Pratidin TV

Odisha's Digital News Platform

ଇଏ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ଭୋଟର ..

1 min read

ଭାରତର ପ୍ରଥମ ନାଗରିକ କହିଲେ , ଆମେ ମହାମହିମ ରାଷ୍ଟ୍ରପତି ଙ୍କୁ ହିଁ ବୁଝୁ । ହେଲେ ସ୍ୱାଧୀନ ଭାରତର ପ୍ରଥମ ମତଦାତା ହେଉଛନ୍ତି ଶ୍ୟାମ ଶରଣ ନେଗି । ଭାରତୀୟ ନିର୍ବାଚନ କମିସନ୍ ବ୍ୟାପକ ଅନୁସନ୍ଧାନ ପରେ ଆନୁଷ୍ଠାନିକ ଭାବରେ ଏଭଳି ମାନ୍ୟତା ଦେଇଛନ୍ତି ହିମାଚଳ ପ୍ରଦେଶର ଶ୍ୟାମ ଶରଣ ନେଗିଙ୍କୁ । କିନ୍ନୌର ଜିଲ୍ଲାର କଳ୍ପା ଗ୍ରାମର ମତଦାତା ଶ୍ରୀ ନେଗି ବୃତ୍ତିରେ ଜଣେ ଶିକ୍ଷକ । ସମସ୍ତେ ତାଙ୍କୁ ଶ୍ୟାମମାଷ୍ଟ୍ରେ ଭାବେ ଜାଣନ୍ତି । ୨୦୧୦ ମସିହାରେ ଭାରତୀୟ ନିର୍ବାଚନ କମିସନର ହୀରକ ଜୟନ୍ତୀ ବର୍ଷ ପାଳନ ଅବସରରେ ତତ୍କାଳୀନ ମୁଖ୍ୟ ନିର୍ବାଚନ କମିସନର ନବୀନ ଚାୱଲା ଶ୍ୟାମମାଷ୍ଟ୍ରେଙ୍କ ଘରକୁ ଆସି ତାଙ୍କୁ ସ୍ୱାଧୀନ ଭାରତର ପ୍ରଥମ ମତଦାତା ହିସାବରେ ସମ୍ମାନିତ କରିଥିଲେ । ୨୦୧୪ ମସିହାରେ ତାଙ୍କୁ ନିର୍ବାଚନ କମିସନ୍ ତରଫରୁ ମତଦାନ ସତେଚନତା କାର୍ଯ୍ୟକ୍ରମର ବ୍ରାଣ୍ଡ୍ ଆମ୍ବାସଡର୍ ଭାବେ ମଧ୍ୟ ନାମିତ କରାଯାଇଥିଲା । ଘଟଣାଟି ଏହିପରି ।

ସ୍ୱାଧୀନ ଭାରତର ସମ୍ବିଧାନ ୧୯୫୦ ଜାନୁଆରି ୨୬ରେ ଲାଗୁହେବା ପରେ ଦେଶର ସମସ୍ତ ସାବାଳକ ନାଗରିକଙ୍କୁ ଭୋଟ୍‌ଦାନ ଅଧିକାର ମିଳିଲା । ମତଦାତା ସୂଚୀ ଓ ଅନ୍ୟାନ୍ୟ ବିଧିବ୍ୟବସ୍ଥା ପ୍ରସ୍ତୁତ ହେବାପରେ ସ୍ୱାଧୀନ ଭାରତର ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ୧୯୫୨ ଜାନୁଆରି-ଫେବ୍ରୁଆରିରେ ପ୍ରଥମ ସାଧାରଣ ନିର୍ବାଚନ ହେବାର ସ୍ଥିର ହେଲା । ମାତ୍ର ସେ ସମୟରେ ପ୍ରଚଣ୍ଡ ଶୀତ ଓ ତୁଷାରପାତ କାରଣରୁ ହିମାଳୟର ବରଫାବୃତ ଅଞ୍ଚଳଗୁଡ଼ିକରେ ନିର୍ବାଚନ କରାଇବା ସମ୍ଭବ ନ ଥିଲା । ଏଣୁ ଏହିସବୁ ଅଞ୍ଚଳ ପାଇଁ ମତଦାନ ତାରିଖକୁ ପ୍ରାୟ ୪ ମାସ ଆଗେଇ ଦେଇ ୧୯୫୧ ଅକ୍‌ଟୋବର ମାସରେ କରିବା ପାଇଁ ନିଷ୍ପତ୍ତି ହେଲା । ସେହି ହିସାବରେ ହିମାଚଳ ପ୍ରଦେଶର କିନ୍ନୌର ଅଞ୍ଚଳରେ ସର୍ବପ୍ରଥମ ନିର୍ବାଚନ ହୋଇଥିଲା ୧୯୫୧ ମସିହା ଅକ୍ଟୋବର ମାସ ୨୫ ତାରିଖରେ । କଳ୍ପା ଗ୍ରାମର ଶ୍ୟାମ ଶରଣ ନେଗି (ଜନ୍ମ ୧୯୧୭)ଙ୍କୁ ସେତେବେଳେ ମାତ୍ର ୩୪ ବର୍ଷ ବୟସ । ସେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ହୋଇଥିବାରୁ ତାଙ୍କର ନିର୍ବାଚନ ପରିଚାଳନା ଡ୍ୟୁଟି ପଡ଼ିଥାଏ ।

