Pratidin TV

Odisha's Digital News Platform

ଜିଲାପି ଖାଇଲେ ରାହୁଲ, ସ୍ୱାଦ ନେଇଗଲା ବିଜେପି; ହରିୟାଣାରେ ହ୍ୟାଟ୍ରିକ

1 min read

ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ନେଇ ସବୁ ପୂର୍ବାନୁମାନ ଭୁଲ । ବାଜି ମାରିନେଇଛି ବିଜେପି । ଲଗାତର ତୃତୀୟ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି ଗୈରିକ ପାର୍ଟି । ହରିୟାଣା ନିର୍ବାଚନରେ ଏଥର କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ସବୁ ଏକଜିଟ ପୋଲ୍ ଆକଳନ କରିଥିଲେ । କିନ୍ତୁ ହୋଇଛି ଓଲଟା । ଅସମ୍ଭବକୁ ସମ୍ଭବ କରିଛି ବିଜେପି । ହ୍ୟାଟ୍ରିକ କରିବା ସହ ରାଜ୍ୟ ରାଜନୀତିରେ ନୂଆ ଇତିହାସ ରଚିଛି ବିଜେପି । ହରିୟାଣା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବା ପରେ ଚାରିଆଡ଼େ ଜିଲାପି କୁ ନେଇ ଚର୍ଚ୍ଚା କୁହାଯାଉଛି- ଜଲେବି ଖାଇଲେ ରାହୁଲ ଗାନ୍ଧି, ହେଲେ ସ୍ୱାଦ ନେଇଗଲା ବିଜେପି।

ହରିୟାଣା ନିର୍ବାଚନରେ ୨ଟି ପ୍ରମୁଖ ଶଦ୍ଦ ଥିଲା ଜାଟ୍‌ ଓ ଜିଲାପି। କଂଗ୍ରେସ ଏହି ଦୁଇଟି ଉପରେ ବାଜି ଲଗାଇଥିଲା। ହେଲେ ଶେଷ ମୂହୁର୍ତ୍ତରେ ଏହା ଫେଲ୍‌ ମାରିଥିଲା। ହରିୟାଣାର ଗୋହାନର ପ୍ରସିଦ୍ଧ ଜିଲାପି ନିର୍ବାଚନ ପୂର୍ବରୁ ରାହୁଲଙ୍କ ଭାଷଣରେ ବାରମ୍ବାର ଶୁଣିବାକୁ ମିଳୁଥିଲା। ତେବେ ଏହାକୁ ନେଇ କଂଗ୍ରେସ ଜୋରଦାର ଭାଜପାକୁ ଟାର୍ଗେଟ ମଧ୍ୟ କରିଥିଲା। ତେବେ ଆଜି ସକାଳୁ ସକାଳୁ କଂଗ୍ରେସ ହରିୟାଣା ମତ ଗଣନାରେ ଆଗରେ ଥିବାର ଦେଖି ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ଜିଲାପି ବଣ୍ଟା ଯାଇଥିଲା। ହେଲେ ପରେ ଭାଜପା ଆଗରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଲା।

Advertisement

ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସି ସାରିଛି। ଭାଜପା କ୍ରମାଗତ ତୃତୀୟ ଥର ସରକାର ଗଢିବାକୁ ଯାଉଛି। ତେବେ ମଙ୍ଗଳବାର ସକାଳେ କଂଗ୍ରେସର ଖୁସିର ମାହୋଲ ଅଚାନକ ଦୁଃଖର ମାହୋଲରେ ବଦଳିଗଲା। ସକାଳେ କଂଗ୍ରେସ ମୁଖ୍ୟାଳୟରେ ଉତ୍ସବର ମାହୋଲ ଥିଲା କିନ୍ତୁ ଅପରାହ୍ଣ ବେଳକୁ ସବୁ କିଛି ବଦଳିଗଲା।

ତେବେ  ଏକଜିଟ୍ ପୋଲ୍ ଆକଳନରେ ଉତ୍ସାହିତ ଥିବା କଂଗ୍ରେସ ଶିବିରରେ ଜଲେବି ବଣ୍ଟା ଚାଲିଥିଲା। ଆଜି ଗଣତି ଆରମ୍ଭ ହେଉ ହେଉ ବି ଜଲେବି ସେଲିବ୍ରେସନ ହୋଇଥିଲା। ହେଲେ ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ଶିବିରରେ ଜମିଥିଲା ଜଲେବିର ଆସର। ବିଜୟ ଉତ୍ସବ ପାଇଁ ନିଜେ ଜଲେବି ଛାଣିଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା।

ହରିୟାଣା ନିର୍ବାଚନ ପ୍ରଚାର ବେଳେ ଏହି ଫେମସ୍ ଜଲେବି ଖାଇବା ସହ ଏହା କଥା ଭାଷଣରେ ଉଠାଇଥିଲେ ରାହୁଲ ଗାନ୍ଧି। କହିଥିଲେ, ଏଭଳି ଜଲେବି ଫ୍ୟାକ୍ଟ୍ରିରେ ତିଆରି ହେଲେ ୫୦ ହଜାର ଲୋକ ନିଯୁକ୍ତି ପାଇବେ ଓ ଏହା ବାହାର ରାଜ୍ୟ ଓ ବିଦେଶକୁ ବି ରପ୍ତାନୀ ହୋଇପାରିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ଜଲେବି କଥା ଉଠାଇ କହିଥିଲେ, “ଇଣ୍ଡି ମେଣ୍ଟ ଯଦି କ୍ଷମତାକୁ ଆସେ ୫ ବର୍ଷରେ ୫ ଜଣ ପ୍ରଧାନମନ୍ତ୍ରୀ କରିବା ପାଇଁ ସେମାନଙ୍କ ପାଖରେ ଫର୍ମୁଲା ଅଛି। ସେମାନଙ୍କୁ ପଚାର ଏହା ପ୍ରଧାନମନ୍ତ୍ରୀ ପଦ ନା ମାତୁ ରାମ୍ କି ଜଲେବି?”

Leave a Reply

Your email address will not be published. Required fields are marked *