ବିମାନରେ ଝୁଲି ଝୁଲି ଗାଁ ପରିକ୍ରମା କରୁଛନ୍ତି ରାଧା ଗୋବିନ୍ଦ
1 min readଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରା ପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛ ପତ୍ର ସହିତ ପଳାସ ଓ ଶିମିଳିଫୁଲର ନାଲି ଓଢଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ। ପ୍ରକୃତିକୁ ସ୍ବାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା ଓ ହୋଲି। ବିମାନରେ ବସିଛନ୍ତି ଶ୍ରୀ ରାଧା, ଶ୍ରୀ କୃଷ୍ଣ | ଘରକୁ ଘର ବୁଲୁଛନ୍ତି ଠାକୁର | ଭକ୍ତଙ୍କ ହାତକୁ ଭୋଗ ଖାଇ ଗାଁ ଓ ସାହି ପରିକ୍ରମା କରୁଛନ୍ତି ଯୁଗଳ କିଶୋର। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ତାଳଦା ପଞ୍ଚାୟତ ରିଶୋଲ ଅଞ୍ଚଳ ଦୋଳ ବିମାନ ଗାଁ ଗାଁ ବୁଲିବା ସହ ଦେବୀ ନଦୀ ପାର ହୋଇ ନଈଗୁଆଁ, ଖଣ୍ଡାସାହି ଗ୍ରାମରେ ପରିକ୍ରମା କରୁଛନ୍ତି। କିଏ ଫଗୁ ରଙ୍ଗରେ ରଙ୍ଗୀନ ହୋଇଛି, ତ ଆଉ କିଏ ପ୍ରସାଦ ବାଣ୍ଟି ପୁଣ୍ୟ ଅର୍ଜନ କରୁଛି। ଗାଁ ଗାଁରେ ସମସ୍ତେ ଶ୍ରୀରାଧା, ଶ୍ରୀକୃଷ୍ଣଙ୍କ ଭକ୍ତି ରସରେ ବୁଡି ଯାଇଛନ୍ତି।
ପରମ୍ପରା ମୁତାବକ ଭୋଗପରେ ବିମାନରେ ବସୀ ଭକ୍ତକୁ ଦର୍ଶନ ଦେଉଛନ୍ତି ଠାକୁର | ବର୍ଷକ ପରେ ମନ୍ଦିରରୁ ବାହାରପ୍ରାଙ୍ଗଣ କୁ ବାହାରି ଭକ୍ତଙ୍କ ପାଖକୁ ଆସିଛନ୍ତି ଠାକୁର। ଆଉ ଏହି ମହାମିଳନ ପର୍ବରେ ଭକ୍ତ ଆଉ ଭଗବାନ ଏକାକାର ହୋଇଯାଇଛନ୍ତି।
ଦୋଳ ପାଇଁ ଅସ୍ତରଙ୍ଗ ଉପକଣ୍ଠ ଚଳଚଞ୍ଚଳ ହୋଇ ଉଠିଛି। ଭାଇଚାରା ବାର୍ତ୍ତା ନେଇ ଗୋଷ୍ଟି ଗୋଷ୍ଟି ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ପର୍ବ ଗ୍ରାମର ପିଲା ଠାରୁ ବୁଢା ଯାଏଁ ସଭିଁଙ୍କ ମନରେ ଭରି ଦେଇଛି ଆନନ୍ଦ ଉଲ୍ଲାସ। ପ୍ରତି ଗାଁରେ ଜମାଣ ଠାରୁ ହରୀହର ଭେଟ ପର୍ଯ୍ୟନ୍ତ ୩ ଦିନ ଧରି ଗାଁ ମାନଙ୍କ ରେ ଉତ୍ସବ ପରିବେଶ ଲାଗି ରହିଥାଏ |