କ୍ୱାଡ୍ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ ଜାତିସଂଘ ସୁରକ୍ଷା ପରିଷଦରେ ଆସିବ ସଂସ୍କାର, ବଢିବ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ସଂଖ୍ୟା
1 min readକ୍ୱାଡ୍ ସମ୍ମିଳନୀ ପାଇଁ ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ କିସିଦାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଖୋଲା ଆଲୋଚନା ହୋଇଥିଲା। ଯେଉଁଥିରେ ବିଶ୍ୱର ସାଂପ୍ରତିକ ସମସ୍ୟା ସହ ୪ ଦେଶ ମଧ୍ୟରେ ପାରସ୍ପରିକ ସହଯୋଗ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି।
୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥିରେ ସ୍ବାସ୍ଥ୍ୟ, ଶିକ୍ଷା, ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଜାତିସଂଘର ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ୪ ଦେଶ ଆମେରିକା, ଅଷ୍ଟ୍ରେଲିଆ, ଜାପାନ ଏବଂ ଭାରତ ସହମତି ଦେଇଛନ୍ତି। ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ ଓ ଶକ୍ତିଶାଳୀ କରିବା ନେଇ ସମ୍ମିଳନୀରେ ଆଲୋଚନା ହୋଇଛି।
ଏଥିସହ ସମସ୍ତ ଦେଶ ଅକତଙ୍କବାଦୀଙ୍କ ବିରୋଧରେ ଏକଜୁଟ୍ ହେବା ଓ ସାମୁଦ୍ରିକ ସୁରକ୍ଷା ଉପରେ ଜୋର ଦେଇଛନ୍ତି। ଉତ୍ତର କୋରିଆ ଦ୍ୱାରା ଲଗାତର କରାଯାଉଥିବା ମିସାଇଲ ପରୀକ୍ଷଣକୁ କଡା ନିନ୍ଦା କରାଯାଇଛି। ଏହାକୁ ସବୁଠୁ ବଡ଼ ବିପଦ ବୋଲି କହିଛନ୍ତି ଏହି ୪ ଦେଶର ଶୀର୍ଷ ନେତା।
କ୍ୱାଡ ସମ୍ମିଳନୀରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ, କ୍ୱାଡର ମିଳିତ ଭାବେ କାର୍ଯ୍ୟ କରିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ସେପଟେ ବାଇଡେନ ମଧ୍ୟ ଏହି ସମ୍ମିଳନୀରେ କ୍ୱାଡ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଏହାକୁ ଆହୁରି ଦୃଢ କରିବାକୁ ନିବେଦନ କରିଥିଲେ। କ୍ବାଡରେ ମୋଦୀ କହିଛନ୍ତି ଯେ, ମୁଁ ମୋର ତୃତୀୟ କାର୍ଯ୍ୟକାଳରେ ଏହି କ୍ବାଡରେ ଯୋଗଦେଇଥିବାରୁ ଅତ୍ୟନ୍ତ ଖୁସି । ୨୦୨୧ରେ ଆମେରିକା ପ୍ରଥମ ଥର ପାଇଁ କ୍ଵାଡ ସମ୍ମିଳନୀ ଆୟୋଜନ କରିଥିଲା । ବହୁତ କମ୍ ସମୟରେ ଆମେ ବିଶ୍ଵର ପ୍ରାୟ ସମସ୍ତ ସ୍ଥାନରେ ଆମର ସହଯୋଗ ବିସ୍ତାର କରିଛୁ । ଯେଉଁଥିରେ ଆପଣମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ଵପୁର୍ଣ୍ଣ । ତେଣୁ ସମସ୍ତଙ୍କୁ ମୁଁ ଅନ୍ତରରୁ ଧନ୍ୟବାଦ ଦେଇଛି ବୋଲି କହିଥିଲେ ମୋଦୀ ।
ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ଅନେକ କ୍ଷେତ୍ରରେ ବିଶେଷ ଅଟେ। ପ୍ରଥମ ଦିନରେ କ୍ୱାଡର ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ତିନୋଟି ବିଶ୍ୱ ଶକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ସମେତ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ଡେଲାୱେରରେ ଥିବା ତାଙ୍କ ବ୍ୟକ୍ତିଗତ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆୟୋଜନ କରିଥିଲେ। ଭାରତ-ଆମେରିକା ସମ୍ପର୍କ ବିଷୟରେ ବିଡେନ କହିଛନ୍ତି ଯେ ବର୍ତ୍ତମାନ ଭାରତ ସହ ଆମେରିକାର ସହଭାଗିତା ଇତିହାସର ଯେକୌଣସି ସମୟ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ନିକଟତର ଅଟେ।
ଅନ୍ୟପକ୍ଷରେ ସୋସିଆଲ ମିଡିଆ‘ଏକ୍ସ’ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଲେଖିଛନ୍ତି, ପୂର୍ବାପେକ୍ଷା ଭାରତ ସହ ଆମେରିକାର ସମ୍ପର୍କ ଅଧିକ ଶକ୍ତିଶାଳୀ, ନିକଟତର ଓ ଗତିଶୀଳ ହୋଇଛି। ଇତିହାସରେ ଯେ କୌଣସି ସମୟ ଅପେକ୍ଷା ବର୍ତ୍ତମାନ ସ୍ଥିତିରେ ଏହି ସମ୍ପର୍କ ଅତି ନିବିଡ଼ ବୋଲି କହିଛନ୍ତି ବାଇଡେନ।