Pratidin TV

Odisha's Digital News Platform

ନିୟତିର ନିଷ୍ଠୁର ଖେଳ , ବେଦୀକୁ ଯାଉ ଯାଉ ଚାଲିଗଲା ବରର ଜୀବନ ..

ନିଷ୍ଠୁର ନିୟତିର କ୍ରୁର ଉପହାସ । ମାତ୍ର କିଛି ସମୟ ଭିତରେ ସବୁ କିଛି ଓଲଟ ପାଲଟ । ସାଥୀ ହୋଇ ସଂସାର ଆରମ୍ଭ କରିବା ଆଗରୁ ଜଣେ ଆର ଜଣକୁ ଠକି ଦେଇ ଚାଲି ଗଲା ଅଫେରା ରାଇଜକୁ । ପୁଅର ବିବାହ ପାଇଁ ଯେଉଁ ଘରେ ଆନନ୍ଦ ଉଲ୍ଲାସର ପରିବେଶ ଥିଲା, ଭୋଜି ଭାତର ପ୍ରସ୍ତୁତି ଚାଲିଥିଲା, ସେଠାରେ ମୃତ୍ୟୁ ପରର କାନ୍ଦ ବୋବାଳି । ଛାତି ଫଟାଇ କାନ୍ଦୁଛନ୍ତି ସମସ୍ତେ । ଘର, ପରିବାର, ପାଖ ପଡ଼ିଶା, ବନ୍ଧୁ ବାନ୍ଧୁବ କେହି ବିଶ୍ୱାସ କରିପାରୁ ନାହାନ୍ତି, ଅଚାନକ ଏ କଣ ହୋଇଗଲା । ଖୋଦ୍ ବରର ମୃତ୍ୟୁ । ବିବାହ କରିବାକୁ ବେଦୀକୁ ଯାଉ ଯାଉ ଚାଲିଯାଇଛି ବରର ଜୀବନ । ଉତ୍ତରପ୍ରଦେଶର ବିଜନୁର ଅଞ୍ଚଳରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି । ମୃତକ ବିଜନୁର ଅଞ୍ଚଳର ୨୨ ବର୍ଷର ଯୁବକ ନୀତୁ ବୋଲି ଜଣାପଡିଛି ।

ନୀତୁଙ୍କ ବାହାଘର ପାଇଁ ସବୁକିଛି ଆୟୋଜନ ସରିଥିଲା । ବାଣ ରୋଷଣୀରେ ବରଯାତ୍ରୀ ଧରି କନିଆ ଘରକୁ ଯିବା ପୂର୍ବରୁ ପୂଜା କରିବାକୁ ମନ୍ଦିର ଯାଇଥିଲେ ନୀତୁ । ସେଠାରେ ହଠାତ ଛାତିରେ ଯନ୍ତ୍ରଣା ହେବାରୁ ସେ ଚେତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ । ହେଲେ ସେତେବେଳକୁ ସବୁକିଛି ସରିଯାଇଥିଲା । ସେଠାରେ ନୀତୁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ନୀତୁଙ୍କ ପରିବାର ଲୋକ କହିଛନ୍ତି, ନୀତୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିଲା । ହଠାତ କ’ଣ ପାଇଁ ଏମିତି ଘଟିଲା ତାକୁ ନେଇ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି । ମୃତଦେହ ଜବତ କରି ତଦନ୍ତ କରୁଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Leave a Reply

Your email address will not be published. Required fields are marked *