୫୨ ହଜାର ଆସିଲା ବିଦ୍ୟୁତ୍ ବିଲ୍ ; ଚିନ୍ତାରେ ପରିବାର , ବସିଲେ ଧାରଣାରେ ।
1 min readଚିନ୍ତାରେ ପରିବାର , ବିଦ୍ୟୁତ୍ ବିଲ୍ ଆସିଛି ୫୨ ହଜାର ଟଙ୍କା । ପରିବାର ୧୫ ଦିନ ଭିତରେ ଟଙ୍କା ଭରିବାକୁ ଟିପି ଏସଓଡିଏଲକୁ ସମୟ ମାଗିବା ପରେବି ମାତ୍ର ୩ ଦିନରେ ଘରୁ କାଟିଦେଲେ ବିଦ୍ୟୁତ୍ । ଶେଷରେ କିଛି ଉପାୟ ନପାଇ ଟିପି ଏସଓଡିଏଲ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ପିଲାଛୁଆଙ୍କୁ ଧରି ଧାରଣାରେ ବସିଛନ୍ତି ହିତାଧିକାରୀ । ଏଭଳି ହୋସ୍ ଉଡାଇଲା ଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ ।
ମାଲକାନଗିରି ସଦର ମେଡିକାଲ କଲୋନୀର ବାସିନ୍ଦା ଚକ୍ରଧର ସୁନାନି । ୫ ବର୍ଷ ପୂର୍ବରୁ ବିପିଏଲ ହିତାଧିକାରୀ ହିସାବରେ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । କିନ୍ତୁ ମାସକୁ ମାସ ବିଲ ଆସିନଥିଲା । ଏନେଇ ଚକ୍ରଧର ଯାଇ ଦାୟିତ୍ୱରେ ଥିବା ଇଞ୍ଜିନିୟରଙ୍କୁ କହିଥିଲେ ।
କିନ୍ତୁ ତାଙ୍କ କଥାକୁ ଅଣଦେଖା କରାଯାଇଥିଲା । ଏଭଳି ପାଖାପାଖି ୫ ବର୍ଷ ଚାଲିଯାଇଥିଲା । ଶେଷର ଅନୁରୋଧ କରିବା ପରେ ତାଙ୍କୁ ଆଧାର କାର୍ଡ କପି ଦାଖଲ କରିବାକୁ କୁହାଯାଇଥିଲା । ଯେତେବେଳେ ବିଲ୍ ଆସିଲା ସେତେବେଳେ ଚକ୍ରଧର ଓ ତାଙ୍କ ପତ୍ନୀଙ୍କ ହୋସ୍ ଉଡିିଯାଇଥିଲା । ଏକାଥରେ ବିଦ୍ୟୁତ ବିଲ ଆସିଥିଲା ୫୨ ହଜାର ଟଙ୍କା । ହେଲେ ଏତେ ଟଙ୍କା ଆଣିବେ କେଉଁଠୁ ? ଅନ୍ୟପଟେ ବିଦ୍ୟୁତ୍ ବିଭାଗ ଏହି ଘଟଣାର ୩ ଦିନ ଭିତରେ ଯାଇ ଚକ୍ରଧରଙ୍କ ଘରୁ ବିଦ୍ୟୁତ୍ ସଂଯୋଗ କାଟିଦେଇଥିଲା ।