Pratidin TV

Odisha's Digital News Platform

କାହିଁକି ପାଳନ ହୁଏ କୁମାର ପୂର୍ଣ୍ଣିମା ? ଜାଣନ୍ତୁ ଏହି ଦିନର ମହତ୍ତ୍ବ ବିଷୟରେ…

1 min read

କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ କୁଆଁରୀ ମାନେ ଯେ ପୁଚି ଖେଳୁଛନ୍ତି ଝୁଣ୍ଟିଆ ଶବଦ ଶୁଣ ଗୋ ଫୁଲ ବଉଳବେଣୀ।  ରାତି ପାହିଲେ କୁମାରୀ ମାନେ ପାଳିବେ  କୁମାର ପୂର୍ଣ୍ଣିମା । ଓଡ଼ିଶାର ଘରେ ଘରେ ଏହି ପର୍ବ ପାଳନ ହୁଏ । କାହିଁ କେତେ କାଳରୁ ଏହି ପର୍ବ ପାଳନ କରାଯାଉଛି । ଓଡ଼ିଆ ଘରେ ଏହି ପର୍ବ ବହୁ ଆଡମ୍ୱରରେ ପାଳନ କରାଯାଏ । ୧୨ ମାସରେ ଓଡ଼ିଆ ଘରେ ୧୩ ପର୍ବ ପାଳନ ହୁଏ । ଆଉ କୁମାରୀ ପୂର୍ଣ୍ଣିମା ବି ସେହିଭଳି ମହା ଆଡିମ୍ବରରେ ପାଳନ କରାଯାଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ଜଗନ୍ମାତା ମା’ ଲକ୍ଷ୍ମୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ବା କୋଜାଗାର ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ ।

ଏହି ଦିନ କୁଆଁରୀ ଝିଅମାନେ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ ଝିଅମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି ବୋଲି ବିଶ୍ବାସ ରହିଛି। ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲି ଆସୁଛି। ଏହା ସ‌ହ କୁମାରୀ ମାନେ ସେହି ଦିନ ବ୍ରତ କରିବା ସହ ନିଜ ଜୀବନ ସାଥୀ ପାଇଁ ସେହି ଦିନ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି ।ପୁରାଣରେ କଥିତ ଅଛି ଯେ, ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା । ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି। ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ । ସେହିପରି ଭଗବାନ ଶିବଙ୍କର ପୁଅ କାର୍ତ୍ତିକେୟ ଈଶ୍ୱରମାନଙ୍କ ମଧ୍ୟରେ ସବୁଠାରୁ ସୁନ୍ଦର ବୋଲି ପୁରାଣରେ କଥିତ ଅଛି । ସେ ଏହି ଦିନ ତାଡ଼କାସୁର ସ‌ହିତ ଯୁଦ୍ଧ ଆରମ୍ଭ କରିଥିଲେ । ତାଡ଼କାସୁରକୁ ପରାଜିତ କରିଥିବାରୁ ତାଙ୍କୁ ଯୁଦ୍ଧର ଦେବତା ଭାବେ ମଧ୍ୟ ଜଣାଯାଏ । ତେବେ ଏହି ପର୍ବରେ କାର୍ତ୍ତିକେୟଙ୍କ ପାଇଁ କୌଣସି ବିଶେଷ ପୂଜା ବିଧି ନାହିଁ ।ଏହି ଦିନ ଘରର କୁମାରୀମାନେ ଭୋର୍‌ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ । ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ । ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ଏହିଦିନ କୁମାରୀ ତ‌ଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ । ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ ।

Advertisement

ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବ‌ହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବ‌ହୃତ ହୋଇଥାଏ । ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସ‌ହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ । ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା’ ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ । ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ । ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦ‌ହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ । ଏହି ପର୍ବରେ ତିଆରି କରାଯାଉଥିବା ମଣ୍ଡା ପିଠା ଓଡ଼ିଶାର ମୁଖ୍ୟ ଆକର୍ଷଣମାନ‌ଙ୍କ ମଧ୍ୟରୁ ଅନ୍ୟତମ । ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନ‌ଙ୍କୁ ଶଙ୍ଖ ଓ ହୁଳହୁଳି ସ‌ହ ଦୀପରେ ବନ୍ଦାଇ ଦିଆଯାଏ ।

ଯେଉଁ ଘରେ କୌଣସି କୁମାରୀ କନ୍ୟା ନଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି । ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି । ଗାଁ ଗ‌ହଳିର ଝିଅମାନେ ଗୀତ ଗାଇ ପୁଚି ଖେଳିଥାନ୍ତି । ପୁଅମାନେ ପଶା ଓ ତାସ୍ ଖେଳି ମନୋରଞ୍ଜନ କରିଥାନ୍ତି । କେତେକ ଅଞ୍ଚଳରେ ଏହି ଦିନ ଘରର ଜ୍ୱାଇଁମାନ‌ଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଉପହାର ଦିଆଯାଇଥାଏ । ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାରୀ କନ୍ୟାମାନେ ଏକାଠି ହୋଇ ଜହ୍ନି ଓଷା କରନ୍ତି ।

ଏହି ଓଷାର ଉଦ୍‌ଯାପନ କୁମାର ପୂର୍ଣ୍ଣିମା ଦିନ ହୋଇଥାଏ । କୁମାର ପୂର୍ଣ୍ଣିମା ଦିନ‌କୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସ‌ହ ପୂଜା କରାଯାଇଥାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଇଥାଏ । କିନ୍ତୁ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ । ଏହି ପୂଜା ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନ୍ଦର ଲକ୍ଷ୍ମୀ ମେଢ଼ମାନ ତିଆରି ହୋଇଥାଏ ।

Leave a Reply

Your email address will not be published. Required fields are marked *