ନୁଆ ବର୍ଷରେ ନବବଧୁ ହତ୍ୟା : ଝିଅକୁ କରେଣ୍ଟ ଲଗାଇ ମାରିଦେବା ଅଭିଯୋଗ ଆଣିଲେ ପରିବାର ଲୋକେ
1 min readଢେଙ୍କାନାଳ : ନୂଆ ବର୍ଷରେ ଆସିଲା ନବବଧୂ ହତ୍ୟା ଅଭିଯୋଗ ।ନବବଧୁକୁ କରେଣ୍ଟ ଲଗାଇ ହତ୍ୟା ପରେ ଶାଶୁଘର ଲୋକ ଫ୍ୟାନରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ନବବଧୂର ବାପଘର ଲୋକେ।ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୋଡାପଡା ଗାଁରେ ଏଭଳି ଘଟଣା ଘଟିଛି।ଗତ ୨୦୨୧ ମସିହା ଜୁଲାଇ ୭ ତାରିଖରେ ବାଙ୍ଗୁରସିଙ୍ଗା ଗାଁର ସାଗରିକା ମହାକୁଡ ପୋଡାପଡା ଗାଁର ରତିକାନ୍ତ ଭୁତିଆଙ୍କୁ ବିବାହ କରିଥିଲେ।
ବିବାହ ପରେ ସାଗରିକାଙ୍କୁ ସ୍ୱାମୀ , ଶାଶୁ , ଶଶୁର , ଓ ଦିଅର ମିଶି ତାଙ୍କୁ ଶାରିରୀକ ନିର୍ଯ୍ୟତନା ଦେଇ ଆସୁଥିଲେ ବୋଲି ଅଭିଯୋଗ କରିଛନ୍ତି ସାଗରିକାଙ୍କ ମା ଝରଣା ମହାକୁଡ। ଗତ କିଛି ଦିନ ପୂର୍ବରୁ ଝିଅକୁ ମାରପିଟ କରିବାରୁ ସାଗରିକାଙ୍କ ଘର ଲୋକ ତାଙ୍କୁ ଘରକୁ ମଧ୍ୟ ନେଇ ଯାଇଥିଲେ।ହେଲେ ଶଶୁର ସୁରେଶ ଭୁତିଆ ଓ ସ୍ୱାମୀ ପୁଣି ବୁଝାବୁଝି କରି ସାଗରିକାଙ୍କୁ ଘରକୁ ଆଣିଥିଲେ।
ରବିବାର ଭୋର ସମୟରେ ନବବଧୂ ସାଗରିକା ମହାକୁଡ ପୋଡାପଡା ସ୍ଥିତ ଶଶୁର ଘରେ ଫ୍ୟାନରେ ରସି ଲଗାଇ ଥିବାର ଦେଖିବା ପରେ ଶାଶୁ ଚମ୍ପା ଭୁତିଆପୋଲିସକୁ ଖବର କରିଥିଲେ ।ପରେ ଝୁଲନ୍ତା ଅବସ୍ଥାରେ ସାଗରିକାଙ୍କ ମୃତ ଶରୀର ଉଦ୍ଧାର କରି ମୋଟଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି।ଏପଟେ ସାଗରିକାଙ୍କ ପରିବାର ପକ୍ଷରୁ ମୋଟଙ୍ଗା ଥାନାରେ ଏତଲା ପରେ ସ୍ୱାମୀ ରତିକାନ୍ତ ଭୁତିଆ ଓ ଶଶୁର ସୁରେଶ ଭୁତିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ମୋଟଙ୍ଗା ଥାନା ପୋଲିସ।
ସାଗରିକାଙ୍କ ମୃତ ଶରୀର ପୋଷ୍ଟମୋର୍ଟମ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ମିଳିବ ଏବଂ ସେହି ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ ।