ମରୁଭୂମି ପାଲଟିଛି ଜୀବନ୍ତ ଅଭିନୟ ଦେଖାଉଥିବା ରଙ୍ଗମଞ୍ଚ, ଖୋଜୁଛି ନୂଆ ଜୀବନ…
1 min readକଟକ : କଳା, ସଂସ୍କୃତି, ଐତିହ୍ୟ ସମ୍ପନ୍ନ ସହର ହେଉଛି ହଜାର ବର୍ଷର ରୌପ୍ୟ ନଗରୀ କଟକ । ଆଉ ଏ ସହର କଳା ଓ କଳାକାର ଙ୍କ ଏନ୍ତୁଡ଼ିଶାଳ । ହେଲେ ଯେଉଁ କଳା ଓ କଳାକାର ମାନେ ଦିନେ ମଞ୍ଚରେ ନାଟକ ପରିବେଷଣ କରି ଦର୍ଶକଙ୍କ ମନ ମହୁଥିଲେ ଆଜି ସେଇ ମଞ୍ଚ ଜରାଜୀର୍ଣ୍ଣ ଓ ରୁଗଣ ଅବସ୍ଥାରେ । ବଞ୍ଚିରହିବା ପାଇଁ ସଂଘର୍ଷ କରୁଛି କଟକ ସହରର ପ୍ରସିଦ୍ଧି ଅର୍ଜନ କରିଥିବା ରଙ୍ଗମଞ୍ଚ । ସମୟ ଆସିଛି ନାଟକ ଓ ରଙ୍ଗମଞ୍ଚ କୁ ବଞ୍ଚାଇବା ପାଇଁ ପ୍ରଚେଷ୍ଟା କରିବାର । ରଙ୍ଗମଞ୍ଚ ବଞ୍ଚିଲେ କଳା ବଞ୍ଚିବ, କଳା ବଞ୍ଚିଲେ କଳାକାର ଟେ ବଞ୍ଚିବ । ଆଉ କଳାକାର କଳା ପ୍ରଦର୍ଶିତ କଲେ ଦର୍ଶକ ମନୋରଞ୍ଜନ କରିବା ସହ ଆମ ଐତିହ୍ୟ ଓ ପରମ୍ପରା ବିଷୟରେ ଜାଣିବାର ସୁଯୋଗ ପାଇ ପାରିବେ ।
ମନୋରଞ୍ଜନର ମାଧ୍ୟମ ଯେତେ ବି’ ଆକର୍ଷଣୀୟ ଓ ଭିନ୍ନ ହେଉନା କାହିଁକି ଅନେକ ଦର୍ଶକ ମଞ୍ଚ-ନାଟକକୁ ଏଯାଏଁ ଭୁଲି ପାରିନାହାଁନ୍ତି । ନାଟକ, ଏକ ଜୀବନ୍ତ ମାଧ୍ୟମ।ଏହାକୁ ଦର୍ଶକ ଦେଖିବାକୁ ବହୁତ ପସନ୍ଦ କରୁଥିଲେ। ସମାଜର ପ୍ରତିଫଳନ ‘ନାଟକ’ର ପ୍ରଦର୍ଶନ ପାଇଁ କଟକରେ ଥିଲା ଅନେକ ବଡ ବଡ ତଥା ନାଁକରା ରଙ୍ଗମଂଚ । ହେଲେ ପରେ ନାଟକରେ ଭଟ୍ଟା ପଡିଛି, ଲୋକେ ଏଥିରୁ ଦୂରେଇ ଗଲେଣି। ୧୯୫୩ ମସିହାରେ ପ୍ରତିଷ୍ଠିତ କଟକର ଏକ ପ୍ରମୁଖ ରଙ୍ଗମଞ୍ଚ ଏବେ ପାଲଟିଛି ରୁଗ୍ଣଣ ଓ ଜରାଜୀର୍ଣ୍ଣ। ଜାଗା ବିବାଦର ପଷାପାଲି ଭିତରେ ନିଜର ଅସ୍ତିତ୍ୱ ଖୋଯିବାରେ ବ୍ୟସ୍ତ ରହିଛି ଜନତା ରଙ୍ଗମଞ୍ଚ।ଜନତାଙ୍କ ପାଇଁ ରଙ୍ଗମଞ୍ଚ ଥିଲା ଜନତା ରଙ୍ଗମଞ୍ଚ ।
ଦିନେ ସେଠାରେ ନାଟ୍ୟରୂପ ନେଉଥିଲା ସାହିତ୍ୟ ,ସଂସ୍କୃତି, ପରମ୍ପରା ,ଐତିହ୍ୟ ।ଏହି ମଞ୍ଚ ରେ ମଞ୍ଚସ୍ତ ଯାଯାବର, ଭରସା, ପରକଲମ ଓ ମାଟିର ମଣିଷ ଭଳି ଲୋକପ୍ରିୟ ନାଟକ ହୃଦୟ ଛୁଇଁଥିଲା ଦର୍ଶକଙ୍କର । ଓଡ଼ିଶାର ଲୋକ କଥା, ସଂସ୍କୃତି ଓ ପରମ୍ପରାକୁ ଦର୍ଶକଙ୍କ ପାଖରେ ପହଁଚାଇବାରେ ବଳିଷ୍ଠ ମାଧ୍ୟମ ପାଲଟିଥିବା କଟକ ବାଙ୍କା ବଜାର ସ୍ଥିତ ଜନତା