ମାଆ ଙ୍କ କଥା ଶୁଣି ଭାବବିହ୍ୱଳ ହୋଇପଡିଲେ ରାହୁଲ, ଟ୍ୱିଟ କରି କହିଲେ ଏମିତି ..
1 min readମୋ ପୁଅକୁ ଆପଣଙ୍କ ହାତରେ ଟେକିଦେଲି। ମୋ ପୁଅ ଏବେ ଆପଣଙ୍କ ଦାୟିତ୍ୱ । ନିର୍ବାଚନ ପ୍ରଚାର ମୈଦାନରେ ଏପରି ଭାବପ୍ରବଣ ନିବେଦନ କରିଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ । ପୁଅ ପାଇଁ ଜନତାଙ୍କ ଆଗରେ ଭୋଟ ଭିକ୍ଷା କରିଛନ୍ତି । ଉତ୍ତରପ୍ରଦେଶରେ କଂଗ୍ରେସର ଗଡ଼ ଭାବେ ପରିଚିତ ରାଏବରେଲି ଆସନକୁ କାଏମ ରଖିବା ପାଇଁ ଦଳର ଷ୍ଟାର୍ ପ୍ରଚାରକ ସୋନିଆ ଗାନ୍ଧୀ ଜୋରସୋର ପ୍ରୟାସ ଚଳାଇଛନ୍ତି। ସୋନିଆ ପୁଅ ରାହୁଲ ଗାନ୍ଧୀଙ୍କ ପାଇଁ ଭୋଟର୍ଙ୍କୁ ଭାବପ୍ରବଣ ଆବେଦନ କରି ପୁଅକୁ ବିଜୟୀ କରିବା ନିମନ୍ତେ ନିବେଦନ କରିଛନ୍ତି। ରାହୁଲ ତାଙ୍କ ୭୭ ବର୍ଷୀୟା ମା’ ସୋନିଆ ଗାନ୍ଧୀ ପ୍ରତିନିଧିତ୍ୱ କରୁଥିବା ପାରିବାରିକ ଗଡ଼ ରାଏବରେଲିରୁ ଏଥର ନିର୍ବାଚନ ଲଢୁଛନ୍ତି । ଚଳିତ ବର୍ଷ ପ୍ରାରମ୍ଭରେ ସୋନିଆ ରାଜ୍ୟସଭାକୁ ନିର୍ବାଚିତ ହେବାପରେ ଏବେ ଏହି ଆସନରେ କଂଗ୍ରେସର ବିଜୟ ଦଳ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି।
ସୋନିଆ ରାୟବରେଲିରେ ଏକ ପ୍ରଚାର କାର୍ଯ୍ୟକ୍ରମରେ କହିଛନ୍ତି, ମୁଁ ମୋ ପୁଅକୁ ଆପଣଙ୍କୁ ହସ୍ତାନ୍ତର କରୁଛି। ଯେହେତୁ ଆପଣମାନେ ମୋତେ ନିଜର ଭାବୁଛନ୍ତି, ତେଣୁ ରାହୁଲଙ୍କୁ ମଧ୍ୟ ନିଜର ବୋଲି ଭାବିବାକୁ ପଡ଼ିବ । ରାହୁଲ ଆପଣଙ୍କୁ ନିରାଶ କରିବେ ନାହିଁ ବୋଲି ସୋନିଆ କହିଛନ୍ତି। ସେ ଏହା କହିବା ସମୟରେ ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ତାଙ୍କ ପଛରେ ଠିଆ ହୋଇଥିଲେ।ସୋନିଆ କହିଛନ୍ତି, ଇନ୍ଦିରା ଗାନ୍ଧୀ ଏବଂ ରାଏବରେଲିର ଲୋକମାନେ ମୋତେ ଯେଉଁ ଶିକ୍ଷା ଦେଇଥିଲେ, ମୁଁ ରାହୁଲ ଓ ପ୍ରିୟଙ୍କାଙ୍କୁ ସେହି ଶିକ୍ଷା ଦେଇଛି। ୨୦ ବର୍ଷ ଏଠାରୁ ସାଂସଦ ରହିବା ମୋ ଜୀବନର ସବୁଠାରୁ ବଡ଼ ସମ୍ପତ୍ତି। ମୁଁ ଖୁସି ଯେ ଦୀର୍ଘ ଦିନ ପରେ ମୋତେ ଆପଣଙ୍କ ମଧ୍ୟରେ ରହିବାର ସୁଯୋଗ ମିଳିଛି। ମୁଁ ଆପଣଙ୍କ ନିକଟରେ ଗଭୀର କୃତଜ୍ଞ ବୋଲି ସୋନିଆ କହିଛନ୍ତି। ମୁଁ ମୋର ପୁତ୍ର, ମୁଁ ରାହୁଲଙ୍କୁ ତୁମର ନିଜର ଭାବରେ ଦେଉଛି, ରାହୁଲ ତୁମକୁ ହତାଶ କରିବେ ନାହିଁ।
ଏହାକୁ ନେଇ ଭାବବିହ୍ବଳ ହୋଇଛନ୍ତି ରାହୁଲ ଗାନ୍ଧୀ। ସେ ମା’ଙ୍କ ଉକ୍ତ ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ମା’ କହିଥିବା ପ୍ରତିଟି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି ବୋଲି କହିଛନ୍ତି।‘ଏକ୍ସ’ରେ ପୋଷ୍ଟ କରି ରାହୁଲ କହିଛନ୍ତି, ଏହି ମୂହୁର୍ତ୍ତ ମୋ’ ପାଇଁ ବହୁତ ଭାବୁକ ଥିଲା। ମା’ ରାଏବରେଲିର ୧୦୦ ବର୍ଷ ସେବାର ପରମ୍ପରାର ଧ୍ୱଜ ଆଜି ମୋତେ ବିଶ୍ୱାସର ସହ ସମର୍ପି ଦେଇଛନ୍ତି। ମୁଁ ଗର୍ବର ସହ ଏହି ଦାୟିତ୍ୱକୁ ସ୍ବୀକାର କରୁଛି। ମା’ କହିଥିବା ଗୋଟିଏ ଗୋଟିଏ ଶବ୍ଦକୁ ଅକ୍ଷରେ ଅକ୍ଷରେ ପାଳନ କରିବି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।