ଦିବ୍ୟାଙ୍ଗ ଯୁବତୀକୁ ନ୍ୟାୟ ଦେବାକୁ ଆଗକୁ ଆସିଲା ଦିବ୍ୟାଙ୍ଗ ସଂଘ…
1 min readନୂଆ ମୋଡ଼ ନେଇଛି ସିମୁଳିଆ ଥାନା ଅଞ୍ଚଳରେ ଘଟିଥିବା ଦିବ୍ୟାଙ୍ଗ ଯୁବତୀଙ୍କୁ ଗୋ ମିତ୍ରର କୁକର୍ମ ଏବଂ ପରେ ଜୀବନ ହାରିବା ଘଟଣା । ରାଜ୍ୟ ଦିବ୍ୟାଙ୍ଗ ସଂଘ ଥାନାରେ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲା ସିମୁଳିଆ ଥାନା ଅନ୍ତର୍ଗତ ବାଙ୍ଗରଖଡ଼ିଗଡିଆ ପଞ୍ଚାୟତର ମୁକ ଯୁବତୀଙ୍କ ପରିବାରରେ କେହି ନ ଥିବାର ସୁଯୋଗ ନେଇ ଜୈନିକ ଗୋମିତ୍ର ସଞ୍ଜୟ ସାହୁ ବିବାହର ପ୍ରତିଶ୍ରୁତି ଦେଇ ବଳ ପୂର୍ବକ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଦିବ୍ୟାଙ୍ଗ ଯୁବତୀ ଲୋକ ଲଜ୍ଜାରେ ୨ତାରିଖ ରାତିରେ ବିଷ ପିଇ ଜୀବନ ହାରିଥିଲେ ।
ଏ ସମ୍ପର୍କରେ ଯୁବତୀଙ୍କ ବାପା ସିମୁଳିଆ ଥାନାରେ ଗତ ଚାରି ତାରିଖରେ ଅଭିଯୋଗ କରିଥିଲେ ହେଁ ପୁଲିସ ପକ୍ଷରୁ କୌଣସି ତଦନ୍ତ କରାଯାଇନାହିଁ । ପରେ ୬ ତାରିଖ ଦିନ ଝିଅର ବାପା ଅଭିଯୋଗ ଭିତ୍ତିହୀନ ଦର୍ଶାଇ ଥାନାରୁ ଅଭିଯୋଗ ଉଠାଇ ଆଣିଥିଲେ । ଏଭଳି ସମ୍ବେଦନଶୀଳ ଘଟଣାକୁ କାହିଁକି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ଅଲ ଓଡ଼ିଶା ରାଜ୍ୟ ଦିବ୍ୟାଙ୍ଗ ଜନ କଲ୍ୟାଣ ସଂଘର ରାଜ୍ୟ ସଭାପତି ନାରାୟଣ ରାଉତ ଓ ସାଧାରଣ ସମ୍ପାଦିକା ଝୁନୁଲତା ଦାସ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି । ସମସ୍ତ ଖବର ଶୁଣିବା ପରେ ଧମକ ଦେଇ ଅଭିଯୋଗ ଉଠାଇବା ପାଇଁ ବାଧ୍ୟ କରାଯାଇଥିବା ଜଣାପଡିଥିଲା । ଆଜି ପୀଡିତାଙ୍କ ପରିବାର ସିମୁଳିଆ ଥାନାରେ ପୁନର୍ବାର ଅଭିଯୋଗ କରିବା ସହ ସଂଘ ପକ୍ଷରୁ ମଧ୍ୟ ଆଉ ଏକ ପୃଥକ ଅଭିଯୋଗ ହୋଇଥିବା ଜଣାପଡିଛି । ଅଭିଯୁକ୍ତକୁ ତୁରନ୍ତ ଗିରଫ କରି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ସଂଘ । ନଚେତ ୭ଦିନ ଭିତରେ ଥାନା ସମ୍ମୁଖରେ ତୀବ୍ର ଆନ୍ଦୋଳନ କରିବାକୁ ସଂଘ ଚେତାବନୀ ଦେଇଛି ।