କିନ୍ନର ପାଳିଲେ ସାବିତ୍ରୀ ବ୍ରତ ।
1 min readକଟକ ; ପୌରାଣିକ କିମ୍ବଦନ୍ତୀ ଅନୁସାରେ ସତ୍ୟବାନ୍ ର ଦୀର୍ଘାୟୁ ଜୀବନ କାମନା କରି ସାବିତ୍ରୀ ରଖିଥିଲେ ଉପବାସ । ଯମ ନିକଟରୁ ଫେରାଇ ଆଣିଥିଲେ ନିଜ ସତ୍ୟବାନ୍ ଙ୍କୁ । ଆଉ ସେବେଠୁ ଓଡ଼ିଆ ପରମ୍ପରାରେ ପାଳନ ହୋଇଆସୁଛି ସାବିତ୍ରୀ ବ୍ରତ । ସ୍ୱାମୀର ଶୁଭମନାସୀ କାମନା କରି ସ୍ତ୍ରୀ ଟିଏ ରଖେ ଉପବାସ । ତେବେ ବିଭିନ୍ନ ମନ୍ଦିରରେ ଆଜି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି ଘରର ଗୃହିଣୀ ମାନେ । ଅନ୍ୟପଟେ କିନ୍ନର ମାନେ ମଧ୍ୟ ନିଜ ଗୁରୁଙ୍କ ଦୀର୍ଘାୟୁ ଜୀବନ ପାଇଁ କରିଛନ୍ତି ସାବିତ୍ରୀ ବ୍ରତ ।
ପ୍ରତି ବର୍ଷ ସାବିତ୍ରୀ କୁ ଚାହିଁ ବସିଥାନ୍ତି କିନ୍ନର ମାନେ । ନିଜ ଗୁରୁଙ୍କ ଦୀର୍ଘାୟୁ ଜୀବନ କାମନା କରି ରଖିଥାନ୍ତି ସାବିତ୍ରୀ ବ୍ରତ । ଏ ନେଇ କଟକ କିନ୍ନର ଆସୋସିଏସନ୍ ର କିନ୍ନର ମାନେ କଟକ ମେରିଆ ବଜାର ରୁ ହାତରେ ଭୋଗ ଥାଳି, ଶଙ୍ଖା, ସିନ୍ଦୂର, ଶାଢ଼ୀ, ଧରି ବାଜା,ରୋଷଣୀ କରି ସାବିତ୍ରୀ ବ୍ରତ ପୂଜା କରିବା ପାଇଁ ପହଞ୍ଚିଥିଲେ ବକ୍ସି ବଜାର ଠାରେ ଥିବା ଅମରେଶ୍ୱର ମନ୍ଦିରରେ । ଏହାପରେ କିନ୍ନର ମାନେ ଦୀପ ଜାଳି, ସଧାରଣ ମହିଳାମାନଙ୍କ ଯେଉଁଭଳି ହୁଳ ହୁଳି ପକାଇ, ପୂଜାର୍ଚ୍ଚନା କଲା ପରେ ନିଜ ଗୁରୁଙ୍କ ଦୀର୍ଘାୟୁ ଜୀବନ କାମନା କରିଥିଲେ । କାରଣ ଏ ନୂତନ ବସ୍ତ୍ର, ଶଙ୍ଖା, ସିନ୍ଦୂର ସବୁ ଉତ୍ସର୍ଗ କରିଛନ୍ତି ଗୁରୁଙ୍କ ପାଇଁ ।
ଏପଟେ ରୀତିନୀତି ଅନୁଯାୟୀ, ସାବିତ୍ରୀ ବ୍ରତରେ ଲକ୍ଷ୍ମୀ ନାରାୟଣ ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି ସଧବା ନାରୀମାନେ । କିମ୍ବଦନ୍ତୀ କୁହେ, ସତୀ ସାବିତ୍ରୀ ଯମ ପାଖରୁ ନିଜର ମୃତ ସତ୍ୟବାନ୍ ଙ୍କ ଜୀବନ ଫେରାଇ ଆଣିଥିଲେ । ତାହା କେବଳ ସମ୍ଭବ ହୋଇଥିଲା ସାବିତ୍ରୀଙ୍କ ନିଷ୍ଠା ପାଇଁ । ଏବଂ ନିଜ ସତ୍ୟବାନ୍ ଙ୍କ ନୂତନ ଜୀବନ ପାଇଁ ସାବିତ୍ରୀ ରଖିଥିଲେ ଉପବାସ । ସେହି ପରମ୍ପରାକୁ ବଜାୟ ରଖି ଓଡ଼ିଆ ଘରର ସଧବା ନାରୀମାନେ ନିଜ ସ୍ବାମୀଙ୍କ ପାଇଁ ରଖିଥାନ୍ତି ଉପବାସ । ମନ୍ଦିରରେ ପୂଜାର୍ଚ୍ଚନା ସାରି ଘରେ ସାବିତ୍ରୀ ବ୍ରତ ବହି ପଢ଼ିବା ପରେ ସ୍ବାମୀଙ୍କ ପାଦ ସ୍ପର୍ଶ କରି ସ୍ଵାମୀର ଦୀର୍ଘାୟୁ ଜୀବନ କାମନା କରିଥାନ୍ତି ।
ଯୁଗ ଯେତେ ପରିବର୍ତ୍ତନ ହେଉ ନା କାହିଁକି ଆଜି ବି ସାବିତ୍ରୀ ବ୍ରତ ପ୍ରତ୍ୟେକ ଟି ଓଡ଼ିଆ ନାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦିନଟିଏ ।