କେ କବିତାଙ୍କ ବିଷୟରେ ବିବାଦୀୟ ବୟାନ ଦେଇ କ୍ଷମା ମାଗିଲେ ରେବନ୍ତ ରେଡ୍ଡୀ …
1 min readଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ କବିତାଙ୍କୁ ଜାମିନ ମିଳିବ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଦେଇଥିବା ବୟାନକୁ ନେଇ ସେ ଏବେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଛନ୍ତି ଏପରି ବୟାନ ପାଇଁ ମୁଁ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରୁଛି । ସୂଚନାଯୋଗ୍ୟ, ରେବନ୍ତ ରେଡ୍ଡୀ କବିତାଙ୍କୁ ସୁପ୍ରିମ୍ କୋର୍ଟରୁ ଜାମିନ ମିଳିବା ନେଇ ପ୍ରଶ୍ନ ଉଠାଇ କହିଥିଲେ- ‘ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଜାମିନ ମିଳିବା ପାଇଁ ୧୫ ମାସ ସମୟ ଲାଗିଥିଲା ଏବଂ ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଜାମିନ ପାଇଁ ଅପେକ୍ଷା କରିଛନ୍ତି। ତଥାପି କବିତା ମାତ୍ର ୫ ମାସ ମଧ୍ୟରେ ଜାମିନ ପାଇବାରେ କିଭଳି ସକ୍ଷମ ହେଲେ?’ ସର୍ବୋଚ୍ଚ ଅଦାଲତ ଜାମିନ ଦେବା ପଛରେ ବିଜେପିର ଯୋଜନାବଦ୍ଧ ରଣନୀତି ଅଛି ବୋଲି ମଧ୍ୟ କହିବାକୁ ରେଡ୍ଡୀ ପଛାଇନଥିଲେ। ଜଷ୍ଟିସ୍ ବିଆର୍ ଗବାଇ, ଜଷ୍ଟିସ୍ କେଭି ବିଶ୍ୱନାଥନ୍ ଓ ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରେଡ୍ଡୀଙ୍କ ମନ୍ତବ୍ୟକୁ ନେଇ ତୀବ୍ର ଆପତ୍ତି ଉଠାଇଥିଲେ । ଜଣେ ମୁଖ୍ୟମନ୍ତ୍ରୀ ଏଭଳି ବୟାନ କେମିତି ଦେଇପାରିବେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।
ଜଷ୍ଟିସ ଗବାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଏବଂ ସିଦ୍ଧାର୍ଥ ଲୁଥ୍ରାଙ୍କୁ ତାଙ୍କ ମନ୍ତବ୍ୟ ବାବଦରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମକୋର୍ଟ କହିଥିଲ, “ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଏପରି ମନ୍ତବ୍ୟ ଦେବା ଉଚିତ୍ କି? ରାଜନୈତିକ ଉଦ୍ଦେଶ୍ୟରେ ଆମେ ନିର୍ଦ୍ଦେଶନାମା ଜାରି କରୁଛୁ ବୋଲି ଜଣେ କିପରି କହିପାରୁଛନ୍ତି?” କେହି ଆମକୁ ସମାଲୋଚନା କଲେ, ଆମର କିଛି ଫରକ ପଡ଼ିବନି। ଆମେ ଆମର କର୍ତ୍ତବ୍ୟ ଅନ୍ତରଆତ୍ମାକୁ ଶୁଣି କରୁଛୁ। ନ୍ୟାୟପାଳିକା ଏବଂ ରାଜନେତାଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ରହିବା ଉଚିତ୍ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ। ଭୋଟ୍ ପାଇଁ ନୋଟ୍ କାରବାର ଉପରେ ଶୁଣାଣି ସମୟରେ ଏପରି କହିଥିଲେ ସୁପ୍ରିମକୋର୍ଟ। ଏହି ମାମଲାରେ ରେଭନ୍ଥ ରେଡ୍ଡୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଥିଲେ, “ଯଦି ଆପଣ ଆମକୁ ସମ୍ମାନ କରିବେନି, ତେବେ ଆମେ ଆପଣଙ୍କ ମାମଲାକୁ ଅନ୍ୟତ୍ର ପଠାଇ ଦେବୁ।” ସୁପ୍ରିମକୋର୍ଟଙ୍କ ଏହି ତାଗିଦ ପରେ ଆତ୍ମସମୀକ୍ଷା କରି କ୍ଷମା ପ୍ରାର୍ଥନା କରିଛନ୍ତି ରେଭନ୍ଥ ରେଡ୍ଡୀ। ସେ ତାଙ୍କ ମନ୍ତବ୍ୟକୁ ନେଇ ଦୁଃଖିତ ଏବଂ ବିନା ସର୍ତ୍ତରେ କ୍ଷମା ମାଗୁଛନ୍ତି ବୋଲି କହିଛନ୍ତି।