ସୂଚନା ଦେଲେ ହରଦୀପ ସିଂହ ,ଓଡ଼ିଶାର ୯ଟି ଜାଗାରେ କମିବ ପେଟ୍ରୋଲ ଓ ଡିଜେଲ ଦର !
1 min readକମିଲା ତେଲ ଦର। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି, ପେଟ୍ରୋଲ ପମ୍ପ ଡିଲରମାନଙ୍କୁ ପ୍ରଦାନ କରାଯାଉଥିବା ଡିଲର କମିଶନ ବୃଦ୍ଧି ପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକର ଘୋଷଣା ଏବଂ ଦୁର୍ଗମ ସ୍ଥାନରେ ଥିବା ଉପଭୋକ୍ତାଙ୍କୁ ଫାଇଦା ଦେବା ପାଇଁ ଆନ୍ତଃରାଜ୍ୟ ମାଲ ପରିବହନକୁ ଯୁକ୍ତିଯୁକ୍ତ କରିବାର ନିଷ୍ପତ୍ତିକୁ ସ୍ବାଗତ କରୁଛି।
ଫଳରେ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଓଡ଼ିଶାର ୯ଟି ସ୍ଥାନରେ ଉପକୃତ ହେବେ ଉପଭୋକ୍ତା। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାବାସୀଙ୍କୁ ମିଳିବ ଲାଭ। କୁନନପାଲିରେ ପେଟ୍ରୋଲ ୪ ଟଙ୍କା ୬୯ ପଇସା ଓ ଡିଜେଲ୍ ୪ ଟଙ୍କା ୪୫ ପଇସା ହ୍ରାସ ପାଇବ। କାଲିମେଳାରେ ପେଟ୍ରୋଲ ୪ ଟଙ୍କା ୫୫ ପଇସା ଓ ଡିଜେଲ୍ ୪ଟଙ୍କା ୩୨ ପଇସା ହ୍ରାସ ପାଇବ।
ଗନ୍ଧିପାଲିରେ ପେଟ୍ରୋଲ ୪ ଟଙ୍କା ୧୯ ପଇସା ଓ ଡିଜେଲ୍ ୩ ଟଙ୍କା ୯୭ ପଇସା, ନନ୍ଦପୁରରେ ପେଟ୍ରୋଲ ୩ ଟଙ୍କା ୭୧ ପଇସା ଓ ଡିଜେଲ୍ ୩ ଟଙ୍କା ୫୨ ପଇସା ହ୍ରାସ ପାଇବ। ମାଳିପୁଟରେ ପେଟ୍ରୋଲ ୩ ଟଙ୍କା ୬୬ ପଇସା, ଡିଜେଲ୍ ୩ ଟଙ୍କା ୪୭ ପଇସା ହ୍ରାସ ପାଇବାକୁ ଥିବା ବେଳେ ରାମଗିରିରେ ପେଟ୍ରୋଲ ୩ ଟଙ୍କା ୬୦ ପଇସା ଓ ଡିଜେଲ୍ ୩ ଟଙ୍କା ୪୦ପଇସା, ବଡ଼ସାଗରରେ ପେଟ୍ରୋଲ ୩ ଟଙ୍କା ୫୨ ପଇସା ଓ ଡିଜେଲ୍ ୩ ଟଙ୍କା ୩୩ ପଇସା,ରାଇଘରରେ ପେଟ୍ରୋଲ ୩ ଟଙ୍କା ୪୧ ପଇସା ଓ ଡିଜେଲ୍ ୩ଟଙ୍କା ୨୨ ପଇସା ଏବଂ ଝରିଗାଁରେ ପେଟ୍ରୋଲ ୩ ଟଙ୍କା ୨୫ ପଇସା ଓ ଡିଜେଲ୍ ୩ ଟଙ୍କା ୦୮ ପଇସା ହ୍ରାସ ପାଇବ।