କାନ୍ଦୁଛି ମାଆ, ଝୁରୁଛି ଜନ୍ମମାଟି… ସରିଲା ମେଜର ନୀଳମଣିଙ୍କର ଶେଷକୃତ୍ୟ..
1 min readଜନ୍ମ ମାଟିରେ ପହଁଚିଲା ମେଜର୍ ନୀଳମଣି ନାୟକଙ୍କ ମରଶରୀର । ଗାଁରେ ପହଞ୍ଚିବା ଅପରାହ୍ନରେ ତାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ରେ ଶେଷକ୍ରୁତ୍ୟ କରାଯାଇଛି । ସୁବେଦାର ମେଜର୍ ନୀଳମଣି ନାୟକଙ୍କ ମରଶରୀର ଆଜି ଗାଁରେ ପହଞ୍ଚିବା ପରେ ଅପରାହ୍ନରେ ତାଙ୍କର ଶେଷକ୍ରୁତ୍ୟ କରାଯାଇଛି । ଆଜି ସକାଳେ କଟକ ମଙ୍ଗୁଳି ନିକଟ ଦେଉଁଳଚୁଆଁ ଗାଁରେ ତାଙ୍କର ମରଶରୀର ପହଞ୍ଚିବା ପରେ ଗାଁ ମୁଣ୍ଡରୁ ଶୋଭାଯାତ୍ରାରେ ତାଙ୍କ ଘରକୁ ନିଆଯାଇଥିଲା। ମରଶରୀର ଘର ନିକଟରେ ପହଞ୍ଚିବା ପରେ ସ୍ରୁଷ୍ଟି ହୋଇଥିଲା ଶୋକାକୁଳ ପରିବେଶ। ତାଙ୍କ ସଂପର୍କୀୟଙ୍କଠୁ ଆରମ୍ଭ କରି ସାହି ପଡିଶା ସମସ୍ତେ କୋହ ସମ୍ଭାଳି ପାରିନଥିଲେ। କାନ୍ଦବୋବାଳିରେ ଫାଟି ପଡିଥିଲା ସାରା ଅଞ୍ଚଳ। ଏହା ପରେ ତାଙ୍କୁ ଦିଆଯାଇଥିଲା ତୋପ ସଲାମୀ ।
ପରେ ତାଙ୍କ ଛୋଟ ଝିଅ ଏବଂ ସ୍ଥାନୀୟ ବିଧାୟକ ତାଙ୍କ ମରଶରୀରରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପରେ ତାଙ୍କ ଘରୁ କୋକେଇରେ ନିଆଯାଇ ଦେଉଳଚୁଆଁ ଗାଁ ଶ୍ମଶାନକୁ ନିଆ ଯାଇଥିଲା ।ସେଠାରେ ତାଙ୍କ ପୁଅ ମୁଖାଗ୍ନି ଦେବା ପରେ ଶେଷକ୍ରୁତ୍ୟ ସମ୍ପନ୍ନ ହୋଇଛି। ଚୌଦ୍ଵାର ଥାନା ହରିଅନ୍ତା ପଞ୍ଚାୟତ ଦେଉଳଚୁଆ ଗାଁର ନୀଳମଣି ନାୟକ(୫୨) ସୁବେଦାର ମେଜର ଭାବେ ପଞ୍ଜାବର ପଠାଣକୋଟରେ କାର୍ଯ୍ୟ କରୁଥିଲେ। କିଛି ଦିନ ତଳେ ତାଙ୍କୁ ଜ୍ବର ହେବାରୁ ସ୍ଥାନୀୟ ଆର୍ମୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ନିଳମଣୀ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଏହା ପରେ ତାଙ୍କୁ ଜଳନ୍ଧର ସ୍ଥିତ ଆର୍ମୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଚଣ୍ଡିଗଡ ସ୍ଥିତ ସରକାରୀ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା।
ମରଶରୀର ଭୂବନେଶ୍ୱର ପହଞ୍ଚିବା ପରେ ସେଠାରୁ ସ୍ଥଳସେନାର ଏକ ସ୍ବତନ୍ତ୍ର ଗାଡ଼ି ଦ୍ବାରା ତାଙ୍କ ଗାଁ ଦେଉଳଚୁଆକୁ ଅଣାଯାଇଥିଲା। ନୀଳମଣି ୧୯୯୨ ମସିହାରେ ସ୍ଥଳ ସେନାରେ ଯୋଗ ଦେଇଥିଲେ। ସେ କାରଗିଲ ଯୁଦ୍ଧ ଏବଂ ସଂସଦ ଆକ୍ରମଣ ପରେ ହୋଇଥିବା ଅପରେଶନ ରେ ନିଜର ପରାକ୍ରମ ଦେଖାଇଥିଲେ । କେହି ସହଜରେ ନୀଳମଣିଙ୍କ ଦେହାନ୍ତ କୁ ଗ୍ରହଣ କରିପାରୁ ନାହାନ୍ତି । ନୀଳମଣିଙ୍କ ଦେହାନ୍ତ ପରେ ଝୁରୁଛି ଜନ୍ମମାଟି। ଝୁରୁଛନ୍ତି ଗାଁ ଲୋକେ।