ଓଡିଶାରେ ଫଳିବ ଔଷଧିୟ ଛତୁ , କକର୍ଟ ଓ ଏଡସ୍ ଭଳି ବଡ ବଡ ରୋଗର ସାଜିବ ନିରାକରଣ …..
1 min readପ୍ରକୃତିରେ ଦେଖାଯାଉଥିବା ଅନେକ ଗୁଡ଼ିଏ ଛତୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଏଗୁଡିକ ମଧ୍ୟରେ ଗାନୋଡର୍ମା ଛତୁ ସର୍ବାଧିକ ଲୋକପ୍ରିୟ। ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ବିଶେଷ କରି ଚୀନ, ଜାପାନ ଓ କୋରିଆରେ ପ୍ରାଚୀନ କାଳରୁ ଏହାକୁ ବିଭିନ୍ନ ରୋଗର ଉପଚାର ଓ ଉପଶମ ପାଇଁ ବ୍ୟବହାର ହେଇ ଆସୁଛି। ଚୀନ ଓ ଜାପାନରେ ଏହାର ଆଞ୍ଚଳିକ ନାମ ଯଥାକ୍ରମେ ‘ଲିଙ୍ଗଝି’ ଓ ‘ଋଷି’। ଚମତ୍କାର ଔଷଧୀୟ ଗୁଣ ପାଇଁ ଜାପାନରେ ଏହାକୁ ଅମରତ୍ଵ ପ୍ରଦାନକାରୀ ଛତୁ ଓ କୋରିଆରେ ଏହି ଛତୁକୁ ଶରୀରର ରକ୍ଷା କବଚ ପ୍ରଭୃତି ନାମରେ ଅଭିହିତ କରାଯାଏ। ପୃଥିବୀରେ ଉତ୍ପାଦିତ ହେଉଥିବା ସମୁଦାୟ ଗାନୋଡର୍ମା ଛତୁ ର ୭୦ ପ୍ରତିଶତ କେବଳ ଚୀନ ଦେଶ ରୁ ହିଁ ମିଳିଥାଏ ।
ଗାନୋଡର୍ମା ଛତୁର ଔଷଧୀୟ ଗୁଣ ଖୁବ୍ ବ୍ୟାପକ । ଏଥିରେ ୨୦୦ରୁ ଅଧିକ ଔଷଧୀୟ ଗୁଣ ରହିଛି ବୋଲି ଜଣାଯାଏ । ଏହାର ସେବନ ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ବୃଦ୍ଧି ପାଇଥାଏ।ସାଂପ୍ରତିକ ଜୀବନ ଶୈଳୀ ହେତୁ ଆମ ଦେହରେ ଜମି ରହୁଥିବା ବିଷାକ୍ତ ପଦାର୍ଥର ନିଷ୍କାସନ ପ୍ରକ୍ରିୟା କୁ ଏହା ତ୍ୱରାନ୍ୱିତ କରିଥାଏ । ଶରୀରର ବିଭିନ୍ନ ପ୍ରକ୍ରିୟା ସନ୍ତୁଳିତ ହୁଏ । ଫଳରେ ମନ ଓ ଶରୀରେ ଅପୂର୍ବ ଆନନ୍ଦ ଓ ସ୍ପୂର୍ତ୍ତି ପରିଲକ୍ଷିତ ହୁଏ । ମାନସିକ ଚାପରୁ ରକ୍ଷା ପାଇବା ପାଇଁ ଓ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ଏହାକୁ ମହାକାଶଚାରୀଙ୍କ ଉଦ୍ଦିଷ୍ଟ ତାଲିମ କାର୍ଯ୍ୟକ୍ରମରେ ଉପଯୋଗ କରାଗଲାଣି । ରକ୍ତରେ କୋଲେଷ୍ଟରୋଲ, ଶର୍କରା ଓ ଚର୍ବି ହ୍ରାସ କରିବାରେ ଗାନୋଡର୍ମା ସାହାଯ୍ୟ କରେ । ଏଥିରୁ ପ୍ରସ୍ତୁତ ଔଷଧ ସେବନ ଦ୍ଵାରା ରକ୍ତଚାପ ନିୟନ୍ତ୍ରଣ କାରୀ ଔଷଧ ତଥା ଅନ୍ୟାନ୍ୟ ଔଷଧର ପାର୍ଶ୍ଵ ପ୍ରତିକ୍ରିୟା ହ୍ରାସ ପାଇଥାଏ । ବୈଜ୍ଞାନିକ ଓ ଗବେଷକଙ୍କ ମତରେ ଦୁରାରୋଗ୍ୟ କର୍କଟ ଓ ଏଡ଼ସ ରୋଗର ଚିକିତ୍ସାରେ ଗାନୋଡର୍ମାକୁ ଫଳପ୍ରଦ ଭାବରେ ବ୍ୟବହାର କରାଯାଇ ପାରିବ। ହୃଦରୋଗ, ମଧୁମେହ, କାମଳ, ପାକସ୍ଥଳୀ ଓ ବୃହଦନ୍ତ୍ରର ଘା, ନପୁଂସକତା, ଶ୍ୱାସ ଓ କାଶ, ତରଳ ଝାଡ଼ା ବା କୋଷ୍ଠକାଠିନ୍ୟ, କାନ୍ଧ ଯନ୍ତ୍ରଣା, ଗଳଗଣ୍ଡ, ଅନିୟମିତ ଋତୁସ୍ରାବ, ରକ୍ତ ସଞ୍ଚାଳନ ରେ ଅସୁବିଧା, ମାନସିକ ବିଷାଦ ଓ ସ୍ନାୟୁଗତ ଦୁର୍ବଳତା, କେଶ ପତନ, ମୋଟା ରୋଗ, କାନ୍ତିହୀନ ତ୍ଵଚା, କେତେକ ପ୍ରକାର ବଂଶଗତ ରୋଗ, ନିଦ୍ରାହୀନତା ଇତ୍ୟାଦିର ଉଭୟ ନିରାକରଣ ଓ ଚିକିତ୍ସା ରେ ଏହି ଔଷଧୀୟ ଛତୁକୁ ବ୍ୟବହାର କରାଯାଇ ପାରିବ ।
ଗାନୋଡାର୍ମା ଛତୁର ଉପଯୋଗୀତା, ଅପେକ୍ଷାକୃତ ଅଧିକ ଆୟ ଓ ଦୃତ ବ୍ୟବସାୟକାରଣକୁ ଦୃଷ୍ଟିରେ ରଖି ତଥା ଓଡ଼ିଶା ଛତୁ ଚାଷୀଙ୍କ ଲାଭ ବହୁଗୁଣିତ କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ନିର୍ଦ୍ଦେଶରେ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ସର୍ବ ଭାରତୀୟ ସମନ୍ୱିତ ଛତୁ ଗବେଷଣା ପ୍ରକଳ୍ପରେ ଚାଲିଛି ଗବେଷଣା । ଏଥିରୁ ଆଶାନୁରୂପ ସଫଳତା ମଧ୍ୟ ମିଳିଛି।
ଏହି ଛତୁ ସାଧାରଣତ ୨୫ ରୁ ୩୨ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ଚାଷ କରାଯାଏ । ଫିମ୍ପି ର ବିସ୍ତାର ପାଇଁ ୨୮ ରୁ ୩୨ ଡିଗ୍ରୀ ଓ ଛତୁ ଫୁଟିବା ପାଇଁ ୨୫ ରୁ ୨୮ ଡିଗ୍ରୀ ସେଲସିୟସ ଉତ୍ତାପ ଆବଶ୍ୟକ । ସ୍ୱଳ୍ପ ବ୍ୟୟ ଯୁକ୍ତ ପଲିଥିନ ନିର୍ମିତ ଘରେ ଆଂଶିକ ନିୟନ୍ତ୍ରିତ ପାଣିପାଗ ରେ ଏହାକୁ ସହଜରେ ଚାଷ କରା ଯାଇପାରିବ । ଚାଷ ପ୍ରଣାଳୀରେ ଆବଶ୍ୟକୀୟ ପରିବର୍ତ୍ତନ କରି ଓ ତାପମାତ୍ରାକୁ ନିୟନ୍ତ୍ରଣ କରି ଗାନୋଡର୍ମା ଛତୁକୁ ବର୍ଷ ସାରା ଚାଷ କରା ଯାଇପାରେ । ୧୦ ସେଣ୍ଟି ମିଟର ଢ ୩୦ ସେଣ୍ଟି ମିଟର କିମ୍ବା ୧୬ ସେଣ୍ଟି ମିଟର ଢ ୩୦ ସେଣ୍ଟି ମିଟର ଗୋଲାକାର ଉଚ୍ଚ ତାପ ସହଣି ପଲିପ୍ରୋପିଲିନ ବ୍ୟାଗରେ ଏହି ଛତୁ ଚାଷ କରାଯାଏ । ପ୍ରାୟ ୪୫ ରୁ ୫୦ ଦିନରେ ଛତୁ ଅମଳ ହୁଏ । ଦୁଇ ବା ତିନି ପର୍ଯ୍ୟାୟରେ ଛତୁ ଅମଳ କରାଯାଏ । ଓୟୁଏଟି ରେ ଚାଷ କରାଯାଉଥିବା ଗାନୋଡର୍ମା ର ଜୈବିକ ଦକ୍ଷତା ପ୍ରାୟ ୨୫ ପ୍ରତିଶତ ଯାହାକି ଖୁବ୍ ସନ୍ତୋଷଜନକ ।