ଆସୁଛନ୍ତି ମା’ ଜଗତ ଜନନୀ ସଜେଇ ହୋଇଛି କାଶତଣ୍ଡି
1 min readଆଶାର ବାଣୀ ନେଇ ଆଜି କାଣତଣ୍ଡି ପୁଣି ଫେରିଛି । ନଈପଠା, ବିଲବାଡି ପଡିଆ ଭୂଇଁ ତଥା ରାସ୍ତା କଡରେ ଗୋଛା ଗୋଛା ହୋଇ ଧବଳ ମୁଖୀ କାଶତଣ୍ଡି, ଧୀର ପବନରେ ଦୋହଲି ଦୋହଲି ମାଁ ଦୁର୍ଗାଙ୍କର ଆଗମନର ସୂଚନା ଦେଇ ମନରେ ଆଶା ବିଶ୍ଵାସର ମଞ୍ଜି ବୁଣି ଚାଲିଛି । ସବୁ ଦୁଃଖ, ଯନ୍ତ୍ରଣାର ଅବସାନ ଘଟାଇ ଭୟ, ହତାଶ ନିରାଶ ରାକ୍ଷାସକୂଳକୁ ସମୂଳେ ଧ୍ୱଂସ କରି ଜନ ଜୀବନରେ ନୂତନ ଭବିଷ୍ୟତର ଭାବନକୁ ଜାଗ୍ରତ କରିବା ପାଇଁ ମା’ଙ୍କର ଆବିର୍ଭାବ ଘଟିବ ଏହି ସୂଚନା ଦେଉଛି କାଶତଣ୍ଡି । ଦୀର୍ଘ ଦିନର ଲଢେଇର ଅବସାନ ହେବ,ପୁନଶ୍ଚ ଜୀବନରେ ନବ ଅରୁଣ ଉଦିତ ହୋଇ ଆନନ୍ଦର ଲହରୀ ଖେଳିଯିବ ଏହି ବାର୍ତ୍ତା ପ୍ରେରଣ କରିବା ପାଇଁ ବନ୍ୟ ଜୁଇ ଟଗର, ଗଙ୍ଗଶିଉଳି ତଥା କଇଁ ଚମ୍ପା ଫୁଲର ସମ୍ଭାର ମଧ୍ଯରେ କାଶତଣ୍ଡି ନିଜକୁ ଆତ୍ମ ପ୍ରକାଶ କରିଛି । ସମଗ୍ର ପରିବେଶ ଯେ ଉତ୍ସବ ମୁଖର ହୋଇ ଉଠିବ ତାର ପୂର୍ବ ପ୍ରସ୍ତୁତିରେ ଲାଗି ପଡିଛି ।
ଶରତର ଆଗମନରେ ଧରଣୀ ବାନ୍ଧିଲାଣି କାଶତଣ୍ଡିର ବେଣି । ଓଡ଼ିଆ ସଂସ୍କୃତି ଓ କାଶତଣ୍ଡୀ ମଧ୍ୟରେ ରହିଛି ଅନେକ ନିବିଡ଼ତା। କାଶତଣ୍ଡୀ ମାଆ ଦୁର୍ଗାଙ୍କ ଆବାହନର ସଂକେତ ଦିଏ । ପାର୍ବଣ ଋତୁର ବନ୍ଦନା ଗାଇବା ପାଇଁ ସତେଯେମିତି ଆନମନା ହୋଇଉଠଛି ପ୍ରକୃତିରାଣୀ । ଏହିଫୁଲ ଓଡ଼ିଆ ସଂସ୍କୃତି ସହ ମଧ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ରେଖା ପାଞ୍ଚମୀରେ କାଶତାଣ୍ଡି ଫୁଲର ବେଣୀ ଘର କବାଟରେ ବାନ୍ଧି ପୂଜା କରାଯାଏ । ଆଉ କାଶତଣ୍ଡିର ବେଳାୟିତ ଚାମରରେ ମା ଦୁର୍ଗା ଧରବତାରଣ କରନ୍ତି ବୋଲି ବିଶ୍ୱାସ ରହିଛି । ଶରତ ଋତୁରେ ଆଗମନ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାର ପ୍ରତୀକ କାଶତଣ୍ଡି ଫୁଲ ଧରାପୃଷ୍ଠରେ ନିଜ ସୌନ୍ଦର୍ଯ୍ୟ ସଦା ବିକିରଣ କରିଥାଏ । ଶାରଦୀୟ ସମ୍ଭାର ନେଇ ଆସିଥାଏ କାଶତଣ୍ଡୀ । ପବନର ଛୁଆଁରେ ଖିଲି ଖିଲି ହସ ସହିତ ଦେବୀ ଦୂର୍ଗାଙ୍କ ନିକଟରେ ନିଜକୁ ସମର୍ପିବା ଲାଗି କରିଥାଏ ଅପେକ୍ଷା ।ବହୁ କମ ସମୟ ଅନ୍ୟକୁ ସୌନ୍ଦର୍ଯ୍ୟ ବାଣ୍ଟି ନିଜର ସତା ହରାଇ ବସେ । କିଏ ଏହାକୁ ନେଇ କାଇଁସ ଡଲା ବୁଣୁଛିତ ପୁଣି କିଏ ଝାଡୁ ତିଆରି କରିଥାଏ । ପୁଜାରେ ଏହି ଡଲାକୁ ବିକି ବେସ ଦ୍ୱିପଇସା ରୋଜଗାର କରିଥାଆନ୍ତି ବେପାରୀ ମାନେ ।
କାହାଣୀ ରେ ଶୁଣିବାକୁ ମିଳେ, ଗରୀବ ଘରର କାଶତଣ୍ଡି ନାମକ ଏକ ସୁନ୍ଦର ଝିଅଟିଏ ସବୁବେଳେ ନଦୀ ପଠା ରେ ବୁଲୁଥାଏ । ଯାହାର ସୌନ୍ଦର୍ଯ୍ୟରେ ବଶୀଭୂତ ହୋଇ ତାକୁ ପ୍ରେମ କରି ବସିଥିଲେ ସେଇ ରାଜ୍ୟର ରାଜକୁମାର। ଦୁହେଁଙ୍କ ମଧ୍ୟରେ ଧୀରେ ଧୀରେ ନିବିଡ଼ ହେଉଥିଲା ଏହି ପ୍ରେମ । ସବୁଦିନ ନଦୀ ପଠାରେ ସେ ଦୁହେଁ ଦେଖାହୁଅନ୍ତି । ଯେତେବେଳେ ଏହି ଖବର ରାଜାଙ୍କ ପାଖରେ ପହଁଚିଲା କାଶତଣ୍ଡି ପରି ଗରିବ ଓ ଛୋଟ ଜାତିର ଝିଅ ଟିକୁ ନିଜର ବୋହୁ ଭାବେ ଗ୍ରହଣ କରିବା ପାଇଁ ଅରାଜି ହେଲେ ରାଜା । ରାଜାଙ୍କ ଆଦେଶରେ ରାଜାଙ୍କ ସୈନ୍ୟ ସାମନ୍ତମାନେ ରାଜକୁମାର ଓ କାଶତଣ୍ଡୀଙ୍କୁ ଅଲଗା କରିବା ପାଇଁ ରାଜକୁମାରଙ୍କ ଆଖି ଆଗରେ କାଶତଣ୍ଡିକୁ ଜିଅନ୍ତା ପୋତି ଦେଲେ l ଛାତି ଫଟାଇ ଚିତ୍କାର କରି କାନ୍ଦୁଥିବା ରାଜକୁମାରଙ୍କୁ ଶେଷ ସମୟରେ କଥା ଦେଇଥିଲା କାଶତଣ୍ଡୀ “ହେ ରାଜନ ଆମର ଏଇ ଶାଶ୍ଵତ ପ୍ରେମକୁ ଉଦ୍ଜୀବିତ ରଖିବା ପାଇଁ ତୁମକୁ ବଞ୍ଚି ବାକୁ ପଡ଼ିବ । ମୁଁ ପ୍ରତିବର୍ଷ ଶରତ ଋତୁରେ କାଶତାଣ୍ଡି ଫୁଲ ରୂପରେ ଏ ଧରା ପୃଷ୍ଠରେ ଜନ୍ମ ନେବି । ମୋର ଗନ୍ଧ ହିନ ସୌନ୍ଦର୍ଯ୍ୟ ସମସ୍ତଙ୍କ ମନରୁ କ୍ରୋଧ, ହିଂସାକୁ ଦୂରେଇ ଦେଇ ପ୍ରେମର ରଙ୍ଗ ଭରିଦେବ । ପ୍ରତିଟି ଶରତ ଆମ ପାଇଁ ମିଳନ ର ଋତୁ ହେବା” । ଏହାପରେ ରାଜକୁମାର ମଧ୍ୟ ଚିର କୁମାର ହେଇ ରହିଗଲେ।