Pratidin TV

Odisha's Digital News Platform

ମିଳୁନି ମୂଳଧନ : କୋବି ଗୋଟାକୁ ୨ ଟଙ୍କା , ନବିକି ଏପରି ନଷ୍ଟ କରିଦେଲେ ଚାଷୀ…

1 min read

ବରଗଡ : ନିଜ ବର୍ଷ ବର୍ଷର ପରିଶ୍ରମରେ ପାଣି ଫେରିଦେଇଛନ୍ତି ନିଜେ ଚାଷୀ । ରାଗରେ ନିଜର ଏକର ଏକର ଜମିରେ ହୋଇଥିବା କୋବି ଫସଲ ଉପରେ ଟ୍ରାକ୍ଟର ଚଢାଇଦେଇଛନ୍ତି ଚାଷୀ । କୋବିର ଏପରି ଅଭାବୀ ବିକ୍ରି ଯୋଗୁ ଚାଷୀମାନେ ଏପରି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଏଭଳି ଏକ ଦୃଶ୍ୟ ସୋମବାର ବରଗଡ ଜିଲ୍ଲା ସଦର ବ୍ଲକ ଗଂଝିଆଟିକ୍ରା ଗାଁରୁ ଆସିଛି ।ଏନେଇ ଚାଷୀ ଗୋପାଳ ପ୍ରଧାନ କହିଛନ୍ତି, କୋବି ରଖିବାକୁ ଶୀତଳ ଭଣ୍ଡାର ନାହିଁ। କୋବିର ଉପଯୁକ୍ତ ଦର ବି ମିଳୁନି। ବ୍ୟବସାୟୀମାନେ କୋବି ଗୋଟା ପ୍ରତି ୧ରୁ ୨ ଟଙ୍କାରେ ମୂଲ୍ୟରେ ଦେବାକୁ କହୁଛନ୍ତି। ବାହାର ରାଜ୍ୟରୁ ପ୍ରଚୁର ପରିମାଣରେ କୋବି ଟ୍ରକ୍ରେ ବରଗଡ଼ ଓ ବଲାଙ୍ଗିରକୁ ଆସୁଛି। ବ୍ୟବସାୟୀମାନେ ଏହା ଦର୍ଶାଇ ଏକପ୍ରକାର ସ୍ଥାନୀୟ ଚାଷୀଙ୍କ ଠାରୁ କମ୍ ମୂଲ୍ୟରେ ଫସଲ କିଣିବାକୁ ବାଧ୍ୟ କରୁଛନ୍ତି। ସରକାର ଚୁପ୍ ବସିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପନିପରିବାର ଏମ୍ଏସ୍ପି ଦାମ ସରକାର ସ୍ଥିର କରୁନାହାନ୍ତି। ତେଣୁ ଚାଷୀ ରାଗରେ କୋବି ଫସଲରେ ଟ୍ରାକ୍ଟର ଚଢ଼ାଇ ଦେଇଛନ୍ତି। ବହୁ କଷ୍ଟରେ ପାଣି ମଡ଼ାଇ ଖତ ସାର ଦେଇ ଚାଷ କରିଥିଲେ ବି ଅଣଧାନ ଫସଲରୁ ଚାଷୀଙ୍କର ମୂଳଧନ ଉଠୁନି।

Advertisement

ଚାଷୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି, ଦୀର୍ଘ ଦିନ ଧରି ବରଗଡ଼ରେ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଚାଷୀମାନେ ଦାବି କରି ଆସୁଥିଲେ ବି ଆଜି ପଯ୍ୟନ୍ତ ତାହା ପୂରଣ ହୋଇ ପାରୁନି। ଖାଲି ସେତିକି ନୁହେଁ, ଧାନର ଯେମିତି ସର୍ବନିମ୍ନ ସହାୟକ ମୂଲ୍ୟ ଅଛି, ସେମିତି ପନିପରିବାର ମଧ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଉ। ନଚେତ୍ ଚାଷୀ ଆଉ ଫସଲ କରିବେନି।
ଜିଲ୍ଲା କୃଷି ଅଧିକାରୀ ଅଶୋକ କୁମାର ଅମାତ କହିଛନ୍ତି, ଚଳିତ ବର୍ଷ ପାଗ ଭଲ ଥିବାରୁ ଧାନ ଓ ଅଣଧାନ ପ୍ରଚୁର ପରିମାଣରେ ଅମଳ ହୋଇଛି। ଶୀତଳ ଭଣ୍ଡାର ଅଭାବ ଯୋଗୁଁ ପନିପରିବାର ଉଚିତ୍ ମୂଲ୍ୟ ଚାଷୀ ପାଉ ନାହାନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟଗୋ ଯୋଜନାରେ ଚାଷୀମାନେ ଶୀତଳ ଭଣ୍ଡାର କରିପାରିବେ। ତେବେ ଏହା ଖର୍ଚ୍ଚ ବହୁଳ ହୋଇଥିବାରୁ ଚାଷୀ ପଛ ଘୁଞ୍ଚା ଦିଅନ୍ତି। ତଥାପି କିଛି ହିତାଧିକାରୀଙ୍କୁ ଏକାଠି କରି ଶୀତଳଭଣ୍ଡାର କରିବାକୁ ପ୍ରୟାସ କରାଯିବ। ଏହାଛଡ଼ା ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଚାଷୀମାନେ ଅନ୍ୟ ଋତୁରେ ପନିପରିବା ଅମଳ କରିବାକୁ ଆଗ୍ରହ ଦେଖାଇଲେ ମଧ୍ୟ ଲାଭବାନ ହୋଇପାରିବେ।

Leave a Reply

Your email address will not be published. Required fields are marked *