଉଭୟଙ୍କ ମଧ୍ୟରେ କେଉଁ ବିଷୟରେ ଆଲୋଚନା ହୋଇଛି ସେନେଇ ଗାଙ୍ଗୁଲି କିଛି ପ୍ରତିକ୍ରିୟା ରଖି ନାହାନ୍ତି । ସୂଚନାନୁସାରେ, ସୌରଭ ଗାଙ୍ଗୁଲି ତୃଣମୁଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ସହ ପ୍ରାୟ ଅଧ ଘଣ୍ଟା କଥା ହୋଇଥିଲେ ।

ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ମମତା ବାନାର୍ଜୀ ଏବଂ ସୌରଭ ଗାଙ୍ଗୁଲିଙ୍କ ମଧ୍ୟରେ ଏହି ସାକ୍ଷାତ ହୋଇଥିଲା । ତେବେ ସେ ରାଜନୀତିରେ ଯୋଗଦେବେ କି ନାହିଁ ସେନେଇ ସୌରଭ ଗାଙ୍ଗୁଲି ଏପର୍ଯ୍ୟନ୍ତ ସ୍ପଷ୍ଟିକରଣ ଦେଇନାହାନ୍ତି । ଗତବର୍ଷ ସେପ୍ଟମ୍ବରରେ ସୌରଭ ଗାଙ୍ଗୁଲି ନିବେଶକ ସମ୍ମିଳନୀ ପାଇଁ ମମତା ବାନାର୍ଜିଙ୍କ ସହ ସ୍ପେନ ଯାଇଥଲେ । ଏହାପରେ ସେ ରାଜନୀତିରେ ଏଣ୍ଟ୍ରି କରିବାର ଚର୍ଚ୍ଚା ହୋଇଥିଲା । କିନ୍ତୁ କ୍ରିକେଟର ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ଗାଙ୍ଗୁଲି କହିଥିଲେ ଯେ ମୁଁ ଜଣେ ସାଧାରଣ ବ୍ୟକ୍ତି, ଜଣେ ବିଧାୟକ କିମ୍ବା ସାଂସଦ ନୁହେଁ । ମୋର ରାଜନୀତିରେ କୌଣସି ସମ୍ପର୍କ ନାହିଁ । ଆମେ ଆପଣଙ୍କୁ କହିରଖୁଛୁ ଯେ ଗାଙ୍ଗୁଲି ଗତ ମାସରେ ବଙ୍ଗଳା ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଭେଟିଥିଲେ ।

ଦୁହିଁଙ୍କ ମଧ୍ୟରେ ଏହି ସାକ୍ଷାତ ସଲ୍ଟ ଲେକର୍ ଆପୋଲୋ ହସ୍ପିଟାଲରେ ହୋଇଥିଲା । ବାସ୍ତବରେ ସନ୍ଦେଶଖାଲି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରୁଥିବାବେଳେ ସୁକାନ୍ତ ମଜୁମଦାର ଆହତ ହୋଇଥିଲେ । ଏହାପରେ ସେ କୋଲକାତାର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ଠିକ୍ ସେହି ସମୟରେ ଗାଙ୍ଗୁଲିଙ୍କ ମାଆଙ୍କୁ ମଧ୍ୟ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ସେହି ହସ୍ପିଟାଲରେ ସୁକାନ୍ତ ମଜୁମଦାରଙ୍କୁ ଭେଟିଥିଲେ ଗାଙ୍ଗୁଲି । ସୁକାନ୍ତଙ୍କ ପରେ ଏବେ ଗାଙ୍ଗୁଲି ମମତାଙ୍କୁ ଭେଟିଛନ୍ତି ।

ଏହାପୂର୍ବରୁ ୨୦୨୨ ମସିହାରେ ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହା ଗାଙ୍ଗୁଲିଙ୍କ କୋଲକାତା ବାସଭବନରେ ପହଞ୍ଚିଥିଲେ , ସେତେବେଳେ କୁହାଯାଉଥିଲା ଯେ ଗାଙ୍ଗୁଲି ବର୍ତ୍ତମା ନ ବିଜେପିରେ ଯୋଗ ଦେଇପାରନ୍ତି, କିନ୍ତୁ ପୂର୍ବତନ କ୍ରିକେଟର ସେହି ଗୁଜବକୁ ମଧ୍ୟ ଅସ୍ୱୀକାର କରିଥିଲେ ।

Leave a Reply

Your email address will not be published. Required fields are marked *