Pratidin TV

Odisha's Digital News Platform

ରାଜ୍ୟରେ ପୁଣି ଖୋଲିବ ଡ୍ୟାନ୍ସବାର , ସରକାର ରଖିଲେ ଏହି ସର୍ତ୍ତ…

1 min read

ରାଜ୍ୟରେ ପୁଣିଥରେ ଖୋଲିବ ଡ୍ୟାନ୍ସବାର । ଡ୍ୟାନ୍ସ ବାର୍‌ ଚଲାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ହେଲେ ପୂର୍ବଭଳି ମହିଳା ଡ୍ୟାନ୍ସରଙ୍କୁ ଛୁଇଁ ହେବ ନାହିଁ କିମ୍ବା ତାଙ୍କ ଉପରକୁ ଫିଲ୍ମ ଷ୍ଟାଇଲରେ ଟଙ୍କା ଉଡ଼ାଇ ହେବନାହିଁ । ମହିଳା ଡ୍ୟାନ୍ସରମାନଙ୍କର ପୋଷାକ ପରିଧାନରେ ମଧ୍ୟ ଶାଳୀନତା ରହିବ। ଏଭଳି କିଛି କଟକଣା ସହ ରାଜ୍ୟ ସରକାର ରାଜ୍ୟରେ ଡ୍ୟାନ୍ସବାର ପରିଚାଳନା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମଙ୍ଗଳବାର ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ସହ ଗତ ଅଗଷ୍ଟ ୩୧ତାରିଖରେ ଜାରି କରିଥିବା ‘୨୦୨୪-୨୫ ଆର୍ଥିକବର୍ଷର ଅବକାରୀ ନୀତିରେ ଡ୍ୟାନ୍ସବାର ଉପରେ ଥିବା କଟକଣା’ର ପ୍ରାବଧାନରୁ ସରକାର ଓହରି ଯାଇଛନ୍ତି । ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲସ-୨୦୨୪’ ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୦ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓ ଅବକାରୀ ରୁଲସ -୨୦୧୭ରେ କେତେକ ସଂଶୋଧନ କରିଛନ୍ତି। ଆଜିଠୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସଂଶୋଧିତ ନିୟମାବଳୀ ଆଧାରରେ ଏଣିକି ରାଜ୍ୟର ମଦବାର୍‌ ଗୁଡ଼ିକରେ ମହିଳାମାନେ ନୃତ୍ୟଗୀତ ପରିବେଷଣ କରିପାରିବେ ।

ଅବକାରୀ କମିଶନରଙ୍କ ଲିଖିତ ଅନୁମତି ଆଧାରରେ ବିଦେଶୀ ମଦ ଓ ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ବିକିବାକୁ ଅନସପ୍‌ ଲାଇସେନ୍ସଧାରୀ ବା ଲାଇସେନ୍ସପ୍ରାପ୍ତ ବାରରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାମାନେ ମ୍ୟୁଜିକାଲ କାର୍ଯ୍ୟକ୍ରମ ଅବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ । ଏହି ଅନୁମତି ପ୍ରଦାନ ନିମନ୍ତେ ଅବକାରୀ କମିଶନରଙ୍କୁ ସର୍ତ୍ତମୂଳକ କ୍ଷମତା ଦିଆଯାଇଛି । ଅବକାରୀ କମିଶନର ୨୧ଟି ସର୍ତ୍ତ ଆଧାରରେ ଏହି ଡ୍ୟାନ୍ସବାରଗୁଡ଼ିକୁ ପରିଚାଳନା ପାଇଁ ଅନୁମତି ଦେଇପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି ।ମ୍ୟୁଜିକାଲ ପରଫରମାନ୍ସ ହେଉଥିବା ଷ୍ଟେଜକୁ ସିସିଟିଭି ମାଧ୍ୟମରେ କଭର କରାଯିବ । ସିସିଟିଭି ଯଦି କୌଣସି କାରଣରୁ ଖରାପ ହୁଏ ତେବେ ବାର ମାଲିକ ତୁରନ୍ତ କାର୍ଯ୍ୟକ୍ରମ ବନ୍ଦ କରିବେ । ଏ ସମ୍ପର୍କରେ ବାର୍ ମାଲିକ ତୁରନ୍ତ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇବେ । କେବଳ ସେତିକି ନୁହେଁ, ପରଫମ୍ କରୁଥିବା ମହିଳାଙ୍କ ସମସ୍ତ ରେକର୍ଡ ରଖାଯିବା ପାଇଁ ବାର୍‌ରେ ଏକ ରେଜିଷ୍ଟର ରହିବ । ମହିଳାଙ୍କ ଅସ୍ଥାୟୀ ଠିକଣା ମଧ୍ୟ ରେଜିଷ୍ଟରରେ ଲେଖାଯିବ । ରାଜ୍ୟ କିମ୍ବା ଜିଲ୍ଲା ବାହାରୁ ଯଦି କୌଣସି କର୍ମଚାରୀ ଅଛନ୍ତି ତେବେ ସେ କେଉଁଠି ରହୁଛନ୍ତି ତାହାର ଠିକଣା ମଧ୍ୟ ଲେଖାଯିବ । ଅନୁମତି ନେଲା ପରେ ନିୟମ ଉଲ୍ଲଙ୍ଘନ କରାଗଲେ ସମ୍ପୃକ୍ତ ବାର୍ ର ଲାଇସେନ୍ସ ରଦ୍ଦ ହେବ ବୋଲି ସୂଚନା ଦେଇଛନ୍ତି ଅବକାରୀ କମିଶନର ।

Advertisement

Leave a Reply

Your email address will not be published. Required fields are marked *