Pratidin TV

Odisha's Digital News Platform

ଓଡ଼ିଶା ସାମ୍ନା କରିଛି ଏକାଧିକ ବାତ୍ୟା, ନେଇଛି ହଜାର ଜହାର ମୁଣ୍ଡ; ଅଶୁଭ କି ଅକ୍ଟୋବର ଶୁକ୍ରବାର ?

1 min read

ଓଡ଼ିଶା ପାଇଁ ଅଶୁଭ କି ଶୁକ୍ରବାର ? ଓଡ଼ିଶାକୁ ସୁହାଉନି କି ଶୁକ୍ରବାର ? କାରଣ ସମାନ ବାରରେ ଓଡ଼ିଶା ସାମ୍ନା କରିଛି ଏକାଧିକ ବାତ୍ଯା ବିପତ୍ତି । ଥରେ ନୁହେଁ କି ଦୁଇଥର ନୁହେଁ । ୧୯୯୯ ମସିହାରୁ ଆଜି ଯାଏଁ ୩ ଥର ଶୁକ୍ରବାରରେ ହିଁ ଓଡ଼ିଶାକୁ ମାଡ଼ ହୋଇଛି ବାତ୍ଯା ।

ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା’ ଦୁର୍ବଳ ହୋଇ ଆଜି ବାତ୍ୟାରେ ପରିଣତ ହୋଇଛି। ଦୁର୍ବଳ ହୋଇ ଘଣ୍ଟାକୁ ଏହା ୧୦ କିମି ବେଗରେ ଗତି କରୁଛି । ଏଥିସହ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡକୁ ଗତି କରୁଛି । ତେବେ ବାତ୍ୟା ଲ୍ୟାଣ୍ଡଫଲ ପରେ ୩ ଜିଲାକୁ ରେଡ ଆଲର୍ଟ ଜାରି ହୋଇଛି। ଅତି ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

Advertisement

ଅନ୍ୟପଟେ ବାତ୍ୟା ପରେ ଏବେ ବନ୍ୟା ଆଶଙ୍କାରେ କିଛି ଜିଲାବାସୀ ଆତଙ୍କିତ। ଏହି ଜିଲାଗୁଡ଼ିକ ହେଲା କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ବାଲେଶ୍ବର, ଭଦ୍ରକ, ଗଜପତି, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼ ଓ ପୁରୀ। ଏନେଇ ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଓଡିଶା ବାତ୍ୟା ଇତିହାସକୁ ଦେଖିଲେ ୧୯୯୯ ମସିହା ଶୁକ୍ରବାର ଦିନରେ ହିଁ ଓଡ଼ିଶାରେ ତାଣ୍ଡବ ଚରିଥିଲା ପ୍ରକୃତି । ଓଡ଼ିଶାକୁ ଛାରଖାର କରିଦେଇଥିଲା ମହାବାତ୍ଯା । ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡ଼ିଥିଲେ । ଜୀବନଜନ୍ତୁଙ୍କ ଜୀବନହାନୀର ହିସାବ ନାହିଁ ।

ଏହାର ୨୦ ବର୍ଷ ପରେ ୨୦୧୯ ମସିହା ମେ’ ୩ ତାରିଖରେ ପୁଣି ଓଡିଶାରେ ତାଣ୍ଡବ ରଚିଥିଲା ଆଉ ଏକ ବାତ୍ଯା ‘ଫନି’ । ଏହିଦିନ ବି ଥିଲା ଶୁକ୍ରବାର । ବାତ୍ୟା ‘ଫନି’ ଓଡ଼ିଶାକୁ ମାଡ଼ ହୋଇଥିବା ବେଳେ ପୁରୀ ସହ ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା ଜିଲ୍ଲାରେ ତାଣ୍ଡବ ରଚିଥିଲା । ୧୯୯୯ରୁ ୨୦୧୯ ଭିତରେ ଫାଇଲିନ୍, ହୁଡ୍ହୁଡ୍, ତିତଲି ପରି ବାତ୍ୟାର ସାମ୍ନା କରିଥିଲା ଓଡ଼ିଶା । ହେଲେ ଏହି ସବୁ ବାତ୍ୟାରେ ଯେତିକି ଧନଜୀବନ କ୍ଷୟକ୍ଷତି ହୋଇ ନଥିଲା କେବଳ ‘ଫନି’ରେ ତାହା ଘଟିଥିଲା । ବାତ୍ଯାରେ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ସହର ଛାରଖାର ହୋଇଯାଇଥିଲା । ଏକଦମ ଶ୍ରୀହୀନ ହୋଇଯାଇଥିଲା ଶ୍ରୀକ୍ଷେତ୍ର । ରାଜଧାନୀ ଭୁବନେଶ୍ବର ବି ଅନ୍ଧାରରେ ବିଡ଼ିଯାଇଥିଲା ।

ଏହାର ୫ ବର୍ଷ ପରେ ପୁଣି ସେଇ ଶୁକ୍ରବାରର କାଳ ରାତି ପରି ଓଡ଼ିଶା ଉପରେ ମାଡ଼ ଆସିଛି । ଆଉ ଓଡ଼ିଶାକୁ ହିଟ୍ କରିଛି ଭୀଷଣ ବାତ୍ଯା ‘ଦାନା’ । ଶୁକ୍ରବାରରେ ଭିତରକନିକା ନିକଟ ହବାଳିଖଟିରେ ସ୍ଥଳଭାଗ ଛୁଇଁଛି ବାତ୍ଯା । ନିଜର କରାଳ ରୂପ ଦେଖାଇ ଆଭ୍ୟନ୍ତରୀଣ ଓଡ଼ିଶା ଭିତରକୁ ପ୍ରବେଶ କରି ବ୍ଯାପକ କ୍ଷତି ଘଟାଉଛି । ଏହାକୁ ଦେଖିଲେ ମନରେ ପ୍ରଶ୍ନ ଉଙ୍କି ମାରୁଛି, ସତରେ କି ଅକ୍ଟୋବର ଶୁକ୍ରବାର ଓଡ଼ିଶା ପାଇଁ ଅଶୁଭ ।

Leave a Reply

Your email address will not be published. Required fields are marked *