Pratidin TV

Odisha's Digital News Platform

ମା’ କୋଳକୁ ଫେରିଲା ମାଙ୍କଡ ଛୁଆ ..

1 min read

ଏ ସିନା କଥା କହିପାରୁନି…ହେଲେ ସିଏ ବି ଗୋଟିଏ ମାଆ । ଗର୍ଭରେ ରଖି ଯେଉଁପିଲାଙ୍କୁ ଜନ୍ମ ଦେଇଛି…ଛାତି ଚିରି ଯାହାଙ୍କୁ କ୍ଷୀର ଦେଇଛି ତାଙ୍କୁ ସେ ପର କରିଦେବ ବା କେମିତି? ନିଜର ପଛେ ଜୀବନ ଯାଉ ହେଲେ ତା ଛୁଆର କିଛି କ୍ଷତି ନହେଉ । ପ୍ରତିଟି ମାଆ ପରି ସେ ବି ମମତା ସାଗରରେ ପିଲାଙ୍କୁ ପାଳିଛି । ସେଥିପାଇଁ ତ ନିଜ ପିଲାକୁ ନପାଇ ଅହରହ ଖୋଜି ଚାଲିଛି । ଶତଚେଷ୍ଟା ପରେ ବି ନିଜ ପିଲାକୁ ଖୋଜି ପାଇନି ହେଲେ ସେ ହାର ମାନିନି । ଆଜି ତାର ସନ୍ତାନର ଫଟୋକୁ ମୋବାଇଲରେ ଦେଖି ମୋବାଇଲ୍ କୁ ସ୍କ୍ରୋଲ କରି ଚାଲିଛି । ସନ୍ତାନର ଫଟୋକୁ ଦେଖି ମୋବାଇଲକୁ ଗେଲ କରିଦେଉଛି । ମା’ ମାଙ୍କଡର ଆଖି ଲୁହରେ ବି ଭରିଯାଇଛି ।

ଏ ଦୃଶ୍ୟ ଦେଖିଲେ ଆଖିରୁ ଲୁହ ଝରିଯାଉଛି । ହେଲେ ଏବେ ବଦଳିଯାଇଛି ସେହି ମା ମାଙ୍କଡର ମନ । ଏବେ ତା ଓଠରେ ହସ ଦେଖିବାକୁ ମିଳିଛି । କାରଣ ମିଳିଯାଇଛି ସେହି ମା ମାଙ୍କଡକୁ ତା ପିଲା । ଆଉ ପିଲାକୁ କୋଳରେ ଧରି ଆଖିରୁ ଝରିଯାଉଛି କୃତଜ୍ଞତାର ଲୁହ । ତା ଛୁଆକୁ ଖୋଜି ଆଣି ଦେଇଥିବା ସେହି ସହୃଦୟ ବ୍ୟକ୍ତି ମାନଙ୍କୁ ହୃଦୟରୁ ଜଣାଉଛି କୃତଜ୍ଞତା । ସୂଚନା ଅନୁସାରେ, ଗତକାଲି ସେହି ଅଞ୍ଚଳରେ ପିଲା ମାଙ୍କଡ଼ଟି ମା’ ସଙ୍ଗେ ଖେଳୁଥିବା ବେଳେ, କେହି ଜଣେ ଯୁବକ ସେହି ପିଲା ମାଙ୍କଡ଼ଟିକୁ ଚୋରି କରି ନେଇଯାଇଥିଲେ । ମା’ ମାଙ୍କଡ ତା ଛୁଆକୁ ନ ପାଇ ଆଖୁରୁ ଲୁହ ଝରାଇ ଖୋଜିବାରେ ଲାଗିଥିଲା । ଯାହାକୁ ନେଇ ସେହି ଅଞ୍ଚଳରେ ଆଲୋଡନ ଖେଳିଯାଇଥିଲା । ଯାହାକୁ ନେଇ ପଶୁ ପ୍ରେମୀ ମାନେ କହିଥିଲେ ତୁରନ୍ତ ସେହି ଛୁଆ ମାଙ୍କଡଟିକୁ ଉଦ୍ଧାର କରାଯାଉ । ଯାହାର ଭିଡିଓ ସୋଶିଆଲ ମିଡିଆରେ ଘୁରି ବୁଲିଥିଲା । ଏହାପରେ ଛୁଆ ମାଙ୍କଡକୁ ଠାବ କରିଥିଲେ କିଛି ଲୋକ । ଆଜି ସେହି ମାଆ ମାଙ୍କଡଟି ତା ପିଲାକୁ ଫେରି ପାଇଛି । ଆଉ ଛୁଆକୁ ପାଖରେ ପାଇ ମାଆର ଖୁସି କହିଲେ ନସରେ । ପୁଣି କାଳେ କିଏ ତା ଛୁଆକୁ ନେଇ ଯିବ ସେଥିପାଇଁ ସତର୍କ ଦୃଷ୍ଟିରେ ଚାରିପଟକୁ ଚାହୁଁଛି ଆଉ ତା ଛୁଆକୁ କୋଳେଇ ନେଇ ଦୌଡି ଚାଲି ଯାଉଛି ।

Advertisement

Leave a Reply

Your email address will not be published. Required fields are marked *