ମାଆ ର ମମତା ଆଗରେ ହାର ମାନିଲା ଭୂସ୍ଖଳନ , ୪ ଦିନ ପରେ ଜୀବନ୍ତ ଉଦ୍ଧାର ହେଲା ୪୦ ଦିନର ଶିଶୁ ..
1 min readମାଆ…ଏ ଡାକ ସଂସାରରେ ବୋଧହୁଏ ସବୁଠାରୁ ପବିତ୍ର । ପ୍ରତିଟି ପିଲା ଲାଗି ସେମାନଙ୍କ ମାଆ ସାକ୍ଷାତ୍ ଭଗବାନ । ସେଇଥି ଲାଗି ତ କୁହାଯାଏ ମାଆ ପଣତ ଶ୍ରୀମନ୍ଦିର ନେତ । ପତିତପାବନ ବାନା ଯେତିକି ପବିତ୍ର ମାଆର ପଣତ ବି ସେତିକି ପବିତ୍ର । ଛୁଆ ଉପରେ ଯଦି କୌଣସି ବିପଦ ଆସିବାର ଟିକିଏ ବି ସୁରାଗ୍ ପାଏ ସାଙ୍ଗେ ସାଙ୍ଗେ ନିଜ ଜୀବନକୁ ବାଜିରେ ଲଗାଇ ପିଲାର ଜୀବନ ରକ୍ଷା କରେ ମାଆ । ଠିକ୍ ସେମିତି ଏକ ଘଟଣା ଘଟିଛି । ଯାହାକୁ ଦେଖିବା ପରେ ଆପଣ ବି କହିବେ, ମାଆ ଥିଲେ ଡର କାହାକୁ?
କେରଳର ଓ୍ବାୟନାଡର ଭୂସ୍ଖଳନ ରେ ଏକ ଅଲୌକିକ ଘଟଣା ସାମ୍ନାକୁ ଆସିଛି । ଭୂସ୍ଖଳନ ର ୪ ଦିନ ପରେ ଜୀବନ୍ତ ଉଦ୍ଧାର ହୋଇଛି ଏକ ୪୦ ଦିନର ଶିଶୁ ଅନାରା। ଉଦ୍ଧାରକାରୀ ଦଳ ଏକ ଭଗ୍ନ କୋଠାରୁ ଏହି ଶିଶୁ ସହିତ ତା’ର ମା’ ତଞ୍ଜୀରାଙ୍କୁ ଉଦ୍ଧାର କରିଛନ୍ତି। ପ୍ରବଳ ସ୍ରୋତ ସତ୍ବେ ତଞ୍ଜୀରା ନିଜର ନବଜାତକକୁ କୋଳରେ ଜୋରରେ ଜାବୁଡ଼ି ଧରି ରଖିବା ଫଳରେ ଉଭୟଙ୍କ ଜୀବନ ବଞ୍ଚିବା ସମ୍ଭବ ହୋଇଛି। ମା’ର ମମତା ଏବଂ ସନ୍ତାନକୁ ରକ୍ଷା କରିବାର ଜିଦ୍ ଆଗରେ ମୃତ୍ୟୁ ପଛଘୁଞ୍ଚା ଦେଇଛି ବୋଲି ଉଦ୍ଧାରକାରୀ ଦଳ ମତ ଦେଇଛନ୍ତି। ତେବେ ଏହି ଦୁଃଖଦ ଘଟଣାରେ ତଞ୍ଜୀରା ତାଙ୍କ ମା’ ଅମୀନା ଏବଂ ଜେଜେ ମା’ ପଥୁମ୍ମାଙ୍କୁ ହରାଇଛନ୍ତି। ସେହିପରି ଉଦ୍ଧାରକାରୀ ଦଳ ଭୂସ୍ଖଳନ ସ୍ଥଳରୁ ଅନ୍ୟ ଏକ ୬ ବର୍ଷର ଶିଶୁ ମହମ୍ମଦ ହାୟାନକୁ ମଧ୍ୟ ଉଦ୍ଧାର କରିଛନ୍ତି। ହାୟାନ ପାଣିରେ ଘରଠାରୁ ୧୦୦ ମିଟର ପର୍ଯ୍ୟନ୍ତ ଭାସିଯାଇଥିଲେ। ଏକ କୁଅରେ ଲାଗିଥିବା ତାରକୁ ସେ ଜାବୁଡ଼ି ଧରି ନିଜର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। ଏହି ଦୁଇଟି ଘଟଣା କୌଣସି ଅଲୌକିକ ଘଟଣାଠାରୁ କମ ନୁହେଁ ବୋଲି କୁହାଯାଉଛି। ତେବେ ହାୟାନଙ୍କ ପରିବାର ସମ୍ପର୍କରେ କିଛି ସୂଚନା ମିଳିପାରି ନାହିଁ। ସୂଚନାଯୋଗ୍ୟ, ଭୂସ୍ଖଳନ ପରେ ୮ ହଜାର ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇସାରିଛି। ସତରେ ଏହି ଘଟଣା ପରେ ଆପଣ ବି ବୁଝି ପାରିବେ ପିଲାର ଜୀବନ ବଞ୍ଚାଇବାକୁ ମାଆ କିଛି ବି କରି ପାରିବ ।