Pratidin TV

Odisha's Digital News Platform

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର…

1 min read

ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଦମନ’କୁ ମିଳିଲା ଜାତୀୟ ପୁରସ୍କାର । ରାଷ୍ଟ୍ରପତି ଭବନରେ ଆୟୋଜିତ 70ତମ ଜାତୀୟ ପୁରସ୍କାର ସମାରୋହରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ‘ଦମନ’। ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କଲେ ପ୍ରଯୋଜକ ଓ ୨ ନିର୍ଦ୍ଦେଶକ। ଏହା ସହିତ ଫିଲ୍ମର ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କୁ ମିଳିଲା ପୁରସ୍କାର ।ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଓ ଦେବୀପ୍ରସାଦ ଲେଙ୍କା ମଧ୍ୟ ପୁରସ୍କୃତ ହୋଇଛନ୍ତି । ଏହି ପୁରସ୍କାର ରାଜ୍ୟ ପାଇଁ ଆଣିଛି ଗର୍ବ ଓ ଗୌରବ। ଏହି ଫିଲ୍ମରେ ଦିଆଯାଇଥିବା ସଚେତନତା ବାର୍ତ୍ତା ସମସ୍ତଙ୍କ ମନକୁ ଛୁଇଁଥିବାବେଳେ ସବୁ ମହଲରେ ପ୍ରଶଂସା ସାଉଣ୍ଟିଛି ଏହି ଓଡ଼ିଆ ଫିଲ୍ମ । ଓଲିଉଡ ପାଇଁ ଏହା ଏକ ସଞ୍ଜୀବନୀ ସାଜିଥିବା ଚର୍ଚ୍ଚା ହେଉଛି

ସୂଚନା ଅନୁସାରେ, ବିଶାଳ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଦମନ ୨୦୨୨ ମସିହା ନଭେମ୍ବର ୪ ତାରିଖରେ ସାରା ରାଜ୍ୟରେ ମୁକ୍ତିଲାଭ କରିଥିଲା। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ବାବୁଶାନ ମହାନ୍ତି ଓ ଦୀପନ୍ୱିତ ଦାଶମହାପାତ୍ର। ଦିପେନ୍ଦ୍ର ସାମଲ ଏହାର ପ୍ରଯୋଜକ ଥିଲେ। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରବ ଆନନ୍ଦ।

Advertisement

ଜେପି ୱାର୍ଡ଼ସ୍ମିଥ ଓ ବାପୁ ଗୋସ୍ୱାମୀ ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିବା ବେଳେ ଋତୁରାଜ ମହାନ୍ତି, ବାବୁଶାନ୍, ଅନୁରାଗ ଦାସ, ଗୌରବ ଆନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ। ମାଲକାନାଗିରିର ଚିତ୍ରକୋଣ୍ଡା ପାଖ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗ ଦମନ ପାଇଁ ଏକ ଯୁବ ଡାକ୍ତରଙ୍କର ପ୍ରୟାସକୁ ଏହି କଥାଚିତ୍ରରେ ଦର୍ଶାଯାଇଥିଲା। ଓଡ଼ିଶା ସରକାରଙ୍କର ମ୍ୟାଲେରିଆ ରୋଗ ନିରାକରଣ କରିବା ଲକ୍ଷ୍ୟରେ “ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ” ନାମକ ଯୋଜନା କରାଯାଇଥିଲା।ଏଥିରେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠ କାହାଣୀ ପ୍ରତିଫଳିତ ହୋଇଛି । ଡାକ୍ତରୀ ପାଠ ଶେଷ କରିବା ପରେ ଡାକ୍ତରଙ୍କର ପୋଷ୍ଟିଂ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ । ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତରଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଆହ୍ବାନର ସାମ୍ନା କରିବାକୁ ପଡ଼ୁଛି, ତାହା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *