Pratidin TV

Odisha's Digital News Platform

କେତେ ଶିକ୍ଷିତ ଆମ ନେତା , ଗୁମର ଖୋଲିଲା ADR ରିପୋର୍ଟ ..

1 min read

କେତେ ଧନୀ ଆମ ଜନ ପ୍ରତିନିଧି ? କାହାର ରହିଛି କେତେ ସମ୍ପତି ? କେଉଁ ନେତାର ଶିକ୍ଷାଗତ ଯୋଗ୍ୟତା କେତେ ? କାହା ମୁଣ୍ଡରେ ରହିଛି କେତେ ଋଣ ? ତାହାର ଗୁମର ଖୋଲିଛି ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମ- ADR ଓ ନ୍ୟାସନାଲ ଇଲେକ୍ସନ ୱାଚର ସଦ୍ୟତମ ରିପୋର୍ଟ । ତେବେ ରିପୋର୍ଟ ଅନୁଯାୟୀ ପଞ୍ଚମ ପାସ୍ କରିଛନ୍ତି ୨ ଜଣ ବିଧାୟକ । ଅଷ୍ଟମ ପାସ୍ କରିଛନ୍ତି ୬ ଜଣ ଅର୍ଥାତ ରାଜ୍ୟରେ ୮ ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଅଣ୍ଡରମାଟ୍ରିକ୍ । ଏଡିଆର ରିପୋର୍ଟ ରୁ ପ୍ରକାଶ ଯେ । ମୋଟ ୧୪୬ଜଣ ବିଧାୟକଙ୍କ ମଧ୍ୟରେ ୧୪ଜଣ ବିଧାୟକ ମାଟ୍ରିକ ଯାଏ ପଢିଛନ୍ତି । ୨୨ ଜଣ ଯୁକ୍ତ ଦୁଇ , ୩୨ ଜଣ ସ୍ନାତକଧାରୀ ଅଛନ୍ତି । ଉଚ୍ଚଶିକ୍ଷିତଙ୍କ ମଧ୍ୟରେ ୨୯ ଜଣ ସ୍ନାତକ (ବୃତ୍ତିଗତ ) ୩୫ ଜଣ ସ୍ନାତକୋତ୍ତର (ପିଜି ) ୪ଜଣ ପିଏଚଡି ଓ ୨ଜଣ ଡିପ୍ଲୋମା ଯୋଗ୍ୟତାଧାରୀ ବିଧାୟକ ଅଛନ୍ତି । ତେବେ ବିଜୁ ଜନତା ଦଲର ସବୁଠୁ ଅଧିକ ଶିକ୍ଷିତ ବିଧାୟକ ୧୧୧ ଜଣ ଶିକ୍ଷିତ ବିଧାୟକ ଅଛନ୍ତି । ସେହିଭଳି ବିଜେପିରେ ୨୨ , କଂଗ୍ରେସରେ ୮ , ସ୍ୱାଧୀନ ୪ , ଓ ସିପିଆଇ (ଏମ୍ ) ରେ ଜଣେ ଶିକ୍ଷିତ ବିଧାୟକ ଅଛନ୍ତି । ବୟସ ଅନୁସାରେ ୨୫ ରୁ ୩୦ ବର୍ଷ ମଧ୍ୟରେ ୬ , ୩୧-୪୦ ବର୍ଷ ମଧ୍ୟରେ ୧୪ , ୪୧-୫୦ ବର୍ଷ ମଧ୍ୟରେ ୫୬ , ୫୧-୬୦ ବର୍ଷ ମଧ୍ୟରେ ୪୧ , ୬୧-୭୦ ବର୍ଷ ମଧ୍ୟରେ ୨୧ ଓ ୭୧-୮୦ ବର୍ଷ ମଧ୍ୟରେ ୮ ଜଣ ବିଧାୟକ ଅଛନ୍ତି ।

ତେବେ ଏଡିଆର ରିପୋର୍ଟ ଅନୁସାରେ, ମାର୍ଚ୍ଚ ୧୫ ସୁଦ୍ଧା ଓଡ଼ିଶା ବିଧାନସଭାରେ ୧୪୬ ଜଣ ବିଧାୟକ ଅଛନ୍ତି । ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ରହିଛି । ୧୧୧ ବିଜେଡି, ୨୨ ବିଜେପି, ୮ କଂଗ୍ରେସ, ୪ ସ୍ୱାଧୀନ ଓ ୧ ସିପିଏମ ବିଧାୟକ ଅଛନ୍ତି । ଦେଶ ତଥା ରାଜ୍ୟରେ ରାଜନୈତିକ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ । କିନ୍ତୁ ଦଳର ବିଧାୟକମାନେ ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି । ଦଳର ୭୫% ବିଧାୟକ କୋଟିପତି । ରାଜ୍ୟ ବିଧାୟକମାନଙ୍କ ହାରାହାରି ସମ୍ପତ୍ତି ୪.୦୧ କୋଟି ଟଙ୍କା ରହିଛି । ବିଜେଡି ବିଧାୟକମାନଙ୍କ ହାରାହାରି ମୁଣ୍ଡପିଛା ସମ୍ପତ୍ତି ୪.୩୧ କୋଟି, କଂଗ୍ରେସର ୪.୧୩ କୋଟି ଓ ବିଜେପିର ୧.୦୫ କୋଟି ରହିଛି । ବିଜେଡିର ୭୭ ଜଣ, କଂଗ୍ରେସର ୬ ଜଣ, ବିଜେପିର ୯ ଜଣ ବିଧାୟକ ହେଉଛନ୍ତି କୋଟିପତି । ଯଦି ଅନୁପାତିକ ହିସାବରେ ଦେଖାଯାଏ, ତା’ହେଲେ କୋଟିପତି ବିଧାୟକଙ୍କ ପରିମାଣ କଂଗ୍ରେସରେ ଅଧିକ ।

