ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ , ୨୦ ଟଙ୍କା ବଢ଼ିଲା ଖାଇବା ତେଲ…..
1 min readପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ । ପରିବା ଠାରୁ ଆରମ୍ଭ କରି ରାସନ ଯାଏଁ ସବୁ ଜିନିଷ ଆକାଶ ଛୁଆଁ ହୋଇଯାଇଥିବା ବେଳେ ଏବେ ତେଲ ଦର ବଢାଇଛନ୍ତି କେନ୍ଦ୍ର ସରକାର । ପାମୋଲିନ, ସୂର୍ଯ୍ୟମୁଖୀ ଏବଂ ସୋୟାବିନ ତେଲ ଉପରେ ଆମଦାନି ଶୁଳ୍କ ବଢ଼ାଇ ଗ୍ରାହକଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ଲଦି ଦେଇଛନ୍ତି।
ଆମଦାନି ଶୁଳ୍କ ବୃଦ୍ଧିର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ସିଧାସଳଖ ପଡ଼ିଛି। ଶୁଳ୍କ ବୃଦ୍ଧି ଫଳରେ ଭୁବନେଶ୍ବରର ଖୁଚୁରା ବଜାରରେ ବିଭିନ୍ନ ପ୍ରକାର ଖାଇବା ତେଲ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି। ଦିନକ ତଳେ ସୋରିଷ ତେଲ ଦର ଲିଟର ପିଛା ୧୪୦ ଟଙ୍କା ଥିବାବେଳେ ଆଜି ଏହା ୧୬୦ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ରିଫାଇନ୍ ଖାଇବା ତେଲର ପ୍ରଭାବୀ ଆମଦାନି ଶୁଳ୍କ ୧୩.୭୫ ପ୍ରତିଶତ ପରିବର୍ତ୍ତେ ୩୫.୭୫ ପ୍ରତିଶତକୁ ବଢ଼ିଯାଇଛି।
ଅନ୍ୟପଟେ କେନ୍ଦ୍ର ସରକାର ଏହାର ସଫେଇରଖି କହିଛି ଯେ ତୈଳବୀଜ ଚାଷୀଙ୍କୁ ଲାଭ ପହଞ୍ଚାଇବା ପାଇଁ ସରକାର ଏହା କରିଛନ୍ତି । ସରକାରଙ୍କ ଶୁଳ୍କ ବୃଦ୍ଧି ନିଷ୍ପତ୍ତିର ପ୍ରଭାବ ତୁରନ୍ତ ଅସାଧୁ ବ୍ୟବସାୟୀମାନେ ଗ୍ରାହକଙ୍କ ଉପରେ ଲଦିଦେଇଛନ୍ତି। ପୂର୍ବରୁ ମହଜୁଦ ଥିବା ତେଲ ଦରକୁ ମଧ୍ୟ ସେମାନେ ବଢ଼ାଇ ଦେଇଛନ୍ତି। ଭୁବନେଶ୍ବରର ପାଇକାରୀ ବଜାରରେ ପୂର୍ବରୁ ୧୪୦ରୁ ୧୪୫ ଟଙ୍କାରେ ବିକ୍ରି ହେଉଥିବା ସୋରିଷ ତେଲ ଦାମ୍ ଏବେ ୧୫୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିଭଳି ସୂର୍ଯ୍ୟମୁଖୀ ତେଲ ଦର ପୂର୍ବରୁ ୧୧୦ରୁ ୧୧୧ ଟଙ୍କାରେ ବିକ୍ରି ହେଉଥିବା ସମୟରେ ଆଜି ଏହା ୧୨୨ ଟଙ୍କାରେ ବିକ୍ରି ହୋଇଛି।