Pratidin TV

Odisha's Digital News Platform

ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଲେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

1 min read

ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କ ପରଲୋକ ଘଟିଛି । ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ସେ ନିଜ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୁରୁତର ଅବସ୍ଥାରେ ଗତ କିଛି ଦିନ ହେବ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ୮୬ ବର୍ଷ ବୟସରେ ରତନ ଟାଟା ଆଖି ବୁଜିଛନ୍ତି |

ତେବେ ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି | ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ସେ ଟାଟାଙ୍କ ମହାନ ପରମ୍ପରାକୁ ଆଗକୁ ବଢ଼ାଇଥିଲେ ଏବଂ ଏହାକୁ ଆହୁରି ପ୍ରଭାବଶାଳୀ ବିଶ୍ୱସ୍ତରୀୟ ଉପସ୍ଥିତି ପ୍ରଦାନ କରିଥିଲେ । ମୁଁ ତାଙ୍କ ପରିବାର, ଟାଟା ଗ୍ରୁପର ସମଗ୍ର ଟିମ୍ ଏବଂ ସମଗ୍ର ବିଶ୍ୱରେ ଥିବା ତାଙ୍କ ପ୍ରଶଂସକଙ୍କୁ ମୋର ସମବେଦନା ଜଣାଉଛି ବୋଲି ରାଷ୍ଟ୍ରପତି ଶୋକବାର୍ତ୍ତାରେ କହିଛନ୍ତି।

Advertisement

ରତନ ଟାଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ରତନ ଟାଟା ଜଣେ ଦୂରଦର୍ଶୀ ଶିଳ୍ପପତି, ଦୟାଳୁ ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ସେ ତାଙ୍କ ନମ୍ରତା, ଦୟା ଏବଂ ଆମ ସମାଜର ଉନ୍ନତି ପାଇଁ ଅତୁଟ ପ୍ରତିବଦ୍ଧତା ଯୋଗୁଁ ଅନେକଙ୍କ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି।

ସେପଟେ ରତନ ଟାଟାଙ୍କ ବିୟୋଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ରତନ ଟାଟା ଭାରତୀୟ ଉଦ୍ୟୋଗର ଜଣେ ଦକ୍ଷ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସେ ଦୁଃଖିତ। ରତନ ଟାଟାଙ୍କ ମୃତ୍ୟୁକୁ ନେଇ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି- ରତନ ଟାଟାଙ୍କ ଅନୁପସ୍ଥିତିକୁ ମୁଁ ଗ୍ରହଣ କରିପାରୁନାହିଁ। ଭାରତର ଅର୍ଥନୀତି ଏକ ଐତିହାସିକ ଉନ୍ନତିର ଦ୍ୱାରରେ ରହିଛି । ଏବଂ ରତନ ଟାଟାଙ୍କର ଏଥିପାଇଁ ଗୋଟିଏ ବଡ଼ ଅବଦାନ ରହିଛି। ରତନ ଟାଟାଙ୍କ ବିୟୋଗରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ରତନ ଟାଟାଙ୍କ ବିୟୋଗରେ ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ରତନ ଟାଟା ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଥିଲେ। ସେ ଉଭୟ ବ୍ୟବସାୟ ଏବଂ ପରୋପକାର କ୍ଷେତ୍ରରେ ଏକ ଅବିସ୍ମରଣୀୟ ଛାପ ଛାଡିଛନ୍ତି ।

ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କ ବିୟୋଗରେ ସେ ଦୁଃଖ ପ୍ରକାଶ କରିଛନ୍ତି। ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଭାରତୀୟ ଶିଳ୍ପର ଜଣେ ପ୍ରମୁଖ ଚେହେରା ଏବଂ ଜଣେ ସମାଜସେବୀ ଥିଲେ । ତାଙ୍କ ବିୟୋଗ ଭାରତୀୟ ବ୍ୟବସାୟ ଓ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ହେବ। ତାଙ୍କ ପରିବାରର ସମସ୍ତ ସଦସ୍ୟ ଏବଂ ସହକର୍ମୀଙ୍କ ପ୍ରତି ରାହୁଲ ଗାନ୍ଧୀ ସମବେଦନା ଜଣାଇଛନ୍ତି।

ରତନ ଟାଟାଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଲେଖିଛନ୍ତି ଯେ- ରତନ ଟାଟାଙ୍କ ଭଳି କିଛି ଲୋକ ନିଜର ଦୂରଦୃଷ୍ଟି ଓ ସଚ୍ଚୋଟତା ବଳରେ ଏହି ଦୁନିଆରେ ଏକ ସ୍ଥାୟୀ ଛାପ ଛାଡ଼ିଛନ୍ତି। ଆଜି ଆମେ କେବଳ ଜଣେ ଶିଳ୍ପପତିଙ୍କୁ ହରାଇନାହୁଁ, ବରଂ ଜଣେ ପ୍ରକୃତ ମଣିଷ ହିତରେ କାମ କରୁଥିବା ବ୍ୟକ୍ତିଙ୍କୁ ହରାଇଛୁ। ଯାହାଙ୍କ ଛାପ ପ୍ରତ୍ୟେକ ହୃଦୟରେ ବଞ୍ଚି ରହିଛି । ତାଙ୍କ ବିୟୋଗରେ ମୁଁ ଦୁଃଖିତ।

ରତନ ଟାଟାଙ୍କ ବିୟୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଦୁଃଖ ପ୍ରକାଶ କରିଛନ୍ତି। ରତନ ଟାଟା ନୈତିକ ନେତୃତ୍ୱର ଉଦାହରଣ ସୃଷ୍ଟି କରି ସବୁବେଳେ ଦେଶ ଓ ଲୋକଙ୍କ କଲ୍ୟାଣକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ପରିବର୍ତ୍ତନ ଆଣିବା ପାଇଁ ତାଙ୍କର ଦୟା, ନମ୍ରତା ଏବଂ ଉତ୍ସାହ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୋର ଗଭୀର ସମବେଦନା ।

ସୂଚନା ଅନୁଯାୟୀ, ଟାଟା ସନ୍ସର ଅଧ୍ୟକ୍ଷ ରତନ ଟାଟାଙ୍କର ବୁଧବାର ମୁମ୍ବାଇର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି। ସେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିଲେ ଏବଂ ଗତ କିଛି ଦିନ ହେବ ହସ୍ପିଟାଲରେ ଆଇସିୟୁରେ ଥିଲେ। ରତନ ଟାଟାଙ୍କ ବିୟୋଗ ବାବଦରେ ବିଶିଷ୍ଟ ଶିଳ୍ପପତି ହର୍ଷ ଗୋୟେଙ୍କା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଟାଟା କର୍ତ୍ତୃପକ୍ଷଙ୍କ ତରଫରୁ ମଧ୍ୟ ରତନ ଟାଟାଙ୍କ ବିୟୋଗ ବାବଦରେ ସ୍ପଷ୍ଟୀକରଣ ରଖାଯାଇଛି । ୮୬ ବର୍ଷୀୟ ରତନ ଟାଟା ସୋମବାର କହିଥିଲେ ଯେ ତାଙ୍କ ବୟସ ଏବଂ ଆନୁଷଙ୍ଗିକ ଅସୁସ୍ଥତା କାରଣରୁ ତାଙ୍କର ନିୟମିତ ଡାକ୍ତରୀ ପରୀକ୍ଷା ଚାଲିଛି।

ଗତ ସପ୍ତାହରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଅନେକ ଖବର ସାମ୍ନାକୁ ଆସିଥିଲା, କିନ୍ତୁ ରତନ ଟାଟା ଜନସାଧାରଣଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ତାଙ୍କ ବୟସ ଏବଂ ଆନୁଷଙ୍ଗିକ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ତାଙ୍କର ନିୟମିତ ଡାକ୍ତରୀ ପରୀକ୍ଷା କରାଯାଉଛି।

Leave a Reply

Your email address will not be published. Required fields are marked *