Pratidin TV

Odisha's Digital News Platform

ଯାତ୍ରା ମଞ୍ଚରେ କାଳିଆଙ୍କୁ ଅପମାନ ଦେଲେ କାହ୍ନା , ଅଭିନେତାଙ୍କ ନାଁ ରେ ରୁଜୁ ହେଲା ମାମଲା ..

1 min read

ଏ ଦୃଶ୍ୟ ଆଜି ପ୍ରତି ଓଡ଼ିଆଙ୍କ ଭାବିବେଗକୁ ଆଘାତ କରିଛି । ଏ ଫଟୋକୁ ଦେଖାଇବାକୁ ଆମେ ମଧ୍ୟ ଚାହୁଁନା । ହେଲେ କେବଳ ଖବର ପ୍ରସାରଣ ପାଇଁ ମହାପ୍ରଭୁଙ୍କ ପ୍ରତି ଏପରି ଅପମାନ ଜନକ ଫଟୋକୁ ଆମେ ଦେଖାଉଛୁ । ଏହା ବ୍ୟତୀତ ଆଉ କିଛି କହିବାକୁ ଆମ ପକ୍ଷେ ଶବ୍ଦ ନାହିଁ । କାରଣ ଯେଉଁଠି ପ୍ରାଣର ଠାକୁରଙ୍କ ପାଇଁ ଭାବଭିଜା ଛଳ ଛଳ ଆଖିରେ ବଡ଼ ଦାଣ୍ଡରୁ ହିଁ ଦୁଇ ହାତ ଯୋଡ଼ି ହୋଇଯାଏ, ମୁଣ୍ଡ ନଇଁଯାଏ… କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କ ଉଦ୍ଦେଶ୍ୟରେ ଉପରକୁ ଉଠିଯାଏ ଦୁଇ ହାତ…ସେଠି , ସେଇ ଭାବର ଠାକୁରଙ୍କ ପ୍ରତି ଏ ବ୍ୟବହାର ଲାଗି କେମିତି କରିଲେ ଏପରି ବ୍ୟବହାର ? ପ୍ରତି ଓଡ଼ିଆ ଙ୍କ ପରିଚୟ କହିଲେ ମହାପ୍ରଭୁ ଜଗନ୍ନାଥ । ଯିଏ ସମଗ୍ର ଜଗତର ସୃଷ୍ଟିକର୍ତ୍ତା । ଯାହାଙ୍କ ନିର୍ଦେଶ ରେ ଚାଲିଛି ଏ ସାରା ଜଗତ । ଆଜି ସେହି ଭାବଗ୍ରାହୀଙ୍କୁ ଖେଳଣା ପରି ଖୋଲା ମଞ୍ଚରେ ମହାପ୍ରଭୁଙ୍କ ପ୍ରତିମାର ଗୋଟିଏ ବାହୁକୁ ଝୁଲାଇ ଝୁଲାଇ ନେଉଛନ୍ତି ଯାତ୍ରା ଖଳନାୟକ କାହ୍ନା ସ୍ୱାଇଁ। ମଞ୍ଚ ଉପରେ ଅଭିନୟ କରିଲା ବେଳେ ଏପରି କିଛି କରିଛନ୍ତି ଅଭିନେତା । ଯାହା ଏବେ ସୋସିଆଲ ମିଡିଆରେ ଏ ମୋବାଇଲ ରୁ ସେ ମୋବାଇଲ କୁ ଘୁରି ବୁଲୁଛି । ଭିଡିଓ ଭାଇରାଲ୍‌ ହେବା ପରେ ଯାତ୍ରା କଳାକାର କାହ୍ନାଙ୍କ ନାଁରେ କଟକ ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଯାତ୍ରା ସିଂହବାହିନୀର ଷ୍ଟାର ଆକ୍ଟର ହେଉଛନ୍ତି କାହ୍ନା ସ୍ୱାଇଁ। ସେ ଅନେକ ନାଟକରେ ଭିଲେନ ଭୂମିକା ରେ ଅଭିନୟ କରନ୍ତି । ଆଉ ନାୟକ ଓ ନାୟିକାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ଯାତ୍ରାପ୍ରେମୀ ଦେଖିଛନ୍ତି। ହେଲେ କାହ୍ନା ଏଥର ସବୁ ସୀମା ପାର କରିଛନ୍ତି। ‘ବଡ଼ ବେଦରଦୀ କଳା ସାଆନ୍ତ’ ନାଟକରେ ସେ ମହାପ୍ରଭୁଙ୍କ ପ୍ରତିମାକୁ ଅପମାନିତ କରିଛନ୍ତି। ସେ କେତେବେଳେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମାରେ ଲାଗି ହୋଇଥିବା ଫୁଲ ମାଳକୁ ଫିଙ୍ଗି ଦେଉଛନ୍ତି ତ ଆଉ କେତେବେଳେ ମହାପ୍ରଭୁଙ୍କୁ ଲୁଗାରେ ବାନ୍ଧି ପିଠିରେ ପକାଇ ଖେଳଣା ପରି ନେଉଛନ୍ତି। ଆଉ କେତେବେଳେ ମହାପ୍ରଭୁଙ୍କ ପ୍ରତିମାକୁ ହାତରେ ଝୁଲାଇ ଝୁଲାଇ ନେଉଥିବା ଦେଖିବାକୁ ମିଳିଛି।

Advertisement

କେବଳ ଏତିକି ନୁହେଁ, ‘ବଡ଼ ବେଦରଦୀ କଳା ସାଆନ୍ତ’ରେ ଏକ ସଂଳାପରେ କାହ୍ନା କହୁଛନ୍ତି, … ମୁଁ ଜଗାକୁ ବୁଲାଇବାକୁ ନେଇଥିଲି।… ମୋ ଜଗା ଦିନ ରାତି ୨୪ ଘଣ୍ଟା ଗୋଟିଏ ମନ୍ଦିର ଭିତରେ ରହୁଛି। ତାକୁ କ’ଣ ଅଣ ନିଃଶ୍ୱାସୀ ଲାଗୁନଥିବ? ତାକୁ କ’ଣ ଟିକେ ବୋରିଂ ଲାଗୁନଥିବ? …. ଯଦି ଜଗାର ଜୀବନ ନାହିଁ, ତାହାହେଲେ ସକାଳେ ସନ୍ଧ୍ୟା ବେଳେ ତାଙ୍କୁ କାହିଁକି ମୁଣ୍ଡିଆ ମାରୁଛ? ତା’ ପାଖକୁ କାହିଁକି ଗୁହାରି କରିବାକୁ ଆସୁଛ? ଜଗନ୍ନାଥଙ୍କୁ ନେଇ ପ୍ରଶ୍ନ କରାଯାଏନି। ମୋ’ ଜଗାର ଜୀବନ ଅଛି। ଆମେ ଖାଉଛୁ, ସିଏ ବି ଖାଉଛି। ଅଳପ ନୁହେଁ, ଷାଠିଏ ପଉଠି ଛପନ ଭୋଗ ଖାଉଛି……। ଏମିତି କେତେ କ’ଣ କାହ୍ନା ସଂଳାପରେ କହୁଥିବା ଦେଖିବାକୁ ମିଳୁଛି।

କାହ୍ନାଙ୍କ ଏହି ସବୁ ଭିଡିଓ ଓ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଆଉ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଯାହା ପ୍ରତି ଓଡ଼ିଆଙ୍କୁ କୋଠାରଘାତ ଦେଇଛି। କାହ୍ନା ଜଣେ ଭଲ ଆକ୍ଟର ହୋଇଥିବେ, ହେଲେ କୋଟି ଓଡ଼ିଆଙ୍କ ପ୍ରାଣକେନ୍ଦ୍ର ମହାପ୍ରଭୁଙ୍କ ପ୍ରତିମା ସହିତ ଏମିତି ଦୁର୍ବ୍ୟବହାର କରିବା ପାଇଁ ତାଙ୍କୁ କିଏ ଅନୁମତି ଦେଲା? ଏବେ ସାଧାରଣରେ ଏମିତି ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହାକୁ ନେଇ କଟକ ବାଦାମବାଡ଼ି ଥାନାରେ କାହ୍ନାଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠାନ କିମ୍ୱା କାହ୍ନାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *