Pratidin TV

Odisha's Digital News Platform

ଜାଣନ୍ତୁ କାଶତଣ୍ଡୀର ପ୍ରେମକାହାଣୀ , କାଶତଣ୍ଡୀ କାହିଁକି ତା ପ୍ରେମକୁ ପାଇ ପାରିନଥିଲା?

1 min read

ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯାଏ ଏହାର କମନୀୟ ସୁଷମା ଭିତରେ. । ହେଲେ କାଶତଣ୍ଡିର ଅଛି ଏକ ଦୁଃଖଭରା କାହାଣୀ ।

ଲୋକକଥା କହେ, ଗୋଟିଏ ରାଜ୍ୟରେ ଥିଲେ ଜଣେ ଖୁବ୍‌ ସୁନ୍ଦର ରାଜକୁମାର। ତାଙ୍କର ଶିକାର କରିବାର ସଉକ ଥିଲା। ପ୍ରତିଦିନ ଜଙ୍ଗଲକୁ ଶିକାର କରିବାକୁ ଯାଇ ଫେରିବାବେଳେ ଜଙ୍ଗଲ ନିକଟରେ ଥିବା ଏକ ନଦୀକୂଳରେ ବିଶ୍ରାମ ନିଅନ୍ତି। ଦିନେ ସେ ନଦୀକୂଳରେ ଶୁଭ୍ର ବସ୍ତ୍ର ପରିହିତା ଜଣେ ଅପରୂପ ଯୁବତୀଙ୍କୁ ଦେଖନ୍ତି। ରାଜକୁମାର ଏକତରଫା ତାଙ୍କ ପ୍ରେମରେ ପଡିଯାନ୍ତି। ଖବର ନେଇ ଜାଣନ୍ତି ଯେ, ଯୁବତୀ ଜଣଙ୍କ ହେଉଛନ୍ତି ସେହି ନଦୀକୂଳିଆ ଗାଁ ପାଖରେ ରହୁଥିବା ଏକ ଦଳିତ ପରିବାରର ଝିଅ କାଶତଣ୍ଡୀ। କେତେଦିନ ପରେ ରାଜକୁମାର କାଶତଣ୍ଡୀକୁ ନିଜ ମନକଥା କୁହନ୍ତି, ସେତେବେଳକୁ କାଶତଣ୍ଡୀ ବି ଭଲ ପାଇ ବସିଥାଏ ରାଜକୁମାରଙ୍କୁ। ପ୍ରତିଦିନ ନଦୀ ପଠାରେ ରାଜକୁମାର ଯାଇ ଭେଟୁଥାନ୍ତି କାଶତଣ୍ଡୀକୁ। ସେମାନଙ୍କ ପ୍ରେମର କଥା ପହଞ୍ଚେ ରାଜାଙ୍କ ପାଖରେ।

Advertisement

ଖୁବ୍‌ ରାଗିଯାନ୍ତି ରାଜା। ଏପଟେ ସେମାନଙ୍କ ପ୍ରେମର ନିବିଡ଼ତା ବଢୁଥିବାବେଳେ ରାଜା ଚିନ୍ତା କରୁଥିଲେ ସେମାନଙ୍କୁ କିଭଳି ଅଲଗା କରିବେ। ଦିନେ ରାଜା ସୈନ୍ୟସାମନ୍ତ ପଠାନ୍ତି ନଦୀପଠାକୁ ରାଜକୁମାରଙ୍କୁ ଫେରାଇ ନେବାକୁ। କିନ୍ତୁ ରାଜକୁମାର ମନା କରିଦିଅନ୍ତି। କାଶତଣ୍ଡୀଙ୍କୁ ନ ନେଇ ସେ ରାଜଉଆସ ଯିବେନି। ରାଜା ଶେଷରେ ଆଦେଶ ଦିଅନ୍ତି ଦୁହିଁଙ୍କୁ ଜୀବନ୍ତ କବର ଦେବାକୁ। ଏକଥାରେ ରାଜକୁମାର ରାଜି ହୋଇଯାନ୍ତି। କିନ୍ତୁ କାଶତଣ୍ଡୀ ରାଜକୁମାରଙ୍କୁ ରାଣ ଦେଇ ବୁଝାନ୍ତି ରାଜଉଆସ ଫେରି ଯିବାକୁ। ରାଜକୁମାର ତଥାପି ରାଜି ନ ହେବାରୁ ସୈନ୍ୟସାମନ୍ତ ତାଙ୍କୁ ଜୋର ଜବରଦସ୍ତ ନେଇଯାନ୍ତି। ରାଜକୁମାର ଯିବା ପରେ ଜୀବନ ହାରି ଦିଅନ୍ତି କାଶତଣ୍ଡୀ। ଏହାପରେ କିନ୍ତୁ ରାଜକୁମାର ଆଉ ବିବାହ କରନ୍ତିନି। କାଶତଣ୍ଡୀକୁ ଝୁରିଝରି ପ୍ରତିଦିନ ନଈପଠାରେ ଯାଇ ବସନ୍ତି। କୁହାଯାଏ, କାଶତଣ୍ଡୀର ଅତୃପ୍ତ ଆତ୍ମା ଗଣେଶ ପୂଜା ପରେ ପରେ ଶରତ ଋତୁର ଆଗମନରେ ଧରାପୃଷ୍ଠକୁ ଆସିଥାଏ ଓ ଶରତ ଫେରିଯିବା ସହ ସେ ବି ଫେରିଯାଇଥାଏ। ସେବେଠାରୁ ପାର୍ବଣଋତୁରେ ପୂଜା ଓ ପବିତ୍ରତାର ରୂପ ଧରି ପ୍ରେମର ବାର୍ତ୍ତା ଦେଉଛି କାଶତଣ୍ଡୀ। ଆଉ ଜଗତକୁ କରୁଛି ପ୍ରେମମୟ। ଯେଉଁ ପ୍ରେମରୁ ଆଜି ବି କେହି ମୁକୁଳି ପାରିନାହାନ୍ତି।

Leave a Reply

Your email address will not be published. Required fields are marked *