Advertisement

ଶ୍ୟାମମାଷ୍ଟ୍ରେ ମନେପକାଇ କହନ୍ତି ଯେ, ତାଙ୍କ ଟିମ୍‌କୁ ୧୦ ଦିନ ଧରି ହିମାଚଳର ବିଭିନ୍ନ ପାର୍ବତ୍ୟ ଅଞ୍ଚଳକୁ ଯାଇ ମତଦାନ କରାଇବାର ଥାଏ । ଭୋଟ୍‌ଦାନର ପ୍ରଥମ ଦିନ ସେ ସକାଳୁ ସକାଳୁ ସର୍ବପ୍ରଥମ ଭୋଟ୍‌ଟି ଦେଇଥିଲେ ସୋନଥଙ୍ଗ୍ ମତଦାନ କେନ୍ଦ୍ରରେ । ଆଉ ସେହିଦିନ ଠାରୁ ଶ୍ୟାମ ଶରଣ ନେଗି ଅଞ୍ଚଳରେ ଲୋକସଭା, ବିଧାନସଭା ବା ପଞ୍ଚାୟତ ଆଦି ଯେତେ ବି ନିର୍ବାଚନ ହୋଇଛି, ସବୁଥର ମତଦାନ କରିଛନ୍ତି । ନିର୍ବାଚନ କମିସନ୍ ତାଙ୍କୁ ବ୍ରାଣ୍ଡ୍ ଆମ୍ବାସର୍ଡ ରୂପେ ନିଯୁକ୍ତ କରିବା ପରେ ସେ ଅନେକ ସଚେତନତା ଭିଡିଓରେ ଅଭିନୟ ଓ କଣ୍ଠଦାନ କରିଛନ୍ତି । ତାଙ୍କୁ ନେଇ ଗୁଗୁଲ୍ ଦ୍ୱାରା ‘ପ୍ଲେଜ୍ ଟୁ ଭୋଟ୍‌’ ନାମରେ ନିର୍ମିତ ଏକ ଭିଡିଓ ସିରିଜ୍ ଏବେ ବି ୟୁ-ଟ୍ୟୁବ୍‌ରେ ଉପଲବ୍ଧ । ଏ ଏକ ବିରଳ ଗୌରବ । ଅତ୍ୟନ୍ତ ସରଳ ଗାଉଁଲି ଜୀବନ ଜିଇଁଥିବା ଶ୍ୟାମମାଷ୍ଟ୍ରେ ହୁଏତ କଳ୍ପନା ବି କରି ନ ଥିବେ ଯେ ପରିଣତ ବୟସରେ ତାଙ୍କୁ ଏଭଳି ଏକ ବିରଳ ମାନ୍ୟତା ମିଳିବ ବୋଲି ।

୨୦୧୭ ହିମାଚଳ ବିଧାନସଭା ନିର୍ବାଚନ ଅବସରରେ ପ୍ରସ୍ତୁତ ଏକ ଭିଡ଼ିଓ ସାକ୍ଷାତ୍‌କାରରେ ସେ କହିଥିଲେ, ‘‘୧୦୦ ବର୍ଷ ବୟସରେ ଏଥର ଭୋଟ୍ ଦେଲି । ଏବେ କେଉଁ ମୁହୂର୍ତ୍ତରେ ଆରପାରିରୁ ଡାକରା ଆସିପାରେ । ହେଲେ ମୋର ଇଚ୍ଛା, ଆଉ ଥରେ ଭୋଟ୍ ଦେଇସାରି ଯାଆନ୍ତି ।’’ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କର ଏଇ ଇଚ୍ଛାଟି ମଧ୍ୟ ପୂରଣ ହୋଇଥିଲା । ପ୍ରାକୃତିକ ପରିବେଶରେ ନିରଳସ ଜୀବନ ଜିଇଁଥିବା ଶ୍ୟାମମାଷ୍ଟ୍ରେ ବଞ୍ଚିଥିଲେ ୨୦୨୨ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ । ମୃତ୍ୟୁର ଠିକ୍ ତିନିଦିନ ପୂର୍ବରୁ ନଭେମ୍ବର ୨ ତାରିଖରେ ପାଖାପାଖି ୧୦୬ ବର୍ଷ ବୟସରେ ସେ ଶେଷଥର ପାଇଁ ହିମାଚଳ ପ୍ରଦେଶର ବିଧାନସଭା ନିର୍ବାଚନରେ ମତଦାନ କରିଥିଲେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ । ସେଦିନ କିନ୍ନୌର ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଆସିଥିଲେ ତାଙ୍କ ଘରକୁ ଏବଂ ରେଡ୍ କାର୍ପେଟ୍ ଅଭ୍ୟର୍ଥନା ମଧ୍ୟରେ ସ୍ୱାଧୀନ ଭାରତର ପ୍ରଥମ ମତଦାତା ଶ୍ୟାମମାଷ୍ଟ୍ରେ ତାଙ୍କ ଜୀବନର ଶେଷ ମତଦାନ କରିଥିଲେ । ତାଙ୍କ ମୃତ୍ୟୁ ପରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମେତ ପ୍ରାୟ ସମସ୍ତ ରାଜନୈତିକ ଦଳର ତୁଙ୍ଗ ନେତୃବୃନ୍ଦ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave a Reply

Your email address will not be published. Required fields are marked *