ଆସ୍ଥା ଭୋଟରେ ହାରିଗଲେ ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼…
1 min readଆସ୍ଥା ଭୋଟରେ ହାରିଗଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ । ଯାହାଦ୍ବାରା ସେ ପଦ ହରାଇ ଗାଦିଚ୍ୟୁତ ହେବାର ସ୍ପଷ୍ଟ ହୋଇଯାଇଥିବା ବେଳେ ବିଜେଡିର ଏହି ଦୁର୍ଗ ଭାଙ୍ଗି ଧୂଳିସାତ ହୋଇଯାଇଛି।ଗତ ପୌର ନିର୍ବାଚନ ପରେ ୨୦୨୨ ଏପ୍ରିଲ ୫ରେ ଅଧ୍ୟକ୍ଷା ଭାବେ ପ୍ରିୟଙ୍କା ଦାୟିତ୍ୱ ନେଇଥିଲେ। ମାତ୍ର ଏହା ପରେ ତାଙ୍କ ସ୍ବାମୀ ତଥା କାଉନସିଲର ଅଶୋକ କୁମାର ମହାକୁଡ଼ଙ୍କ କାର୍ଯ୍ୟକଳାପ ନେଇ ଅନ୍ୟ କାଉନସିଲରମାନେ ଓ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ଯାଇଥିଲା। ଯାହାକି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଣି ଗାଦିଚ୍ୟୁତ କରିବା ଲାଗି ଦୀର୍ଘଦିନ ହେଲା ସହରସାରା ଚର୍ଚ୍ଚା ଲାଗିରହିଥିଲା ଯାହାର ଆଜି ପୂର୍ଣ୍ଣଛେଦ ପଡିଛି ।
ଅନାସ୍ଥା ଅଭିଯୋଗ ଉପରେ ଜିଲାପାଳଙ୍କ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଛତ୍ରପୁର ଉପଜିଲାପାଳ ଦେବଦତ୍ତ ମହନ୍ତ ନିର୍ବାଚନ ଅଧିକାରୀ ଭାବେ ପୁରୁଷୋତ୍ତମପୁର ଏନ୍ଏସିରେ ପହଞ୍ଚିଥିଲେ। ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ଅଧ୍ୟକ୍ଷାଙ୍କ ସ୍ବାମୀ ତଥା ଓ୍ବାର୍ଡ ନଂ ୪ର କାଉନସିଲର ଅଶୋକ କୁମାର ମହାକୁଡ, ଓ୍ବାର୍ଡ ନଂ ୬ର କାଉନସିଲର ସୁଦେଷ୍ଣା ବେହେରା ଓ ଓ୍ବାର୍ଡ ନଂ ୧୧ର କାଉନସିଲର ଅରୁଣ କୁମାର ମହାକୁଡ଼ ଅନୁପସ୍ଥିତ ରହିଥିବା ବେଳେ ସେଠାରେ ଉପସ୍ଥିତ ଥିବା ୧୦ ଜଣ କାଉନସିଲରଙ୍କୁ ନେଇ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ। ମାତ୍ର ଆଲୋଚନା ସଫଳ ନ ହେବାରୁ ଭୋଟିଂ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିରେ ଉପସ୍ଥିତ ସମସ୍ତ ୧୦ ଜଣ କାଉନସିଲର ଅଧ୍ୟକ୍ଷାଙ୍କ ବିରୋଧରେ ତଥା ଅନାସ୍ଥା ସପକ୍ଷରେ ଭୋଟ୍ ଦେଇଥିବା ନେଇ ନିର୍ବାଚନ ଅଧିକାରୀ କହିଛନ୍ତି। ତେବେ ବିଜେଡି ସମର୍ଥିତ ଅଧ୍ୟକ୍ଷା ଙ୍କୁ ପରାଜୟର ମୁଁହ ଦେଖାଇଛି ବିଜେପି । ପ୍ରଥମ ଥର ବିଜେପି ଏଠାରେ ବାଜିମାତ କରିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ବିଜେପି ନେତା ।