Pratidin TV

Odisha's Digital News Platform

ବୁଡ଼ାଇଲା, ଭସାଇଲା, ୨୪ ଘଣ୍ଟାର ବର୍ଷା ୮୮ ବର୍ଷର ରେକର୍ଡ ଭାଙ୍ଗିଲା

1 min read

ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ମୌସୁମୀ ପହଞ୍ଚିବା ସହ ପ୍ରବଳ ବର୍ଷା ହୋଇଛି। ଜଳ ବିହୁନେ ସର୍ବନାଶ, ଜଳ ବହୁଳେ ସର୍ବନାଶ । ଯେଉଁ ଦିଲ୍ଲୀରେ ଗତକାଲି ପର୍ୟ୍ୟନ୍ତ ପାଣି ପାଇଁ ହାହାକାର ଦେଖାଦେଉଥିଲା ସେହି ଦିଲ୍ଲୀ ଏବେ ଭାସୁଛି | କିଛି ଘଣ୍ଟାର ଲଗାଣ ବର୍ଷାରେ ବେହାଲ ଦିଲ୍ଲୀରୁ ଆସିଛି ଆଶ୍ଚର୍ୟ୍ୟ, ଚିକିତ ତଥା ଚିନ୍ତାଜନକ ଦୃଶ୍ୟ । ଦୀର୍ଘ ୮ ଦଶନ୍ଧିର ରେକର୍ଡ ଭାଙ୍ଗିଛି ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା।

ମୌସୁମୀର ପ୍ରଥମ ବର୍ଷାରେ ବୁଡ଼ିଲା ଦିଲ୍ଲୀ | ରାଜଧାନୀ ରାସ୍ତାରେ ଚାଲିଲା ଡଙ୍ଗା | ନେତା, ଜନତାଙ୍କ ଘରେ ପଶିଲା ପାଣି | ହସ୍ପିଟାଲରେ ପାଣି ପଶିବା ଯୋଗୁଁ ବନ୍ଦ ହେଲା ଅପରେସନ | କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଛି ଦିଲ୍ଲୀ। ସାଂସଦ ଓ ମନ୍ତ୍ରୀଙ୍କ ଘରେ ପଶିଛି ପାଣି। ଲଗାଣ ବର୍ଷା ଯୋଗୁ ରାସ୍ତାରେ ପାଣି ସୁଅ ମାରିଛି। ଟ୍ରାଫିକ ଜାମ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। କେବଳ ତଳିଆ ଅଞ୍ଚଳ ନୁହେଁ, ଗୁରୁତ୍ୱପୂର୍ଣ୍ଣ ରାସ୍ତା ଗୁଡ଼ିକରେ ପାଣି ଜମି ରହିବାରୁ ସାଧାରଣ ଲୋକ ହନ୍ତସନ୍ତ ହୋଇଛନ୍ତି। ଏପିରିକି ଦିଲ୍ଲୀ ଜଳ ମନ୍ତ୍ରୀ ଆତୀଶିଙ୍କ ଘରେ ମଧ୍ୟ ପାଣି ପଶିଯାଇଥିବା ସୂଚନା ରହିଛି।

Advertisement

ଗତ ଦୁଇ ମାସ ଧରି ରାଜଧାନୀରେ ପ୍ରବଳ ଗରମରେ ଆଉଟୁ ପାଉଟୁ ହେଉଥିଲେ ଲକେ। ମୌସୁମୀ ପାଇଁ ତରସି ଯାଇଥିବା ଦିଲ୍ଲୀବାସୀଙ୍କୁ ତାତିରୁ ତ୍ରାହି ମିଳିଛି ସତ ହେଲେ ପ୍ରବଳ ବର୍ଷା ଯୋଗୁ ଅବସ୍ଥା ଆହୁରି ଖରାପ ହୋଇଯାଇଛି। ୨୪ ଘଣ୍ଟାରେ ଏତେ ପରିମାଣର ବର୍ଷା ହେବା ଦିଲ୍ଲୀର ୮୮ବର୍ଷର ରେକର୍ଡ ଭାଙ୍ଗିଛି। ୧୯୩୬ ଜୁନ୍‌ରେ ସର୍ବାଧିକ ୧୩୫.୫ ମିଲିମିଟର ବର୍ଷା ହୋଇଥିବାର ରେକର୍ଡ ରହିଥିଲା। ଗୁରୁବାର ବର୍ଷା​‌ ଯୋଗୁଁ ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଛି। ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଦିଲ୍ଲୀର ମାଲବ୍ୟ ନଗର, ସଂସଦ ଭବନ ରାସ୍ତା, ମିଣ୍ଟୋ ବ୍ରିଜ୍, ଲୋଧି ରୋଡ, ପାଲାମ, ପିତମପୁରା, ତୋଗଲାକାବାଦ, ମୟୂର ବିହାର ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଜଳ ନିଷ୍କାସନ ଲାଗି ବ୍ୟବସ୍ଥା କରାଯାଇ ନଥିବାରୁ ସାଧାରଣ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପିନ୍ଦର ଯାଦବ କହିଛନ୍ତି ଯେ ପ୍ଲାଷ୍ଟିକ୍ ବର୍ଜ୍ୟ ଯୋଗୁଁ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ସିଙ୍ଗଲ ଇଉଜ୍ ପ୍ଲାଷ୍ଟିକ ବର୍ଜ୍ୟ ନାଳ ନର୍ଦମାରେ ଜମି ରହି ପାଣି ଯିବା ବାଟ ବନ୍ଦ ହୋଇଯାଇଛି।

ଅନ୍ୟପକ୍ଷରେ ପ୍ରବଳ ବର୍ଷାରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରେ ୧ ନମ୍ବର ଟର୍ମିନାଲର ଛାତ ମଧ୍ୟ ଭୁଶୁଡି ପଡିଛି। ଏଥିରେ ୩ ଜଣ ପ୍ରାଣ ହରାଇଥିବାବେଳେ ୬ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *