ମୋହନ ସରକାରଙ୍କୁ ବବିଙ୍କ ଖୋଲା ଚ୍ୟାଲେଞ୍ଜ , ଦମ୍ ଅଛି ଯଦି ମୋତେ ଜେଲ୍ ପଠାଓ !
1 min readମୁଁ ଜେଲ୍ ଯିବାକୁ ରାଜି , ଦମ୍ ଅଛିତ ମୋତେ ଜେଲ୍ ପଠାଓ । ଦୁର୍ନୀତି କରିଛି ତ ବାନ୍ଧୁନ କାହିଁକି ? ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ପାଇଁ ଆୟୋଜିତ ଯାଜପୁର ନିର୍ବାଚନମଣ୍ଡଳୀର କୁଆଶ ମଙ୍ଗଳା ପୀଠଠାରେ ଏକ ସାଧାରଣ ସଭାରେ ଯୋଗ ଦେଇ ପ୍ରଣବ ପ୍ରକାଶ ଦାସ(ବବି) ବିଜେପିକୁ ସିଧା ଟାର୍ଗେଟ୍ କରିଥିଲେ । ବବି କହିଛନ୍ତି ଯେ ଯାଜପୁରର ବିକାଶ ପାଇଁ ଯଦି ସେ ଭୁଲ୍ କରିଛନ୍ତି ତା’ହେଲେ ସେଭଳି ଭୁଲ୍ ବାରମ୍ବାର କରିବେ । ଯଦି ସେ ଦୁର୍ନୀତି କରିଛନ୍ତି ବୋଲି କହୁଛ, ତେବେ କାହିଁକି ବାନ୍ଧୁନ ବୋଲି ଓଲଟା ମୋହନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।
ଯଦି ଦୁର୍ନୀତି କରିଛି ତା’ହେଲେ ବାନ୍ଧିବାକୁ କିଏ ଅଟକାଇଛି ବୋଲି ବବି ପ୍ରଶ୍ନ କରିବା ସହ ୧୫ବର୍ଷ ତଳର ପୁରୁଣା ମାମଲାକୁ ଆଣି ହଟଚମଟ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି କହିଛନ୍ତି । ସେ ଯାଜପୁର ବିକାଶ ପାଇଁ ପୁଣି ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
ବବି ଗତ ସାଧାରଣ ନିର୍ବାଚନରେ ନିଜର ପାରମ୍ପରିକ ଯାଜପୁର ବିଧାନସଭା ଆସନ ପରିବର୍ତ୍ତେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ । ମାତ୍ର ନିଜର ମା’ଙ୍କୁ କୋରେଇ ବିଧାନସଭା ଆସନରୁ ପ୍ରାର୍ଥୀ କରାଇଥିଲେ । ଆଉ ସେଠାରେ ତାଙ୍କ ମା’ ପରାଜିତ ହୋଇଥିଲେ । କିନ୍ତୁ ତାଙ୍କର ଅନୁଗତ ସୁଜାତା ସାହୁଙ୍କୁ ନିଜ ସିଟ୍ ଯାଜପୁରରୁ ଦଳୀୟ ପ୍ରାର୍ଥୀ କରାଇଥିଲେ ଏବଂ ସୁଜାତା ମଧ୍ୟ ବିଜୟୀ ହୋଇଛନ୍ତି । ବବିଙ୍କ ପାଇଁ ସୁଜାତା ନିଜ ପଦବୀରୁ ଇସ୍ତଫା ଦେଇପାରନ୍ତି ବୋଲି ଗଣମାଧ୍ୟମରେ ଆକଳନ ଜାରି ରହିଛି ।