ଅନ୍ୟାନ୍ୟ ସ୍ଥାନରେ କାଠ ଗଣ୍ଡି ବା କରତ ଗୁଣ୍ଡରେ ଏହି ଛତୁ ଉତ୍ପାଦନ କରା ଯାଉଥିବା ବେଳେ ଧାନ ନଡ଼ା ବ୍ୟବହାର କରି ଉତ୍ପାଦନ କରିବା ଉପରେ ଗୁରୁତ୍ବ ଦେଉଛନ୍ତି ଓୟୁଏଟି କର୍ତ୍ତୃପକ୍ଷ। ବିଶୋଧିତ ଧାନ ନଡା କିମ୍ବା ନଡା ସହିତ କରତ ଗୁଣ୍ଡକୁ ସମାନ ଅନୁପାତରେ ମିଶେଇ ତାକୁ ଛତୁ ଚାଷ ର ମାଧ୍ୟମ ଭାବରେ ବ୍ୟବହାର କରାଯାଉଛି । ଏହି ଛତୁ ଟାଣ ଏବଂ ତିକ୍ତ ହୋଇଥିବାରୁ ସିଧାସଳଖ ଖାଇବା ଅପେକ୍ଷା ସେଥିରୁ ଔଷଧ ପ୍ରସ୍ତୁତି ପାଇଁ ପ୍ରାଧାନ୍ୟଦିଆ ଯାଇଥାଏ । ଆନ୍ତର୍ଜାତୀୟ ବଜାରରେ ଏହାର କାରବାର ପ୍ରାୟ ୨ ନିୟୁତ ଆମେରିକୀୟ ଡଲାରରୁ ଅଧିକ। ଭାରତରେ ଏହି ଛତୁ ର ବ୍ୟବସାୟ ୧୦୦ କୋଟି ଟଙ୍କାରୁ ଅଧିକ । ତଟକା ଛତୁର କିଲୋଗ୍ରାମ ପ୍ରତି ଦର ୪୦୦୦ ଟଙ୍କା ରହିଛି । ମାତ୍ର ଏହା ଶୁଖିଯିବା ପରେ ଏହାର ମୂଲ୍ୟ ବୃଦ୍ଧି ପାଇଥାଏ । ଶୁଖିଲା ଛତୁର କିଲୋପ୍ରତି ମୂଲ୍ୟ ପ୍ରାୟ ୨୪୦୦୦ ଟଙ୍କାରୁ ଅଧିକ । ପାଳ ଛତୁ ତୁଳନାରେ ଏହି ଛତୁର ବଜାର ମୂଲ୍ୟ ପ୍ରାୟ ୧୦ ଗୁଣରୁ ଅଧିକ । ତେଣୁ ଏହି ଛତୁ ଓଡ଼ିଶାରେ ଚାଷ ହେଲେ ବଜାରକୁ ରପ୍ତାନି କରି ଆମ ଚାଷୀମାନେ ବେଶ୍ ଲାଭବାନ ହେବେ ବୋଲି ଓୟୁଏଟି ପକ୍ଷରୁ ଆକଳନ କରାଯାଇଛି ।
ଦେଶରେ ହାତ ଗଣତି କେତୋଟି ସ୍ଥାନରେ ଏହି ଛତୁ ପରୀକ୍ଷାମୂଳକ ଭାବରେ ଚାଷ କରାଯାଇଛି । ଓଡିଶାରେ ପ୍ରଥମ କରି ଓୟୁଏଟି ପକ୍ଷରୁ ଏହି ଛତୁର ଉତ୍ପାଦନ ଆରମ୍ଭ କରାଯାଇଛି ଓ ଛତୁ ଚାଷର ଅନ୍ୟାନ୍ୟ ଦିଗ ଉପରେ ଉଚ୍ଚତର ଗବେଷଣା ଅବ୍ୟାହତ ରହିଛି । ଆଗାମୀ ଦିନରେ ଏହି ଛତୁ ବ୍ୟାପକ ଭାବରେ ଚାଷ ହେବ । ରାଜ୍ୟ ସରକାର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ, ଓଡ଼ିଶାର ଅଗଣିତ ଛତୁ ଚାଷୀ ତଥା ଛତୁ ଚାଷ ସହ ସଂପୃକ୍ତ ସଂସ୍ଥାମାନଙ୍କ ମିଳିତ ସହଯୋଗ ଓ ଉଦ୍ୟମରେ ଓଡ଼ିଶାରୁ ପ୍ରଚୁର ପରିମାଣରେ ଗାନୋଡାର୍ମା ଛତୁ ବିଦେଶକୁ ରପ୍ତାନି କରି ଆମ ରାଜ୍ୟ ସୁନାମ ଅର୍ଜନ କରୁ, ଏତିକି କାମନା କରା ଯାଇପାରେ ।