Advertisement

ଶୀର୍ଷ ୧୦ ଧନୀ ବିଧାୟକ ତାଲିକାରେ ବିଜେଡିର ୭ ଜଣ, କଂଗ୍ରେସର ୨ ଜଣ ଓ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ତେବେ ପ୍ରଥମ ହିଞ୍ଜିଳି ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଠାରୁ ଧନୀ ବିଧାୟକ । ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୪ କୋଟି ଟଙ୍କା । ନବୀନଙ୍କ ପଛକୁ ବିଧାୟିକା ଦୀପାଳି ଦାସ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୪୦.୧୭ କୋଟି ଟଙ୍କା । ପାଟଣାଗଡ଼ ବିଧାୟକ ସରୋଜ ମେହେର ୩୧.୪୩ କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ଅଛନ୍ତି । ସ୍ୱାଧୀନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ୩୦.୨୯ କୋଟି ଓ ବିଜେଡି ବିଧାୟକ ସଞ୍ଜିବ ମଲ୍ଲିକ ୧୯.୧୫ କୋଟି ଟଙ୍କାର ସମ୍ପତ୍ତି ରହିଛି । କଂଗ୍ରେସର ମହମ୍ମଦ ମୋକିମଙ୍କର ୧୭.୯୭ କୋଟି, ସୁରେଶ ରାଉତରାୟ ୧୭.୪୩ କୋଟି, ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟଙ୍କର ୧୭.୨୪ କୋଟି, ସୁଧୀର ସାମଲଙ୍କର ୧୪.୦୩ କୋଟି ଓ ସୁଶାନ୍ତ କୁମାର ରାଉତଙ୍କର ୧୩.୭୬ କୋଟି ଟଙ୍କାର ସମ୍ପତ୍ତି ରହିଛି ।

ତେବେ ୧୪୬ ଜଣ ବିଧାୟକଙ୍କ ମଧ୍ୟରେ ୪୭ ବିଧାୟକଙ୍କ ନାଁରେ ରହିଛି ଅପରାଧୀକ ମାମଲା । ସଙ୍ଗୀନ ଅପରାଧ ଥିବା ଏହି ମୋଟ ୪୭ଜଣ ବିଧାୟକମାନଙ୍କ ମଧ୍ୟରେ ୩୧ଜଣ ବିଜେଡିର, ୯ଜଣ ଭାଜପାର ଓ ୪ଜଣ କଂଗ୍ରେସ ବିଧାୟକ, ୨ଜଣ ସ୍ୱାଧୀନ ଓ ଜଣେ ସିପିଏମ ବିଧାୟକ ଅଛନ୍ତି । ଏହି ସଙ୍ଗୀନ ଅପରାଧ ଭିତରେ ୨ଜଣଙ୍କ ନାଁରେ ହତ୍ୟା ମାମଲା, ୧୧ଜଣଙ୍କ ନାଁରେ ହତ୍ୟା ଉଦ୍ୟମ, ୧୨ଜଣଙ୍କ ନାଁରେ ମହିଳା ହିଂସା ମାମଲା ରହିଛି ।

ଅନ୍ୟପକ୍ଷରେ ବିଧାୟିକା ଦୀପାଳି ଦାସଙ୍କ ମୁଣ୍ଡରେ ସର୍ବାଧିକ ୧୯.୮୯କୋଟି ଟଙ୍କା ଋଣବୋଝ ଥିବାବେଳେ ସଞ୍ଜିବ ମଲ୍ଲିକଙ୍କ ମୁଣ୍ଡରେ ୭.୭୪କୋଟି ଟଙ୍କା, ବିକ୍ରମ କୁମାର ପଣ୍ଡାଙ୍କର ୪.୬୫ କୋଟି ଟଙ୍କା, ସୁଶାନ୍ତ କୁମାର ରାଉତଙ୍କର ୪.୨୪କୋଟି ଟଙ୍କା, ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ୩.୪୮କୋଟି ଟଙ୍କା, ବିଷ୍ଣୁବ୍ରତ ରାଉତରାୟ ୨.୨୯କୋଟି ଟଙ୍କା, ସୁଧୀର କୁମାର ସାମଲଙ୍କ ୨.୨୧କୋଟି ଟଙ୍କା, ରୋହିତ ପୂଜାରୀଙ୍କ ମୁଣ୍ଡରେ ୨.୧୭କୋଟି ଟଙ୍କା, ପ୍ରଣବ ବଳବନ୍ତରାୟଙ୍କ ମୁଣ୍ଡରେ ୧.୬୭କୋଟି ଟଙ୍କା ଋଣ ରହିଛି । ତେବେ ବିଜେପି ବିଧାୟକ ମୋହନ ମାଝୀଙ୍କର ୧.୦୩କୋଟି ଟଙ୍କା ସମ୍ପତ୍ତି ଥିବାବେଳେ ତାଙ୍କ ମୁଣ୍ଡରେ ୧.୪୧କୋଟି ଟଙ୍କାର ଋଣବୋଝ ରହିଛି ।

Leave a Reply

Your email address will not be published. Required fields are marked *