ରଙ୍ଗମଞ୍ଚ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ୧୯୫୩ ମସିହାରେ ପ୍ରତିଷ୍ଠିତ ଓଡ଼ିଶାର ଏକ ପ୍ରମୁଖ ରଙ୍ଗମଞ୍ଚ ଏବେ ଅଣ୍ଟା ସଳଖିବା ପାଇଁ କରୁଛି ସଂଘର୍ଷ । ଏ ଭିଜୁଆଲକୁ ଟିକେ ଭଲ କରି ଦେଖନ୍ତୁ । ବସିବାକୁ ଥିବା ଅଡିଟରିଅମ୍ ମାଟି ସାଙ୍ଗରେ ସମାନ ହୋଇଯାଇଚି । ଲୋକେ ନାଟକ ବସି ଦେଖୁଥିବା ଚେୟାର ଏବଂ ଛାତକୁ ଅନେଶ୍ଵତ ମହାବାତ୍ୟା କୁଆଡ଼େ ଉଡ଼ାଇ ନେଇଛି । କେବଳ ସନ୍ତକ ବୋଲି ମାତ୍ର ଟିକେଟ କାଉଣ୍ଟର ଟି ପଡ଼ିରହିଛି । ସେହିପରି ଅର୍ଣ୍ଣପୁର୍ଣ୍ଣା ଥିଏଟର ଓ କଳାଶ୍ରୀ ଥିଏଟର ବି ନିଜ ଅସ୍ତିତ୍ବ ବଜାଇ ରଖିବା ପାଇଁ ସଂଘର୍ଷ କରୁଛନ୍ତି । ଅର୍ଣ୍ଣପୁର୍ଣ୍ଣା ଥିଏଟର ରେ କିଛି କିଛି ନାଟକ ପରିବେଷଣ ବହୁ କଷ୍ଟରେ କରାଯାଉଥିବା ବେଳେ କଳାଶ୍ରୀ ଥିଏଟର ତା’ର ଅସ୍ତିତ୍ବ କୁ ହଜାଇବାକୁ ବସିଲାଣି । ନାଟକ ପ୍ରେମୀ, କଳାକାର ଓ ବୁଦ୍ଧିଜୀବୀ ମାନେ କୁହନ୍ତି ସରକାର ଏହି କଳାର ଜନ୍ମ ସ୍ଥାନ ପ୍ରସିଦ୍ଧ ରଙ୍ଗମଞ୍ଚ କୁ ବଞ୍ଚାଇ ରଖିବା ପାଇଁ ଆଗେଇ ଆସିବାର ସମୟ ଆସିଛି ।
ଆମ ସଂସ୍କୃତିର ସନ୍ତକ, ପୌରାଣିକ ବିଷୟ ବସ୍ତୁ ଉପରେ ଆଧାରିତ ନାଟକ ପ୍ରାୟତଃ ଆଉ ଦେଖିବାକୁ ମିଳୁନି । ଯାହାବି ପରିବେଶ ହେଉଛି ତାକୁ କିଛି ମାତ୍ରାରେ ବିକୃତ କରି ଦିଆଯାଉଛି। ଅତୀତର ମଞ୍ଚସ୍ତ ନାଟକ ଦେଖିବା ପାଇଁ ଆଉ ସେଭଳି ସୁବିଧା ସୁଯୋଗ ପାଇ ପାରୁ ନାହାନ୍ତି ଦର୍ଶକ।ଅତୀତରେ ନାଟକ ଦେଖି ବେଶ ଖୁସି ହେଉଥିଲେ ଦର୍ଶକ।ଏବେ ସାମାଜିକ ନାଟକ ପ୍ରତି କଳାକାର ଏବଂ ଦର୍ଶକଙ୍କ ଆଗ୍ରହ ବଢ଼ିଛି ସତ କିନ୍ତୁ ନାଟକୀୟ ମୌଳିକତା ଆଉ ଦେଖିବାକୁ ମିଳୁନି । ଆଧୁନିକତା ନାଁ’ ରେ ନାଟକରେ ଅତ୍ୟାଧୁନିକ ଛାପ ଦେଖିବାକୁ ମିଳୁଚି। ପୁଣି ସେଇ ପୁରୁଣା ଯୁଗ ମଞ୍ଚ ନାଟକ କୁ ମନ ପାକାଉଛନ୍ତି ଦର୍ଶକ।ଏବେ ଯଦି କେଉଁଠି ନାଟକ ମଞ୍ଚସ୍ତ ହେଉଛି ତାହାଲେ ଦର୍ଶକ ଏହାକୁ ଦେଖିବାକୁ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି।
ଜନତା ରଙ୍ଗମଞ୍ଚ ହେଉ ବା କଳାଶ୍ରୀ ଅପେକ୍ଷା କରିଛନ୍ତି ସରକାରଙ୍କ ର ପ୍ରୋତ୍ସାହନ ପାଇଁ । କେମିତି ସେମାନେ ଦର୍ଶକଙ୍କୁ ବସାଇ ଆଗଭଳି ଦେଖାଇବେ ଜୀବନ୍ତ ନାଟକ ।