ଭୁଲ କରିଦେଲା ନାସା ! ବିପଦରେ ସୁନିତା ଓ ବୁଚ୍ ୱିଲମୋରଙ୍କ ଜୀବନ …
1 min readଜୁନ୍ ୫ରେ ମହାକାଶକୁ ଯାଇଥିବା ଆମେରିକାର ଦୁଇ ମହାକାଶଚାରୀ ଏବେ ଆନ୍ତର୍ଜାତିକ ସ୍ପେଶ ଷ୍ଟେସନ(ଆଇଏସ୍ଏସ୍)ରେ ଫସି ରହିଛନ୍ତି। ସେମାନଙ୍କ ପୃଥିବୀକୁ ଫେରିବା ନେଇ ବେଳକୁ ବେଳ ଅନିଶ୍ଚିତତା ବଢିବାରେ ଲାଗିଛି। ମାତ୍ର ୮ ଦିନ ପାଇଁ ମହାକାଶ ଯାତ୍ରାରେ ଯାଇଥିବା ଏହି ଦୁଇ ମହାକାଶଚାରୀ ୮୬ ଦିନ ହେଲା ସମୟ ଆନ୍ତର୍ଜାତିକ ସ୍ପେଶ ଷ୍ଟେସନରେ ବିତାଇ ସାରିଛନ୍ତି। ତେବେ ସେମାନଙ୍କୁ ପୃଥିବୀ ପୃଷ୍ଠକୁ ଫେରିବା ଲାଗି ଆହୁରି ଅନେକ ସମୟ ଲାଗିବ ବୋଲି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି। ଆମେରିକା ମହାକାଶ ଏଜେନ୍ସି ନାସାର ଭୁଲ୍ ନିଷ୍ପତ୍ତି ପାଇଁ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଙ୍କ ଜୀବନ ବିପଦରେ ପଡିଛି । ଏହାକୁ ନେଇ ସମଗ୍ର ବିଶ୍ବରେ ଚିନ୍ତା ପ୍ରକାଶ ପାଇଛି। ସୁନିତା ଏବଂ ୱିଲମୋର ଯେଉଁ ଷ୍ଟାରଲାଇନର ମହାକାଶଯାନରେ ଆଇଏସଏସକୁ ଯାଇଥିଲେ ସେଥିରେ ଅନେକ ସମସ୍ୟା ଥିଲା। ଏଥିପାଇଁ ଏହାର ଉତ୍କ୍ଷେପଣକୁ ଅନେକ ଥର ସ୍ଥଗିତ ରଖା ଯାଇଥିଲା।
ଏହା ସତ୍ତ୍ବେ ତାର ମରାମତି କରାଯାଇ ଜୁନ୍ ୫ରେ ଉତ୍କ୍ଷେପଣ କରାଯାଇଥିଲା। ଏହା ପରେ ମହାକାଶଯାନରେ ପୁଣି ସମସ୍ୟା ଥିବା ଖବର ଆସିଥିଲା। ଏହାର ସର୍ଭିସ ମଡ୍ୟୁଲୋର ଥ୍ରେଷ୍ଟରୁ ହିଲିୟମ ଲିକ୍ (ପ୍ରଘଟ) ହେଉଥିଲା। ସୂଚନା ଅନୁଯାୟୀ, ଗୋଟିଏ ମହାକାଶାଯାନରେ ଅନେକ ଥ୍ରେଷ୍ଟର ଥାଏ। ଏହାର ସହାୟତାରେ ଯାନ ନିଜ ମାର୍ଗ ଏବଂ ବେଗ ବଦଳାଇ ଥାଏ। ହିଲିୟମ ଗ୍ୟାସ ଯୋଗୁଁ ରକେଟ୍ରେ ଚାପ ବଢ଼ିଥାଏ। ଏହାକୁ ମଜବୁତ ରଖିଥାଏ। ଉତ୍କ୍ଷେପଣର ୨୫ ଦିନ ପରେ କ୍ୟାପସୁଲ୍ରୁ ୫ଟି ସ୍ଥାନରେ ହିଲିୟମ ଲିକ୍ ହେଉଥିଲା। ୫ଟି ଥ୍ରେଷ୍ଟର କାମ କରିବା ବନ୍ଦ କରିଦେଇଥିଲା। ଏହା ବ୍ୟତୀତ ପ୍ରପଲେଣ୍ଟ ଭାଲ୍ଭକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନ ଥିଲା। ମହାକାଶରେ ଥିବା କ୍ର୍ୟୁ ସଦସ୍ୟ ଏବଂ ଆମେରିକାର ହ୍ୟୁଷ୍ଟନ ସ୍ଥିତ ଅଭିଯାନର ମ୍ୟାନେଜର ମଧ୍ୟ ଏହାକୁ ସଜାଡ଼ି ପାରୁନାହାନ୍ତି। ଏଥିପାଇଁ ଉଭୟେ ଜୁନ୍ ୧୩ରେ ମହାକାଶକୁ ଫେରିପାରିଲେ ନାହିଁ। ଏହା ପରେ ଉତ୍କ୍ଷେପଣ ଭଳି ବାରମ୍ବାର ତାଙ୍କ ପ୍ରତ୍ୟାବର୍ତ୍ତନ ତାରିଖ ମଧ୍ୟ ବଦଳା ଯାଇଥିଲା। ଶେଷରେ ଆସନ୍ତା ବର୍ଷ ଫେବୃଆରୀ ୨୪ରେ ଦୁଇ ମହାକାଶଯାତ୍ରୀ ଫେରିବେ ବୋଲି ନାସା ପକ୍ଷରୁ କୁହାଯାଇଛି। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଆଇଏସଏସରେ ଉଭୟ ମହାକାଶଚାରୀ ରହିବାକୁ ବାଧ୍ୟ ହେଉଛନ୍ତି।ମାତ୍ର ୮ ଦିନର ପ୍ରସ୍ତୁତି ନେଇ ଯାଇଥିବା ସୁନିତା ଏବଂ ବୁଚ୍ ଦୀର୍ଘ ବିଳମ୍ବ ପାଇଁ ଧୈର୍ଯ୍ୟ ହରାଇବାର ଆଶଙ୍କା ବଢିଛି। ଏହାବ୍ୟତୀତ ଦୀର୍ଘ ଦିନ ଧରି ମହାକାଶରେ ରହିଲେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଭିନ୍ନ ଦିଗରୁ ବିଗଡ଼ିପାରେ ବୋଲି ମଧ୍ୟ ଆଶଙ୍କା ବଢିଛି। ଯଦିଓ ବର୍ତ୍ତମାନ ସୁଦ୍ଧା ନାସା ସହିତ ସେମାନଙ୍କ ନିୟମିତ ସମ୍ପର୍କ ରହିଛି ତଥାପି ସମ୍ଭାବ୍ୟ ବିପଦକୁ ଏଡାଇ ଦିଆଯାଇପାରୁନି। ଅବଶ୍ୟ ସେମାନଙ୍କ ପ୍ରତ୍ୟାବର୍ତ୍ତନ ଲାଗି ବିକଳ୍ପ ରହିଛି। ସେମାନେ ଚାହିଁଲେ ଆଇଏସଏସରେ ରହିଥିବା ରୁଷ କିମ୍ବା ଚାଇନା ମହାକାଶ ଯାନରେ ପୃଥିବୀ ପୃଷ୍ଠକୁ ଫେରି ଆସିପାରିବେ। କିନ୍ତୁ ନାସା ଏଥିପାଇଁ କେତେ ଦୂର ସହଯୋଗ କରିବ ତାହା ଆଲୋଚ୍ୟର ବିଷୟ ହୋଇଛି।