Pratidin TV

Odisha's Digital News Platform

ପାରା ବ୍ୟାଡମିଣ୍ଟନ୍ ଖେଳାଳି ପ୍ରମୋଦ ଭଗତଙ୍କୁ ୧୮ ମାସ ପରେ ମୁହଁ ଖୋଲିଲେ

1 min read

ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ଝଟକା । ବିଶ୍ବ ବ୍ୟାଡମିଣ୍ଟନ ଫେଡରେସନ ପ୍ରମୋଦଙ୍କୁ ଡୋପିଂ ସମ୍ବନ୍ଧୀୟ ନିୟମ ଉଲ୍ଲଙ୍ଘନ ମାମଲାରେ ନିଲମ୍ବନ କରିଛି । ୧୮ ମାସ ପର୍ଯ୍ୟନ୍ତ ଖେଳି ପାରିବେନି ପ୍ରମୋଦ । ପ୍ୟାରିସ ପାରାଅଲିମ୍ପିକ୍ସ ଆଉ ଖେଳି ପାରିବେନି ପ୍ରମୋଦ । ପ୍ୟାରିସରେ ଆଗାମୀ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ଖେଳାଯିବ ପାରାଅଲିମ୍ପିକ୍ସ । ତେବେ ନିଲମ୍ବିତ ପରେ ପ୍ରଥମ ଥର ମୁହଁ ଖୋଲିଲେ ପ୍ରମୋଦ ଭଗତ | ଏକ ଭିଡିଓ ବାର୍ତ୍ତାରେ ସେ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଗୋଟିଏ ଛୋଟ ବୈଷୟିକ ତ୍ରୁଟି ପାଇଁ ବିଡବ୍ଲ୍ୟୁଏଫ୍‌ ଏତେ କଠୋର ହେବ ବୋଲି କେବେ ଭାବି ନଥିଲେ ବୋଲି ସେ କହିଛନ୍ତି।

‘ହୋୟାରଏବାଉଟ୍‌ସ’ ପାଇଁ ଏକ ଆପ୍‌ ଥାଏ। ପ୍ରତି ତିନି ମାସରେ ସେଥିରେ ଆମର ବିବରଣୀ ଦେବାକୁ ପଡ଼ିଥାଏ। ସେଥିରେ ଜାନୁଆରି ୨୦୨୩ର ପ୍ରଥମ କ୍ବାର୍ଟରରେ ମୋ ତଥ୍ୟ ଦାଖଲ କରିଥିଲି। ଦାଖଲ ହେବା ପରେ ସବୁଜ ସଙ୍କେତ ମଧ୍ୟ ଦେଖାଇଥିଲା। ହେଲେ ହଠାତ୍‌ ଜାନୁଆରି ୩ ତାରିଖରେ ଫାଇଣ୍ଡିଂ ଫେଲ୍‌ ହୋଇଯାଇଥିବା ନୋଟିଫିକେସନ୍‌ ଆସିଲା। ଏହାକୁ ତୃତୀୟ ହୋ‌ୟାରଏବାଉଟ୍‌ ଫାଉଲ୍‌ ନେବୁ ବୋଲି ସେଥିରେ ଲେଖାଯାଇଥିଲା। ବିଡବ୍‌ଲ୍ୟୁଏଫ୍‌କୁ ରେକର୍ଡ ଦିଆଯିବା ପରେ ପୂର୍ବ ନୋଟିସ୍‌କୁ ଖାରଜ କରିଦିଆଯାଇଥିଲା। କେବଳ ସେତିକି ନୁହେଁ, ୩୦ ଡିସେମ୍ବରରୁ ଜାନୁଆରି ୩ ତାରିଖ ମଧ୍ୟରେ ଯାହା କିଛି ପ୍ରମାଣ ଅଛି ସେସବୁ ମଗାଯାଇଥିଲା। ସବୁ ପ୍ରମାଣ ଆମେ ଦେଇଥିଲୁ। କିନ୍ତୁ ‌ଦେଢ଼ ବର୍ଷ ପରେ ଏବେ ପ୍ୟାରିସ୍‌ ଅଲିମ୍ପିକ୍ସକୁ ଆଉ ଅଳ୍ପ ସମୟ ବାକି ଥିଲା ବେଳେ ମୋତେ ନିଲମ୍ବନ କରିବା ନିର୍ଦ୍ଦେଶ ଆସିବା କଷ୍ଟ ଦେଉଛି। ଏକ ସଫ୍ଟୱେର ଇସ୍ୟୁ ପାଇଁ ମୋ‌ତେ ଆଘାତ ମିଳିଛି। ତଥାପି ଏଥିପାଇଁ ଆପଣଙ୍କୁ ମଧ୍ୟ କ୍ଷମା ମାଗୁଛି। ଆପଣ ମୋତେ ସହଯୋଗ କରନ୍ତୁ। ମୋ ଉପରେ ସମସ୍ତଙ୍କ ଆସ୍ଥା ଲଢ଼ିବା ପାଇଁ ଶକ୍ତି ଯୋଗାଇବ। ଏବେ ଲିଗାଲ୍‌ ଟିମ୍‌ ସହିତ ଆଲୋଚନା ଚାଲିଛି। ମୋତେ ନ୍ୟାୟ ମିଳିବ ବୋଲି ଆଶା ଅଛି। ଏଥିରୁ ମୁକୁଳିବା ପରେ ଆଗକୁ ଆସିବି ଏବଂ ଦେଶପାଇଁ ପୁଣି ଥରେ ସୁନାମ ଆଣିବି ବୋଲି ପ୍ରମୋଦ କହିଛନ୍ତି।

Advertisement

ପ୍ରମୋଦ ଭଗତ ଗତ ୧୨ ମାସ ମଧ୍ୟରେ ୩ ଥର ଡୋପିଂ ପରୀକ୍ଷାରେ ବିଫଳ ହୋଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଅଫ୍ ସ୍ପୋର୍ଟ (ସିଏଏସ୍‌) ତାଙ୍କୁ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରମୋଦ ଭଗତ ଏହି ରାୟ ଉପରେ ପୁନର୍ବିଚାର କରିବା ପାଇଁ ସିଏଏସ୍‌ ଅପିଲ୍ ଡିଭିଜନରେ ଆବେଦନ କରିଥିଲେ। ତେବେ ଜୁଲାଇ ୨୯ ତାରିଖରେ ତାଙ୍କ ଆବେଦନକୁ ଖାରଜ କରାଯାଇଥିଲା।

ଅଗଷ୍ଟ ୧୧ ତାରିଖରେ ପ୍ୟାରିସରେ ଅଲିମ୍ପିକ୍ସ ଶେ‌‌ଷ ହୋଇଛି। ଏବେ ସେଠାରେ ପାରା ଅଲିମ୍ପିକ୍ସ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ। ତେବେ ପ୍ରମୋଦ ଭଗତଙ୍କ ବିରୋଧରେ ଆସିଥିବା ଏହି ରାୟ ଭାରତୀୟ କ୍ରୀଡ଼ା ପ୍ରେମୀଙ୍କୁ ଝଟକା ଦେଇଛି। ପ୍ରମୋଦ ଭଗତ ଜଣେ ଏସଏଲ୍ ୩ ବର୍ଗର ପାରା ବ୍ୟାଡମିଣ୍ଟନ୍ ଖେଳାଳି। ସେ ୨୦୨୧ରେ ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *