ଚିନ୍ତାରେ ରାଜଧାନୀ ବାସୀ; ସକାଳ ୫ଟା ସୁଦ୍ଧା ଏୟାର କ୍ୱାଲିଟି ୫୦୦ ପାର୍
1 min readଦୀପାବଳୀ ସାରିବାର ୨ ଦିନ ପରେ ଦିଲ୍ଲୀରେ ନାହିଁ ନଥିବା ସ୍ଥିତି। ଅତି ଖରାପ ଅବସ୍ଥାକୁ ଗଲା ବାୟୁ ଗୁଣବତ୍ତା। ଦିଲ୍ଲୀର ୬୯ ପ୍ରତିଶତ ପରିବାର ହୋଇଛନ୍ତି ଆକ୍ତାମାକ୍ତା। ଏହି ପରିବାରଗୁଡିକର ଜଣେ କିମ୍ବା ଅଧିକ ସଦସ୍ଯ ପ୍ରଦୂଷଣଜନିତ ସମସ୍ଯାର ଶିକାର ହୋଇଛନ୍ତି। ଅନେକ ସ୍ଥାନରେ ଏକ୍ଯୁଆଇ ୯୯୯ ହୋଇଥିବା ଯୋଗୁ ସମ୍ପୂର୍ଣ୍ଣ ବିଷବଳୟ ଘେରରେ ରହିଛି ଦିଲ୍ଲୀ। ସାରା ଦିଲ୍ଲୀରେ ଏହି ଭୟାବହତା ବ୍ଯାପିଛି। ଦିଲ୍ଲୀର ୪୬ ପ୍ରତିଶତ ଲୋକଙ୍କ ନାକରୁ ଅବାରିତ ପାଣି ବାହାରିବା ସୂଚନା ମିଳିଛି। ସକାଳ ୫ଟା ସୁଦ୍ଧା ଏକ୍ୟୁଆଇ ୫୦୦ ପାର୍ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ନିର୍ଦ୍ଧାରିତ ସୀମା ଠାରୁ ଦିଲ୍ଲୀରେ ପ୍ରଦୂଷଣ ୬୫ ଗୁଣ ଅଧିକ ରହିଛି । ୧୨ ଘଣ୍ଟାରେ ପ୍ରଦୂଷଣ ସ୍ତର ୩୨୭ରୁ ୫୦୭କୁ ବୃଦ୍ଧି ପାଇଛି ।
ଦିଲ୍ଲୀରେ ପୂର୍ବରୁ ଯେତିକି ବାୟୁ ପ୍ରଦୂଷଣ ଥିଲା, ଦୀପାବଳି ପାଳନ ପରେ ତାହା ଯଥେଷ୍ଟ ଅଧିକ ବଢ଼ିଯାଇଛି । ବାୟୁ ଗୁଣବତ୍ତା ଖରାପ ହେବାପରେ ଦିଲ୍ଲୀ-ଏନସିଆରର ଅବସ୍ଥା ପୂରାପୂରି ବିଗିଡ଼ି ଯାଇଛି । ଅନ୍ୟପଟେ ବାୟୁ ପ୍ରଦୂଷଣ କାରଣରୁ ଅଣନିଶ୍ଵାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ ।
ସର୍ଭେରେ ୨୧ ହଜାରରୁ ଅଧିକ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ବାୟୁ ପ୍ରଦୂଷଣ ଯୋଗୁ ୬୨%ରୁ ଅଧିକ ପରିବାରର ଜଣେ କିମ୍ବା ଏକାଧିକ ସଦସ୍ୟ ଆଖି ଜଳାପୋଡ଼ା ସମସ୍ୟାରେ ପୀଡ଼ିତ ଥିବାବେଳେ ୪୬% ପରିବାରର କୌଣସି ସଦସ୍ୟଙ୍କ ନାକ ବନ୍ଦ ପରି ସମସ୍ୟା ରହିଛି। ୩୧% ଶ୍ୱାସକ୍ରିୟା ବେଳେ ସମସ୍ୟା ଅନୁଭବ କରୁଥିବାବେଳେ ୨୩% ଧ୍ୟାନ କେନ୍ଦ୍ରିତ କରିବା ସମୟରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେହିପରି ୧୫% ଲୋକଙ୍କ ନିଦ ସମସ୍ୟା ରହିଛି। ୩୧% ପରିବାରରେ ପ୍ରଦୂଷଣଜନିତ ସମସ୍ୟା ନାହିଁ।
ସ୍ଥିତିର ମୁକାବିଲା ଆଣ୍ଟି ସ୍ମୋକ ଗନ ନିୟୋଜିତ ହୋଇଥିଲେ ବି କାମ ଦେଇନାହିଁ। ଆଗକୁ ସ୍ଥିତି ଅଧିକ ବିପଜ୍ଜନକ ହେବା ଆଶଙ୍କା କରାଯାଉଛି। ଏକ୍ୟୁଆଇ ୦ରୁ ୫୦ ହେଲେ ତାହାକୁ ଉତ୍ତମ କୁହାଯାଏ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ, ୧୦୧ରୁ ୨୦୦ ହେଲେ ମଧ୍ୟମ, ୨୦୧ରୁ ୩୦୦ ହେଲେ ଖରାପ, ୩୦୧ରୁ ୪୦୦ ହେଲେ ଅତି ଖରାପ ଓ ୪୦୧ରୁ ୫୦୦ ହେଲେ ଅତି ଗୁରୁତର ବୋଲି ଧରାଯାଏ ।