Pratidin TV

Odisha's Digital News Platform

ହାରିସ-ଟ୍ରମ୍ପ କଡ଼ା ମୁକାବିଲା,କିଏ ମାରିବ ବାଜି; ଜନ୍ମମାଟିରେ କମଳାଙ୍କ ପାଇଁ ପୂଜାର୍ଚ୍ଚନା

1 min read

Harris-Trump fight hard, bet who will win election; Pooja for Kamala at birth place

କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି। କମଳା ହାରିସ୍ ନା ଡୋନାଲ୍ଡ ଟ୍ରମ୍ପ । ଫଇସଲା କରିବ ଜନତାଙ୍କ ଭୋଟ । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ପଦ ପାଇଁ ଭୋଟ ଦେଉଛନ୍ତି ୟୁଏସଏ । ପ୍ରାୟ ସବୁ ସର୍ଭେରେ ଏହି ଦୁଇ ନେତା ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି । ରାଷ୍ଟ୍ରପତି ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ୭ଟି ‘ସ୍ବିଙ୍ଗ୍‌ ଷ୍ଟେଟ୍‌’ ଉଭୟ ଦଳ ପ୍ରତି ପ୍ରାୟ ସମାନ ସମର୍ଥନ ଥିବା ରାଜ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।

ଅନ୍ୟପଟେ ଭାରତୀୟ ବଂଶଦ୍ଭବ କମଳା ହାରିସଙ୍କ ପାଇଁ ଜନ୍ମମାଟି ତାମିଲନାଡୁର ଥୁଲସେନ୍ଦ୍ରପୁରମ୍ ଗାଁରେ ଚାଲିଛି ପୂଜାର୍ଚ୍ଚନା । କମଳାଙ୍କ ଜିତ୍ ପାଇଁ ଗାଁର ସମସ୍ତେ ଏକାଠି ହୋଇ ପୂଜାର୍ଚ୍ଚନା କରୁଥିବାର ଚିତ୍ର ସାମ୍ନାକୁ ଆସିଛି ।

Advertisement

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ହାରିସଙ୍କ ବିଜୟ ପାଇଁ କାମଳା ହାରିସଙ୍କ ଜନ୍ମମାଟି ଥୁଲସେନ୍ଦ୍ରପୁରମ୍ ଗାଁର ଲୋକମାନେ ପୂଜାର୍ଚ୍ଚନା କରିଛନ୍ତି । ଏଥିପାଇଁ ଥିରୁଭରୁର ଜିଲ୍ଲାର ଥୁଲସେନ୍ଦ୍ରପୁରମ୍ ଗ୍ରାମରେ ଉତ୍ସାହର ବାତାବରଣ ଖେଳିଯାଇଛି । ବର୍ତ୍ତମାନର ଉପରାଷ୍ଟ୍ରପତି କମଳା ହାରିସ୍ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ବିଜୟ ହେବେ ବୋଲି ଆଶାବାଦୀ ଅଛନ୍ତି ଏହି ଗାଁର ଲୋକମାନେ । ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପରାସ୍ତ କରି ହରିସ ବିଜୟ ହୁଅନ୍ତୁ, ଏହି ଆଶାରେ ଗ୍ରାମବାସୀ ଶ୍ରୀ ଧର୍ମ ସଂସ୍ଥା ମନ୍ଦିରରେ ପ୍ରାର୍ଥନା କରିଛନ୍ତି। ସେହିପରି ଗାଁ ମୁଣ୍ଡରେ ଗ୍ରାମବାସୀମାନେ କମଳାଙ୍କ ଏକ ବଡ ବ୍ୟାନର ଲଗାଇ ଖୁସି ମନଉଛନ୍ତି । କେବଳ ସେତିକି ନୁହେଁ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବ୍ୟାନରରେ କମଳାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମବାସୀ।

ଥୁଲସେନ୍ଦ୍ରପୁରମ୍ କମଳାଙ୍କ ଜେଜେବାପା ତଥା ପୂର୍ବତନ ଭାରତୀୟ କୂଟନୀତିଜ୍ଞ ପି.ବି ଗୋପାଳନଙ୍କ ପୈତୃକ ଗ୍ରାମ । କମଳାଙ୍କ ମାତା ଶ୍ୟାମଳା ପି.ବି ଗୋପାଳନଙ୍କ ଝିଅ । ୨୦୨୦ ଅଗଷ୍ଟରେ କମଳା ