Pratidin TV

Odisha's Digital News Platform

ନେପାଳରେ ପ୍ରକୃତି ରଚିଛି ତାଣ୍ଡବ , ୧୭୦ ଟପିଲା ମୃତ୍ୟୁ ସଂଖ୍ୟା..

1 min read

ପ୍ରକୃତି ଯେବେ କରାଳ ରୂପ ଧାରଣ କରେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ତ୍ରାହି ତ୍ରାହି ଡାକନ୍ତି । ଜୀବନ ବଞ୍ଚାଇବାକୁ କରିଚାଲନ୍ତି ସଂଘର୍ଷ । ଠିକ୍‌ ଯେମିତି ନେପାଳରେ  ତାଣ୍ଡବ ରଚୁଛି ପ୍ରକୃତି । ଯାହାର ଚିତ୍ର ଆପଣଙ୍କ ସାମ୍‌ନାରେ । ଚାହୁଁ ଚାହୁଁ ପାଣି ମାଡ଼ି ଆସୁଛି । ଜଳ ପ୍ରଳୟରେ ସବୁକିଛି ଭାସିଯାଇଛି । କେତେବେଳେ ମା’ କୋଳରୁ ତା’ ଛୁଆ ଚାଲିଯାଉଛି ତ ପୁଣି କେତେବେଳେ କୁନିକୁନି ଛୁଆ ମାତୃହରା ହୋଇଯାଉଛନ୍ତି । କେଉଁଠି ତ ପୂରା ପରିବାର ଏହି ରାକ୍ଷାସ ରୂପୀ ଜଳରେ ଡୁବି ଲୀନ ହୋଇଯାଉଛି ।

ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୧୭୦କୁ ବୃଦ୍ଧି ପାଇଛି। ଏବେ ବି ନିଖୋଜ ଅଛନ୍ତି ୪୨ ଜଣ। ୩ ଦିନ ପାଇଁ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲା ପ୍ରଶାସନ। ବନ୍ୟା ଓ ଭୂସ୍ଖଳନରେ ୩୨୨ ଘର ଓ ୧୬ ବ୍ରିଜ ଭାଙ୍ଗିଛି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଶୁକ୍ରବାର ଠାରୁ ନେପାଳର ପୂର୍ବ ଏବଂ ମଧ୍ୟ ଭାଗର ଅନେକ ଅଂଶ ଜଳମଗ୍ନ ହୋଇପଡିଛି । ପ୍ରବଳ ବର୍ଷା ଯୋଗୁଁ ଦେଶର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ୫୬ଟି ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି।

Advertisement

ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁଯାୟୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ୪୨ ଜଣ ନିଖୋଜ ଅଛନ୍ତି। ମୁଖପାତ୍ର ଋଷିରାମ ପୋଖରେଲ କହିଛନ୍ତି ଯେ ବନ୍ୟା ସମ୍ବନ୍ଧୀୟ ଘଟଣାରେ ୧୧୧ ଜଣ ଆହତ ହୋଇଛନ୍ତି। ସମସ୍ତ ସୁରକ୍ଷା ଏଜେନ୍ସି ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିବା ସହ ସର୍ଚ୍ଚ ଅପରେସନ ମଧ୍ୟ ଚାଲିଛି। ନେପାଳ ସେନା ସମଗ୍ର ଦେଶରେ ୧୬୨ ଜଣଙ୍କୁ ବିମାନ ଯୋଗେ ଉଦ୍ଧାର କରିଛି।

ପୋଖରେଲ କହିଛନ୍ତି ଯେ ବନ୍ୟା ଓ ଜଳସ୍ତର ପ୍ରଭାବିତ ପ୍ରାୟ ୪ ହଜାର ଲୋକଙ୍କୁ ନେପାଳୀ ସେନା, ନେପାଳ ପୋଲିସ ଏବଂ ସଶସ୍ତ୍ର ପୋଲିସ ବାହିନୀର ସୈନିକମାନେ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। କାଠମାଣ୍ଡୁ ଉପକଣ୍ଠରେ ଥିବା ବାଲଖୁ ଅଞ୍ଚଳରେ ସାମାଜିକ କର୍ମୀଙ୍କ ସହାୟତାରେ ୪୦୦ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି।

Leave a Reply

Your email address will not be published. Required fields are marked *