Pratidin TV

Odisha's Digital News Platform

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଗମ୍ଭୀର ସ୍ଥିତି : ୮୪% ରୁ କମ୍ ନଂ ଥିଲେ ମଧ୍ୟ ଯୁକ୍ତ ୩ ରେ ମିଳୁନାହିଁ ସିଟ୍

1 min read

କଟକ : ଏକ ଗମ୍ଭୀର ସମସ୍ୟା ହୋଇ ଛିଡା ହୋଇଛି ଯୁକ୍ତ ୨ ର ଫଳାଫଳ । ଛାତ୍ରଛାତ୍ରୀଙ୍କ ଭବିଷ୍ୟାତ ପାଇଁ ବାଧକ ସାଜିଛି ମାର୍କ । ତେବେ ଯୁକ୍ତ ୨ ରେ ୮୪ ପ୍ରତିଶତରୁ କମ୍ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ରେଭେନ୍ସାରେ ଯୁକ୍ତ ୩ ଓଡିଆ ଅନର୍ସରେ ପଢିବାକୁ ମଧ୍ୟ ସୁଯୋଗ ମିଳୁନି । ଯୁକ୍ତ ୩ ନାମଲେଖାର ୨ୟ ସିଲେକ୍ସନ ତାଲିକା ପ୍ରକାଶ ପାଇବା ପରେ ଓଡିଆ ଅନର୍ସର କଟ୍ ଅଫ୍ ନଂ ୮୪ ପ୍ରତିଶତ ରହିଛି । କୋଭିଡ ମହାମାରୀରେ ପାଠ ପଢା ଅବହେଳିତ ପରେ କଟ୍ ଅଫ୍ ର ଏଭଳି ଅପ୍ରତ୍ୟାଶିତ ନଂ ବୃଦ୍ଧି ନାମଲେଖା ପ୍ରକ୍ରିୟାରେ ଏକ ବିଚିତ୍ର ସ୍ଥିତି ସୃଷ୍ଟି କରିଛି ।

ଏହାଠୁ ଅଧିକ ବିଚିତ୍ର ଘଟଣା ହେଉଛି ଯେ ଓଡିଆ ଅନର୍ସରେ ନାମଲେଖାଇବା ପାଇଁ ସୁଯୋଗ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଇଙ୍ଗ୍‌ଲିସ୍ ମିଡିୟମ୍ ସ୍କୁଲର ଛାତ୍ରଛାତ୍ରୀ । ୮୦ ପ୍ରତିଶତ ନମ୍ବର ରଖିଥିବା ପିଲାଙ୍କ ପାଇଁ ମଧ୍ୟ ରେଭେନ୍ସାରେ ପାଠପଢା ସୁଯୋଗକୁ ବନ୍ଦ କରିଦିଆଯାଇଛି । ବାସ୍ତବ ସ୍ଥିତିକୁ ଦେଖି ସରକାର ସିଟ୍ ବଢାଉ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ଯୁକ୍ତ ୩ ନାମଲେଖାରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଛି । ତେବେ ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଓଡିଶାର ସିଏଚ୍‌ଏସ୍‌ଇ ଅଧିନରେ ପରୀକ୍ଷା ଦେଇ ପାସ୍ କରିଥିବା ଯୁକ୍ତ ୨ ଛାତ୍ରଛାତ୍ରୀ । ସିଏଚ୍‌ଏସ୍‌ସି ଯୁକ୍ତ ୨ କଳାରେ ଚଳିତ ବର୍ଷ ମାତ୍ର ୧୭୭ ଜଣ ଛାତ୍ରଛାତୀ ୯୦ ପ୍ରତିଶତରୁ ଅଧିକ ନଂ ରଖିଥିବା ବେଳେ , ୮୦ ପ୍ରତିଶତରୁ ଅଧିକ ନଂ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ସେଭଳି ଅଧିକ ନୁହେଁ । ମାତ୍ର ସିବିଏସ୍‌ଇ ଯୁକ୍ତ୨ ରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ।

Advertisement

ଫଳରେ ରେଭେନ୍ସା ବିଶ୍ୱବିଦ୍ୟାଳରେ ଚଳିତ ବର୍ଷ ଯୁକ୍ତ ୩ ରେ ନାମ ଲେଖାଇବାର ସୁଯୋଗ ମୁଖ୍ୟତଃ ସିବିଏସଇ ଛାତ୍ରଛାତ୍ରୀ ହିଁ ପାଇଛନ୍ତି । ରେଭେନ୍ସାରେ ଯୁକ୍ତ ୩ ଇଂରାଜୀ ଅନର୍ସର ୨ୟ ସିଲେକ୍ସନ କଟ୍ ଅଫ୍ ନମ୍ବର ୮୮.୫% ରହିଥିବାବେଳେ ସଂସ୍କୃତ ଅନର୍ସ କଟ୍‌ଅଫ୍ ନଂ ୮୦% ,ଭୂଗୋଳ ୮୮% , ଇତିହାସ ୮୭.୫%, ଦର୍ଶନ ୮୦%,ମନସ୍ତତ୍ତ୍ୱ ୮୭.୮୩%,ଅର୍ଥନୀତି ୮୮.୫%,ସମାଜ ଶାସ୍ତ୍ର ପାଇଁ ୮୫.୫% କଟ୍ ଅଫ୍ ନଂ ରହିଚି । ସେହିଭଳି ପଦାର୍ଥ ବିଜ୍ଞାନ ,ରସାୟନ ବିଜ୍ଞାନ,ଉଦ୍ଭିଦ ବିଜ୍ଞାନ ଭଳି ବିଷୟରେ କଟ୍ ଅଫ୍ ନଂ ରହିଛି ୯୩ % ରୁ ଅଧିକ । ତେବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଏଭଳି ସ୍ଥିତି ରହିଥିବା ବେଳେ ପରକୁ ପର କଲେଜ ଗୁଡିକର କଟ ଅଫ୍ ମଧ୍ୟ ବୃଦ୍ଧି ପାଇଛି । ଫଳରେ ୬୦-୭୦ ପ୍ରତିଶତ ନଂ ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବି ଜେକେବିକେ,ଖ୍ରାଏଷ୍ଟ,ଶୈଳବାଳା,ଷ୍ଠୁଆର୍ଟ କଲେଜ ମାନଙ୍କରେ ମନ ପସନ୍ଦର ଅନର୍ସ ରଖି ପାଠ ପଢିବା ସ୍ୱପ୍ନ ହୋଇଯାଇଛି । ଅନ୍ୟପଟେ ସିଏଚଏସି ଅଧୀନରେ ଯୁକ୍ତ୨ ପରୀକ୍ଷାରେ ପାସ୍ କରିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଏଭଳି ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି ।

Leave a Reply

Your email address will not be published. Required fields are marked *