ଡହଡହ ଖରାକୁ ସରକାରଙ୍କ ଶୀତଳ ନୀତି; ଶିଝୁଛନ୍ତି ଛାତ୍ରଛାତ୍ରୀ
1 min readନର୍ଲା: ବୈଶାଖ ମାସର ନିଦାଘ ଖରା । ପ୍ରଚଣ୍ଡ ଖରାରେ ଫୁଟୁଛି ପଶ୍ଚିମାଞ୍ଚଳ । କଥାରେ ଅଛି ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପରକାଶ । ତେବେ ପୂର୍ବାଞ୍ଚଳ ଅପେକ୍ଷା ଓଡ଼ିଶାର ପଶ୍ଚିମାଞ୍ଚଳରେ ବର୍ତ୍ତମାନ ଖରା ତାଣ୍ଡବ ରଚୁଛି । ଏହି ସମୟରେ ସରକାର ସରକାରୀ କି ବେସରକାରୀ ଶିକ୍ଷାନୁଷ୍ଠାନଗୁଡିକୁ ଛୁଟି ଘୋଷଣା କରି ନାହାନ୍ତି । ଫଳରେ ଛୋଟରୁ ବଡ ଶ୍ରେଣୀର ଛାତ୍ରଛାତ୍ରୀମାନେ ଡହଡହ ଖରାରେ ଶିଝୁଛନ୍ତି । ଶ୍ରେଣୀ କକ୍ଷଗୁଡିକ ପ୍ରଚଣ୍ଡ ଗରମ ଲାଗୁଥିବା ବେଳେ ୧୦ ଟା ସମୟରେ ଛୁଟି ହେବା ପରେ ଝାଞ୍ଜି ଖରାରେ ପିଲାମାନେ ବହିବସ୍ତାନି ବୋହି ଘରକୁ ଫେରୁଛନ୍ତି, ଯାହା ଅତ୍ୟନ୍ତ ଯନ୍ତ୍ରଣା ଦାୟକ । ସରକାର ପଶ୍ଚିମାଞ୍ଚଳରେ ପ୍ରଭାବିତ ଖରାର ମାତ୍ରାକୁ ଅନୁମାନ କରିପାରୁ ନଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଥରେ ପଶ୍ଚିମାଞ୍ଚଳ ଆସି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର କୋଠରିରେ ଘଣ୍ଟାଏ କାଳ ବସି ନିଜକୁ ପରୀକ୍ଷା କରନ୍ତୁ ବୋଲି ଲୋକେ ଦାବୀ କରିଛନ୍ତି ।ସମଗ୍ର ଅଂଚଳ ଖରାର ପ୍ରଭାବରେ ଜଳୁଥିବା ବେଳେ ନର୍ଲା ଭଳି ଶୁଷ୍କ ଅଞ୍ଚଳ ଏଥିରୁ ବାଦ୍ ପଡିବ କେମିତି । ସରକାର ଖରାକୁ ଦୃଷ୍ଟିରେ ରଖି ପଥିକମାନଙ୍କ ପାଇଁ ପଞ୍ଚାୟତସ୍ତରରେ ଜଳଛତ୍ରର ବ୍ୟବସ୍ଥା କରି ସାରିଛନ୍ତି । ପଥିକ ପାଇଁ ଯେତେବେଳେ ପାଣିର ଲୋଡା ପଡିଲାଣି ସେତେବେଳେ ନିରୀହ କୋମଳ ଛାତ୍ରଛାତ୍ରୀମାନଙ୍କ ପାଇଁ ଖରାର ପ୍ରଭାବ କଣ ଥିବ ତାହା ସହଜରେ ଅନୁମେୟ । ପୂର୍ବାଞ୍ଚଳରେ ଖରା କମ୍ ଅନୁଭୂତ ହେଉଥିବାକୁ ନେଇ ସମଗ୍ର ଓଡ଼ିଶାକୁ ଗୋଟିଏ ନୀତିର ପରିଚାଳିତ କରିବା ସରକାରଙ୍କ ଦୂରଦୃଷ୍ଟିର ଅଭାବ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ତେବେ ଜିଲ୍ଲାପାଳ କଳାହାଣ୍ଡି ଖରାର ଗତିବିଧିକୁ ଲକ୍ଷ୍ୟ କରି ବିଦ୍ୟାଳୟକୁ ଛୁଟି ଘୋଷଣା କରିବା ନିମନ୍ତେ ସରକାରଙ୍କୁ ଅବଗତ କରାଇବା ଉଚିତ୍ ବୋଲି ଦାବୀ ହେଉଛି । ପ୍ରଚଣ୍ଡ ଖରାରେ ଲୋକେ ଜୀବନ ପ୍ରତି ଭୟ କରୁଥିବା ବେଳେ ଆଗକୁ ଛାତ୍ରଛାତ୍ରୀମାନଙ୍କ ଜୀବନ ବିପଦମୁକ୍ତ ନୁହେଁ ଓ ଏଥିପାଇଁ ସରକାର ବିଚାର କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବୀ ହେଉଛି ।