Pratidin TV

Odisha's Digital News Platform

କଥା ମାନୁନି ଇସ୍କନ ,ଚେତାବନୀ ଦେଲେ ଗଜପତି କହିଲେ ଏଥର ନିଆଯିବ ଆଇନଗତ ପଦକ୍ଷେପ’…

1 min read

ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଇସ୍କନର ଅଦିନିଆ ରଥଯାତ୍ରା। ଆମେରିକା ହ୍ୟୁଷ୍ଟନରେ ହେବାକୁ ଥିବା ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନଯାତ୍ରାକୁ ନେଇ ବିବାଦ ହେଉଥିବାବେଳେ ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ଉପରେ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା। ଚାରିଆଡ଼ୁ ବିରୋଧ ହେବାପରେ ଇସ୍କନ କର୍ତ୍ତୃପକ୍ଷ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସ୍ନାନଯାତ୍ରା କାର୍ଯ୍ୟକ୍ରମ ବାତିଲ ନେଇ ସୂଚନା ମିଳିଥିବାବେଳେ ରଥ ଯାତ୍ରା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

ଯାହାକୁ ନେଇ ଚିଠି ମାଧ୍ୟମରେ ଉଲ୍ଲେଖ ପରେ ସାମ୍ବାଦିକ ସମ୍ମିଳନୀରେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ଗଜପତି ମହାରାଜ। ଗଜପତି କହିଛନ୍ତି, ଇସ୍କନ ଅନେକ ଥର ଅଦିନିଆ ରଥଯାତ୍ରା ଆୟୋଜନ କରିଛି। ଭାରତ ଓ ଭାରତ ବାହାରେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପ୍ରତିଥର ଆପତ୍ତି କରାଯାଇଥିଲା। ଆପତ୍ତି ପରେ ଭାରତ ଭିତରେ ଅଦିନିଆ ରଥଯାତ୍ରା ବନ୍ଦ ରଖିଛି ଇସ୍କନ। ଭାରତ ବାହାରେ କିନ୍ତୁ ଅଦିନିଆ ରଥଯାତ୍ରା କରୁଛି ଇସ୍କନ। ଶ୍ରୀଜଗନ୍ନାଥଙ୍କ ରୀତିନୀତି ଉଲ୍ଲଂଘନ ଠିକ୍‌ ନୁହେଁ ବୋଲି ଗଜପତି କହିଛନ୍ତି।

Advertisement

ଗଜପତି ଆହୁରି ମଧ୍ୟ କହିଛନ୍ତି, ଇସ୍କନର ଅଦିନିଆ ରଥ ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ। ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ଚିଠି ଲେଖିବା ସତ୍ତ୍ବେ ଇସ୍କନ ମାନିଲାନି, ରଥ ଆୟୋଜନ କରୁଛି। ୩ ତାରିଖର ସ୍ନାନଯାତ୍ରାକୁ ବାତିଲ କଲେ କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି। ଶ୍ରୀମନ୍ଦିର ପରମ୍ପରା ଭାଙ୍ଗିବା ଠିକ୍‌ ନୁହେଁ। ୧୯୬୯ରୁ ଇସ୍କନ ଅଦିନରୁ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଇସ୍କନ ଅଦିନ ରଥଯାତ୍ରା କରୁଛି।

ଅନ୍ୟକୌଣସି ଧର୍ମର ପର୍ବପର୍ବାଣୀକୁ ଅଲଗା ତିଥିରେ ପାଳନ କରାଯାଇପାରିବ କି ? ସେମିତି ହୋଇପାରିବ ନାହିଁ। ଖ୍ରୀଷ୍ଟମାସ କିମ୍ବା ଇଦକୁ ଅନ୍ୟ ତାରିଖରେ କେହି ପାଳନ କଲେ ସେହି ଧର୍ମାବଳମ୍ବୀ ସହ୍ୟ କରିବେ ନାହିଁ । ମାର୍ଚ୍ଚ ମାସ ପରେ ଯଦି ଇସ୍କନ ମୁଖ୍ୟାଳୟ ଏନେଇ କୌଣସି ନିଷ୍ପତି ନିଏ ନାହିଁ, ତେବେ ଆମେ ଆଇନଗତ ପଦକ୍ଷେପ ନେବୁ। ବହୁତ ବର୍ଷ ଧରି ଇସ୍କନ ଓଡ଼ିଆଙ୍କ ଧର୍ମୀୟ ଭାବନା ସହିତ ଖେଳି ଆସୁଛନ୍ତି। ଏଥର ସେମାନଙ୍କୁ କ୍ଷମା କରାଯିବ ନାହିଁ। ଇସ୍କନ ରଥଯାତ୍ରାକୁ ପ୍ରଚାର ଭାବେ ନେଇଛି।

ଆସନ୍ତା ୯ରେ ରଥଯାତ୍ରା ଆୟୋଜନରୁ ଏବେବି ନିବୃତ୍ତ ରହିନି ଇସ୍କନ୍। ଆସନ୍ତା ୯ରେ ଆମେରିକାର ହ୍ୟୁଷ୍ଟନ, ନାଇଜେରିଆର ୱାରି ସିଟିରେ ମଧ୍ୟ ଆୟୋଜିତ ହେଉଛି ରଥଯାତ୍ରା। ଅଦିନିଆ ରଥଯାତ୍ରାରୁ ନିବୃତ୍ତ ରହିବାକୁ ଆମେ ସବୁ ପ୍ରକାର ପ୍ରଚେଷ୍ଟା କରିବା। ଧୈର୍ଯ୍ୟର ସହ ଇସ୍କନ୍‌ର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିବା। ମାର୍ଚ୍ଚ ଯାଏଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି। ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ଇସ୍କନ କଥା ନଶୁଣିଲେ ଆଇନର ଆଶ୍ରୟ ନେବା ବୋଲି ଗଜପତି କହିଛନ୍ତି।

Leave a Reply

Your email address will not be published. Required fields are marked *