Pratidin TV

Odisha's Digital News Platform

ପୁରୀରେ ହନ୍ତସନ୍ତ ହବିଷ୍ୟାଳୀ , ଅନଲାଇନ୍ ଆବେଦନ କରି ଅଧିକାରୀଙ୍କ ପାଦ ଧରିଲେ ….

1 min read

ଜଗତର ନାଥ ଜଗନ୍ନାଥଙ୍କ ଧାମରେ ମିଳିଲାନି ହବିଷ୍ୟାଳୀଙ୍କୁ ଜାଗା । ଅଧିକାରୀଙ୍କୁ କେତେ କାକୁତି ମିନତୀ କରି ଗୋଡ ହାତ ତଳେ ପଡିଲେବି ମିଳିଲାନି ଟିକିଏ ଜାଗା । ଶେଷରେ ନିରାଶ ହୋଇ ପୁରୀରୁ ଫେରିଛନ୍ତି ହବିଷ୍ୟାଳୀ । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ ରହି ଧର୍ମ କରିବାକୁ ଆସିଥିବା ହବିଷ୍ୟାଳୀ ମାନେ ଅନେକ ହନ୍ତସନ୍ତ ହୋଇଥିବା ଜଣାପଡିଛି । ମହାପ୍ରଭୁଙ୍କ ଦର୍ଶନ କରି ରାଇଦାମୋଦର ବ୍ରତ ପାଳିବା ନିମନ୍ତେ କାହିଁ କେତେ ଦୂରରୁ ଧାଇଁ ଆସିଥଲେ । କିଏ ଗଞ୍ଜାମରୁ ତ କିଏ କୃଷ୍ଣପ୍ରସାଦରୁ ପୁଣି କିଏ ସୁଦୂର ସମ୍ବଲପୁରରୁ ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ମାସବ୍ୟାପୀ ରହିବା ପାଇଁ ସାଥିରେ ଆଣିଥିଲେ ପୁଳାପୁଳା ସାମଗ୍ରୀ । ଅନ୍ଲାଇନ୍ରେ ଆବେଦନ କରିଥିବା ଫର୍ମ ମଧ୍ୟ ସାଙ୍ଗରେ ଆଣିଥିଲେ । ହେଲେ ପହଞ୍ଚି ଦେଖିଲେ ତାଲିକାରେ ତାଙ୍କର ନାଁ ନାହିଁ । ଶିବିରରେ ରହିବା ପାଇଁ ତାଙ୍କର ଆବେଦନ ବାତିଲ ହୋଇଯାଇଛି ।

ଏଭଳି ସ୍ଥିତିରେ ନିଜ ବ୍ରତ ପୂରଣ ପାଇଁ ହବିଷ୍ୟାଳୀ ମାନେ ଅଧିକାରୀଙ୍କ ପାଦ ଧରି କାକୁତି ମିନତୀ କରିଥିଲେ କିନ୍ତୁ କୌଣସି ଲାଭ ମିଳିନଥିଲା । ତାଲିକାରେ ନାଁ ନଥିବାରୁ କୌଣସି ବି ପରିସ୍ଥିତିରେ ଶିବିର ରଖିବା ସମ୍ଭବ ନୁହେଁ ବୋଲି ଅଧିକାରୀ ସ୍ପଷ୍ଟ ମନା କରିଦେଇଥିଲେ । ଫଳରେ ଉପାୟଶୂନ୍ୟ ହବିଷ୍ୟାଳି ଶିବିରରେ ରହିବା ଜିଦ୍ରେ ବୃନ୍ଦାବତି ନିବାସ ସମ୍ମୁଖ ରାସ୍ତାରେ ଧାରଣା ଦେଲେ । ତଥାପି ମଧ୍ୟ ତାଙ୍କ ଦାବି ପୂରଣ ନ ହେବାରୁ କାନ୍ଦିକାନ୍ଦି ଘରକୁ ଫେରୁଛନ୍ତି । ନୟାଗଡ଼ରୁ ଆସିଥିବା ଅହଲ୍ୟା ସାସମଲ(୬୮)ଙ୍କ ପୁଅ ଗାଡ଼ି କରି ଶିବିରକୁ ପଠାଇଥିଲା । ଗାଡ଼ି ଶିବିର ସମ୍ମୁଖରେ ଛାଡ଼ି ଚାଲିଗଲା । ହେଲେ ଏବେ ତାଙ୍କ ନାଁ ତାଲିକାରେ ନାହିଁ । ପାଖରେ ଫୋନ ମଧ୍ୟ ନାହିଁ । ଏଣୁ କୁଆଡ଼େ ଯିବେ କଣ କରିବେ କାହାକୁ ନିଜ ଅସୁବିଧା କହିବେ ଭାବି ଅହଲ୍ୟା ମଧ୍ୟ ଶିବିର ସମ୍ମୁଖରେ କାନ୍ଦିକାନ୍ଦି ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି ।

Advertisement

କୃଷ୍ଣପ୍ରସାଦ ମାଲୁଦ ଗାଁରୁ ଆସିଥିବା ସତ୍ୟମା ବିଶ୍ୱାଳ(୭୫) ବୟସ ଅଧିକ ଥିବାରୁ ଘରେ ତାଙ୍କୁ ଶିବିରରେ ରହିବାକୁ ଛାଡୁନଥିଲେ । ସେ ଜିଦ୍ କରି ଏକୁଟିଆ ଆସିଥିଲେ । ହେଲେ ଏବେ ଏଠି ତାଙ୍କ ନାଁ ନାହିଁ । ବାହାରେ ଭଡ଼ା ନେଇ ରହିବା ଭଳି ଟଙ୍କା ମଧ୍ୟ ପାଖରେ ନାହିଁ । ଏଣୁ ମାସକ ଯାକ ବଡ଼ଦାଣ୍ଡରେ ଶୋଇ ହବିଷ କରି ଘରକୁ ଫେରିବେ ବୋଲି ସେ କହିଛନ୍ତି ।
ବ୍ରହ୍ମଗିରିରୁ ଶଶିମଣି ମହାପାତ୍ର(୮୦) ଅନ୍ଲାଇନରେ ଆବେଦନ ଗ୍ରହଣ ହୋଇଥିବା ଦେଖାଉଥିଲେ ମଧ୍ୟ ତାଲିକାରେ ନାଁ ନ ଥିଲା । ଏହାର କାରଣ ସଂପର୍କରେ ଶିବିରରେ ଥିବା ଅଧିକାରୀ ମଧ୍ୟ ସ୍ପଷ୍ଟୀକରଣ ଦେଇପାରିଲେନି ଫଳରେ ଶଶିମଣି ମଧ୍ୟ ହତାଶ ହୋଇ ଫେରିଥିଲେ ।

ଏମିତି ଅନେକ ଭକ୍ତ ବଡ ଦାଣ୍ଡକୁ ଆସି ହନ୍ତସନ୍ତ ହୋଇ ଫେରୁଛନ୍ତି । ଯେତେବେଳେକି ସରକାର ହବିଷ୍ୟାଳୀଙ୍କ ପାଇଁ ଅଢେଇ କୋଟି ଟଙ୍କାଖର୍ଚ୍ଚ କରୁଛି । ତଥାପି ଏଭଳି ଅବ୍ୟବସ୍ଥିତି କାହିଁକି ?

Leave a Reply

Your email address will not be published. Required fields are marked *