ଅସହାୟଙ୍କ ଆଶାର କିରଣ ଆଶା କର୍ମୀ ‘ଶିବାନୀ,ଫୋନ୍ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
1 min readବାତ୍ୟା ସରିଗଲା, ରାସ୍ତାରୁ ଗଛ ହଟିଗଲା, ଆଶ୍ରୟସ୍ଥଳୀରୁ ଘରକୁ ଫେରିଗଲେ ଲୋକେ… କିନ୍ତୁ ବାତ୍ୟା ପୂର୍ବର କିଛି ଦୃଶ୍ୟ ମନରେ ରହିଗଲା । ଆମେ କହୁଛୁ କେନ୍ଦ୍ରାପଡାର ସେହି ଆଶା ଦିଦିଙ୍କ କଥା । ଯାହାଙ୍କ କର୍ମ ସମୟର ଦୃଶ୍ୟ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି । ବୃଦ୍ଧା ମହିଳାକୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଥିବା ଆଶାକର୍ମୀ ଶିବାନୀ ମଣ୍ଡଳ ଏବେ ଚର୍ଚ୍ଚାରେ । ବିପଦ ଆପଦରେ ତାଙ୍କର ନିସ୍ବାର୍ଥପର ସେବାକୁ ସେବା କୁ ସାରା ରାଜ୍ୟବାସୀ କରୁଛନ୍ତି ପ୍ରଶଂସା ।ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଆଶା କର୍ମୀ ଶିବାନୀଙ୍କ ପ୍ରଶଂସା ନକରି ରହି ପାରିନାହାନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଟେଲିଫୋନ୍ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କର ଏପରି ନିସ୍ଵାର୍ଥପର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଆଶା ଦିଦିଙ୍କ ସହ ଫୋନ୍ରେ କଥା ହେବା ପରେ ଜାଣିବାକୁ ପାଇଲେ ଯେ ସେ ଦିନ ସେ ସମୁଦାୟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଉତ୍ସର୍ଗୀକୃତ ସେବାର ଉଚ୍ଚ ପ୍ରଶଂସାକରିବା ସହିତ କହିଥିଲେ ଯେ ସରକାର ଏବଂ ମୁଁ ବ୍ୟକ୍ତିଗତ ଭାବେ ତୁମ କାମ ଉପରେ ବହୁତ ଖୁସି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ସବୁବେଳେ ଭଲରେ ରଖନ୍ତୁ। ବିପଦ ବେଳେ ତୁମେ ସମସ୍ତଙ୍କୁ ଏହି ଭଳି ସାହାଯ୍ୟ କରୁଥାଅ। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ଭଲମନ୍ଦ ବିଷୟରେ ବୁଝିଥିଲେ ଏବଂ ତାଙ୍କର ଘର ନଥିବାରୁ ଟେଲିଫୋନ୍ ଯୋଗେ ରାଜନଗର ବିଡିଓଙ୍କୁ ତାଙ୍କୁ ତୁରନ୍ତ ଏକ ଘର ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଶିବନୀଙ୍କୁ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳ ବାତ୍ୟା ପୂର୍ବରୁ ଖସାମୁଣ୍ଡା ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାର ଦାୟିତ୍ବ ନେଇଥିଲେ। ଏହି ଦାୟିତ୍ବ ସେ ସୁନ୍ଦରଭାବେ ନିର୍ବାହ କରିଛନ୍ତି। ଗାଁର ଜୈନେକ ବୟସ୍କା ମହିଳା ପାରାଲିସିସ ଆକ୍ରାନ୍ତ ଏବଂ ପ୍ରବଳ ବର୍ଷା ଯୋଗୁଁ ଆଶ୍ରୟସ୍ଥଳକୁ ଯାଇ ପାରୁନଥିଲେ। ଶିବାନୀ ଦିଦି ତାଙ୍କୁ ନିଜ ପିଠିରେ ପକାଇ ଦେଢ କିଲୋମିଟର ଦୂରରେ ଥିବା ଆଶ୍ରୟସ୍ଥଳକୁ ବୋହି ନେଇ କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି।