Pratidin TV

Odisha's Digital News Platform

ରାଜ୍ୟ ସଭାରେ ଭାଜପା ସଦସ୍ୟ ସଂଖ୍ୟା ୮୬, ଏନଡିଏ ୧୦୧

ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୮୬କୁ ଖସିଛି। ସେହିପରି ବିଜେପି ନେତୃତ୍ୱାଧୀନ ଏନଡିଏର ଆସନ ସଂଖ୍ୟା ମଧ୍ୟ ୧୦୧ ହୋଇଯାଇଛି। ଶନିବାର ବିଜେପି ସହ ଥିବା ରାଜ୍ୟସଭାର ୪ ମନୋନୀତ ସଦସ୍ୟ ଅବସର ନେବା ପରେ ଉଚ୍ଚ ସଦନର ଗଣିତ ବଦଳିଛି। ବର୍ତ୍ତମାନ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ୨୨୬ ଥିବା ବେଳେ ୧୯ଟି ଆସନ ଫାଙ୍କା ରହିଛି। ରାଜ୍ୟସଭାରେ ବିଜେପିର ସଭ୍ୟସଂଖ୍ୟା ୯୦ ତଳକୁ ଖସି ଆସିଛି।

ତେବେ ଆଉ କିଛି ସପ୍ତାହ ମଧ୍ୟରେ ଖାଲି ପଡ଼ିଥିବା ଆସନରେ ନିର୍ବାଚନ ହେଲେ ବିଜେପି ପୁଣି ଏହାର ପୂର୍ବ ସ୍ଥିତିକୁ ଫେରି ଆସିବ। ନିର୍ବାଚନରେ ବିଜେପି ଅତିକମ୍‌ରେ ୮ଟି ଆସନ ଜିତିବ ବୋଲି କୁହାଯାଉଛି। । ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭ‌ାରେ ୧୯ଟି ଆସନ ଖାଲି ପଡ଼ିଥିବାରୁ ଏବେ ମୋଟ୍ ସଭ୍ୟସଂଖ୍ୟା ୨୨୬ ରହିଛି। ବିଲ୍ ଅନୁମୋଦନ ପାଇଁ ୧୧୪ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ୧୦୧ ଜଣ ସଭ୍ୟ ଅଛନ୍ତି। ଆବଶ୍ୟକ ଠାରୁ ୧୩ ଜଣ କମ୍ ସଭ୍ୟ ଥିଲେ ମଧ୍ୟ ମୋଦୀ ସରକାରଙ୍କୁ ବିଶେଷ ଅସୁବିଧା ହେବାର ନାହିଁ। କାରଣ ଆହୁରି ୭ ଜଣ ମନୋନୀତ ସଭ୍ୟ ଅଛନ୍ତି, ଯେଉଁମାନେ କି ସରକାରକୁ ସମର୍ଥନ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଜଣେ ସ୍ବାଧୀନ ସଭ୍ୟ ମଧ୍ୟ ଏନ୍‌ଡିଏକୁ ସମର୍ଥନ ଦେଉଛନ୍ତି। ଆଉ ୫ ଜଣଙ୍କ ସମର୍ଥନ ଦରକାର ଥିବ‌ା ବେଳେ ଜଗନ‌ ମୋହନ ରେଡ୍ଡୀଙ୍କ ପାର୍ଟିର ୧୧ ଜଣ ସଭ୍ୟ ମୋଦୀ ସରକାରକୁ ପୂର୍ବଭଳି ସହଯୋଗ କରିବାର ସମ୍ଭାବନା ରହିଛି। ତେଣୁ ରାଜ୍ୟସଭାରେ‌ ଏବେ କୌଣସି ବିଲ୍ ଆସି‌‌ଲେ, ଏହାକୁ ଅନୁମୋଦନ କରାଇବାରେ ବିଶେଷ ଅସୁବିଧା ହେବାର ନାହିଁ।

ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ବ୍ଲକ୍‌ର ରାଜ୍ୟ ସଭା ସଦସ୍ୟ ସଂଖ୍ୟା ୮୭ ରହିଛି। ସେଥିରୁ କଂଗ୍ରେସର ୨୬ ଏମ୍‌ପି ରହିଥିବାବେଳେ ତୃଣମୂଳ କଂଗ୍ରେସର ୧୩, ଆମ୍‌ ଆଦ୍‌ମୀ ପାର୍ଟି ଏବଂ ଡିଏମ୍‌କେର ୧୦ ଜଣ ଲେଖାଏ ଏମ୍‌ପି ରହିଛନ୍ତି। ସେହିପରି ରାଜ୍ୟ ସଭାରେ ବିଜେଡିର ୯ ସଦସ୍ୟ ରହିଛନ୍ତି।

Leave a Reply

Your email address will not be published. Required fields are marked *