Pratidin TV

Odisha's Digital News Platform

ବଲାଙ୍ଗିରରେ ଲୁଟେରାଙ୍କ ଆତଙ୍କରାଜ , ବାପ ପୁଅଙ୍କୁ ମାଡ଼ ମାରି ଲୁଟିନେଲେ ଟଙ୍କା ଓ ମୋବାଇଲ ..

1 min read

ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ଚନ୍ଦନଭାଟି ପାଖ ବରକାନୀ ପାଖରେ ଗତ କଲି ବିଳମ୍ବିତ ରାତିରେ  ହୋଇଛି ଡକାୟତି । ସୂଚନା ଅନୁସାରେ ସଦାଇପାଲି ନିବାସୀ ଛବିଚନ୍ଦ୍ର ପଟେଲ ନିଜ ପୁଅଙ୍କ ସହ ଜଣେ ସଂପର୍କୀୟଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବା ପାଇଁ କୁଶଙ୍ଗ ପାଖ ବଂଜାରୀ ଗାଁକୁ ଯାଇ ଫେରୁଥିବା ବେଳେ ଘଟିଛି ଏଭଳି ଅମାନବୀୟ ଘଟଣା । ଏକ ସ୍କୁଟି ସାହାଯ୍ୟରେ ଛବିଚନ୍ଦ୍ର ନିଜ ପୁଅଙ୍କ ସହ ଆସୁଥିବା ବେଳେ ଦୁର୍ବୃତ୍ତମାନେ ବରକାନୀ ପାଖରେ ପଛପଟୁ ତାଙ୍କୁ ଠେଙ୍ଗାରେ ପ୍ରହାର କରିଥିଲେ ।

ବାପପୁଅ ଭାରସାମ୍ୟ ହରାଇ ସ୍କୁଟିରୁ ଛିଟିକି ପଡ଼ିବା ପରେ ଦୁର୍ବୃତ୍ତମାନେ ତାଙ୍କ ପାଖରୁ ମୋବାଇଲ ଫୋନ୍‌, ପର୍ସ ଆଦି ଛଡେ଼ଇ ଫେରାର୍‌ ହୋଇଯାଇଥିଲେ । ୫ ଜଣ ଦୁର୍ବତ୍ତ ମୁହଁରେ କପଡ଼ା ବାନ୍ଧି ଏଭଳି କାଣ୍ଡ ଘଟାଇଥିବା କୁହାଯାଇଛି । ସୂଚନା ପାଇ ଚନ୍ଦନଭାଟି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚିଥିବା ବେଳେ ଆହତ ଛବିଚନ୍ଦ୍ରଙ୍କୁ ତୁରନ୍ତ ଭୀମଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲ୍‌କୁ ଚିକିତ୍ସା ପାଇଁ ପଠାଇଥିଲେ । ଛବିଚନ୍ଦ୍ରଙ୍କ ସାନଭାଇଙ୍କ ପୁଅ ରାମ ପଟେଲ କହିଛନ୍ତି ଯେ, ବଲାଙ୍ଗିର ସହରରୁ ଚନ୍ଦନଭାଟିକୁ ଯିବା ରାସ୍ତାରେ ଲଗାତାର ଏଭଳି ଘଟଣା ଘଟୁଥିବା ବେଳେ ଏହି ରାସ୍ତାରେ ନିଛାଟିଆ ସମୟରେ ଯିବା ଆସିବା କରୁଥିବା ନିରୀହ ଲୋକଙ୍କ ଧନ ଜୀବନ ଅସୁରକ୍ଷିତ ହୋଇପଡ଼ିଛି । ଏ ଦିଗରେ ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *