୨ ଲକ୍ଷ ଟଙ୍କାର ଦାମୀ ବ୍ୟାଗକୁ ନେଇ ବିବାଦ ପରେ ମୁହଁ ଖୋଲିଲେ ଜୟା କିଶୋରୀ…
1 min readଆଧ୍ୟାତ୍ମିକ ପ୍ରବଚିକା ତଥା ଗାୟିକା ଜୟା କିଶୋରୀ ଏବେ ପୁଣିଥରେ ଟ୍ରୋଲ୍ ହେଉଛନ୍ତି। ନିକଟରେ ଜୟା କିଶୋରୀ ବିମାନବନ୍ଦରରେ ଦାମୀ ବ୍ୟାଗ ସହିତ ନଜର ଆସିଥିଲେ। ବ୍ୟାଗଟି ଡିଓର ବ୍ରାଣ୍ଡର ଥିଲା | ପ୍ରବଚିକାଙ୍କୁ ଏଭଳି ଦାମୀ ବ୍ୟାଗ୍ ଧରିଥିବା ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରିଥିଲେ ଯେ, ସେହି ବ୍ୟାଗର ମୂଲ୍ୟ ୨ଲକ୍ଷରୁ ଅଧିକ। ଏହାକୁ ତିଆରି କରିବା ପାଇଁ ବାଛୁରୀ ଚର୍ମର ବ୍ୟବହାର କରାଯାଏ | ଏଭଳି ଦାବି ମଧ୍ୟରେ ବର୍ତ୍ତମାନ ଜୟା କିଶୋରୀ ସ୍ପଷ୍ଟୀକରଣ ଦେଇଛନ୍ତି।
ମଙ୍ଗଳବାର ଏନେଇ ଏକ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ଜୟା ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସବୁବେଳେ ସନାତନ ଧର୍ମକୁ ଟାର୍ଗେଟ କରାଯାଇଥାଏ। ଏଥର ମଧ୍ୟ ଠିକ୍ ସେପରି ହୋଇଛି। ଭାଇରାଲ ଭିଡିଓରେ ତାଙ୍କ ସହ ଥିବା ବ୍ୟାଗ୍ଟି ଲେଦର ମ୍ୟାଟେରିଆଲର ନୁହେଁ। ଏହା ଏକ କଷ୍ଟମାଇଜଡ୍ ବ୍ୟାଗ୍। ସେ କେବେ ମଧ୍ୟ ଲେଦର ମ୍ୟାଟେରିଆଲର କୌଣସି ବସ୍ତୁକୁ ବ୍ୟବହାର କରନ୍ତି ନାହିଁ ବୋଲି ଜୟା କହିଛନ୍ତି। ଜୟା ଆହୁରି କହିଛନ୍ତି, ସେ କୌଣସି ସାଧ୍ୱୀ ନୁହନ୍ତି। ଅନ୍ୟମାନଙ୍କ ପରି ସେ ମଧ୍ୟ ଜଣେ ସାଧାରଣ ଝିଅ। ସେ ନିଜ ପରିବାର ସହ ରୁହନ୍ତି। ଯେତେବେଳେ କୌଣସି ଜିନିଷ ବା ବସ୍ତୁ ପସନ୍ଦ ଆସିଥାଏ, ଅନ୍ୟମାନଙ୍କ ପରି ସେ ମଧ୍ୟ ତାହା କିଣିବାକୁ ଚାହିଥାନ୍ତି। ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ତାଙ୍କୁ ଶୁଣିବାକୁ ଆସୁଥିବା ଦର୍ଶକଙ୍କୁ ସବୁକିଛି ତ୍ୟାଗ କରିବାକୁ ସେ କେବେ ମଧ୍ୟ କୁହନ୍ତି ନାହିଁ। ବରଂ ଯୁବପିଢ଼ିଙ୍କୁ କଠିନ ପରିଶ୍ରମ କରିବା ସହ ରୋଜଗାର କରି ନିଜର ସ୍ବପ୍ନ ପୂରଣ କରିବାକୁ ସେ ସବୁବେଳେ ପ୍ରୋତ୍ସାହିତ କରିଥାନ୍ତି ବୋଲି ଜୟା ଏହି ସାକ୍ଷାତ୍କାରରେ କହିଛନ୍ତି।