Pratidin TV

Odisha's Digital News Platform

ନିର୍ବାଚନ ପୂର୍ବରୁ ଜେଲରୁ ବାହାରିଲେ ରାମ ରହିମ, ବାଗପତ ଆଶ୍ରମରେ ୨୦ ଦିନ ବିତାଇବେ

1 min read

ଜେଲରୁ ବାହାରିଲେ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବାବା ରାମ ରହିମ। ରାଜ୍ୟ ସରକାର ତାଙ୍କୁ ୨୧ ଦିନିଆ ପାର୍‌ଲୋ ଦେଇଛନ୍ତି। ମଙ୍ଗଳବାର ସକାଳ ୬ଟା ୪୬ରେ ହନିପ୍ରୀତ ସୁନାରିଆ ଜେଲରୁ ରାମ ରହିମକୁ ନେଇ ୟୁପିର ବର୍‌ନାୱା ଆଶ୍ରମ ଚାଲି ଯାଇଛନ୍ତି।

ଗୋଟିଏ ଗାଡ଼ିରେ ହନିପ୍ରୀତଙ୍କ ବ୍ୟତୀତ ଚାଳକ ରାଜା ଏବଂ ସିପି ଆରୋରା ଥିବାବେଳେ ଅନ୍ୟ ଗାଡ଼ିରେ ଡ୍ରାଇଭର ପ୍ରୀତମ, ଆଇନଜୀବୀ ହର୍ଷ ଆରୋରା ଏବଂ ଡକ୍ଟର ପିଆର ନୈନ ଥିଲେ। ପୁଲିସର ସୁରକ୍ଷା ବଳୟରେ ରାମ ରହିମଙ୍କୁ ଜେଲରୁ ୟୁପି ନିଆଯାଇଛି।

Advertisement

ରାମ ରହିମ ଦୁଇ ଶିଷ୍ୟଙ୍କ ସହିତ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୨୦୧୭ରୁ ଜେଲରେ ବନ୍ଦ ରହିଛନ୍ତି । ତାଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ତେବେ ପ୍ରଥମ ଥର ପାଇଁ ରାମରହିମଙ୍କୁ ପାରୋଲ ମିଳିନାହିଁ । ପୂର୍ବରୁ ୯ ଥର ଜେଲରୁ ପାରୋଲରେ ଆସିଛନ୍ତି । ଗତ ଚାରି ବର୍ଷ ମଧ୍ୟରେ ରାମ ରହିମ ୧୫ ତମ ଥର ପାରୋଲରେ ଜେଲରୁ ବାହାରିଛନ୍ତି ।

ସୋମବାର ନିର୍ବାଚନ ଆୟୋଗ ଗୁରୁମିତ ରାମ ରହିମଙ୍କ ପାରୋଲ ଅନୁରୋଧକୁ ଅନୁମୋଦନ କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ କହିଛନ୍ତି ଯେ ହରିୟାଣା ସରକାର ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂଙ୍କ ପାରୋଲକୁ ବିଚାର କରିପାରନ୍ତି। ଏଥିପାଇଁ ତାଙ୍କ ପାରୋଲ୍ ଆବେଦନରେ ଲେଖାଯାଇଥିବା ତଥ୍ୟ ସତ୍ୟ ହେବା ଉଚିତ୍ । ଆହୁରି ମଧ୍ୟ, ନିର୍ବାଚନ ପାଇଁ ମଡେଲ ଆଚରଣ ସଂହିତା ସମ୍ବନ୍ଧୀୟ ଅନ୍ୟାନ୍ୟ ସର୍ତ୍ତଗୁଡିକ ପୂରଣ ହେବା ଉଚିତ ।

ହରିୟାଣା ନିର୍ବାଚନ ଠିକ୍‌ ପୂର୍ବରୁ ପୁଣି ଥରେ ପାରୋଲରେ ବାହାରିଛନ୍ତି ରାମ ରହିମ। ଆସନ୍ତା ୫ ତାରିଖରେ ହରିୟାଣା ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାମ ରହିମଙ୍କୁ ୨୦ ଦିନର ପାରୋଲ ଅନୁମତି ମିଳିଛି। ଏହି ସମୟ ମଧ୍ୟରେ ସେ ନିର୍ବାଚନରେ କୌଣସି ପ୍ରକାର ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଅଂଶଗ୍ରହଣ କରିବାକୁ ବାରଣ କରିଛନ୍ତି ନିର୍ବାଚନ ଆୟୋଗ। ଏଥିସହ ସୋସିଆଲ ମିଡିଆରେ ପ୍ରଚାର କିମ୍ବା କୌଣସି ନିର୍ବାଚନ ପ୍ରଚାର ରାଲିରେ ସାମିଲ ନ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ତାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି । ରାମ ରହୀମ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ୨୦ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି ।

Leave a Reply

Your email address will not be published. Required fields are marked *