Pratidin TV

Odisha's Digital News Platform

ଗାଡ଼ିରେ କଳା କାଚ ଲଗାଇଛନ୍ତି କି ? ଗଣିବେ ଫାଇନ୍ !

1 min read

ପାଖେଇ ଆସୁଛି ସାଧାରଣ ନିର୍ବାଚନ । ପୋଲିସକୁ ଘାରିଛି କଳା କାଚ କାରବାର ଚିନ୍ତା । ଗାଡ଼ିରେ କଳା କାଚ ବ୍ୟବହାର କରୁଥିଲେ ହୋଇଯାନ୍ତୁ ସତର୍କ । କାରଣ କଳା କାଚ ଥିବା କାର ଉପରେ ଏବେ ପଡ଼ିଛି ପୋଲିସର ନଜର । ନିର୍ବାଚନକୁ ଆଖି ଆଗରେ ରଖି ଟ୍ୱିନିସିଟିରେ କଳା କାଚ କାର ବ୍ୟବହାରକାରୀଙ୍କୁ ଧରପଗଡ଼ ଜୋରଦାର ହେବ । ନିର୍ବାଚନକୁ ଆଖି ଆଗରେ ରଖି ଜିରୋ ଟଲେରାନ୍ସ ପଲିସି ଆପଣାଇଛି କମିଶନରେଟ ପୋଲିସ । ଏନେଇ ସହରରେ ଅବାଧ ଓ ଶାନ୍ତି ଶୃଙ୍ଖଳା ନିର୍ବାଚନ ପାଇଁ ପୋଲିସ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛି । ସହରରେ ଏବେଠୁ ବ୍ଲକିଂ, ଚେକିଂ ଓ ଫୋର୍ସ ମୋବିଲାଇଜେସନ ହୋଇଛି । ଏନେଇ କଳା କାଚ ବ୍ୟବହାର କରୁଥିବା ଲୋକଙ୍କୁ ସାବାଡ଼ ପାଇଁ ଅଣ୍ଟା ଭିଡିଛି ପୋଲିସ ।

ତେବେ ଏଣିକି ଗାଡିରେ କଳାକାଚ ଅଥବା ବ୍ଲାକ୍ ଫିଲ୍ମ ଲଗାଇ ରାସ୍ତାରେ ଯାଉଥିଲେ ୫ ହଜାର ଟଙ୍କା ଜରିମାନା ସହ ୬ ମାସ ଜେଲରେ ରହିବାକୁ ପଡ଼ିପାରେ । ଏନେଇ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ କଟକ-ଭୁବନେଶ୍ୱର ମହାନଗରରେ କଡ଼ାକଡ଼ି ଭାବେ ଚେକିଂ ଆରମ୍ଭ ହୋଇଛି । ତେବେ ଗାଡ଼ିରେ ବ୍ଲାକ ଫିଲ୍ମ ଲଗାଇ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ସହ ନିଶା କାରବାର କରାଯାଉଥିବାରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ପୋଲିସ କମିଶନର କହିଛନ୍ତି । ଏହାଛଡ଼ା ନିର୍ବାଚନ ସମୟରେ କଳାକାଚ ଆଢ଼ୁଆଳରେ ଟଙ୍କା କାରବାର ସହ ଅନୈତିକ କାରବାର ଚାଲିବାର ସମ୍ଭାବନା ରହିଛି । ଏଥିପାଇଁ ପୋଲିସ ପକ୍ଷରୁ କଳାକାଚ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି । ବିଭିନ୍ନ ଛକରେ ପୋଲିସ କଳାକାଚ ଲାଗିଥିବା ଗାଡ଼ିକୁ ଅଟକାଇ ଜରିମାନା ଆଦାୟ କରିବା ସହ କଳାଜରି ବାହାର କରି ଦେଉଛି ପୋଲିସ୍ । ସୂଚନା ଅନୁସାରେ, ଗାଡି କିଣିବା ସମୟରେ ସେପରି ଫିଚର ଦିଆଯାଇନଥାଏ । କିନ୍ତୁ କିଛି ଲୋକ ଏସି ଚଲାଇବା ବା ଖରା ପଡିବା ବାହାନା ଦେଖାଇ କଳାକାଚ ବ୍ୟବହାର କରୁଛନ୍ତି ।

ଫଳରେ ଏହାର ମୌକାରେ ଅନୈତିକ କାରବାର ବା ଅସାମାଜିକ କାମ ବୃଦ୍ଧି ପାଉଛି । ଏନେଇ ୨୦୧୨ ମସିହାରେ ମେ ୪ ତାରିଖରେ ଏଭଳି କଳା କାଚ ବ୍ୟବହାର ଉପରେ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । ଏଭଳି କଳାକାଚ ପାଇଁ ଅପହରଣ , ଅସଦାଚରଣ ଓ ଦୁଷ୍କର୍ମ ଭଳି ମହିଳା ବିରୋଧୀ ଅସାମାଜିକ କାମ ଘଟିବାର ଆଶଙ୍କା କରି ଏଭଳି ନିର୍ଦ୍ଦେଶନାମା ଦିଆଯାଇଥିଲା । ଯାହକୁ ନେଇ ଏଭଳି କଳାକାଚ ବ୍ୟବହାର ଉପରେ ମଧ୍ୟ ପରିବହନ ବିଭାଗର ମୋଟର ଭେଇକିଲ ଆକ୍ଟ ୧୭୭ ଧାରା ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରାବଧାନ ରହିଛି ।

Leave a Reply

Your email address will not be published. Required fields are marked *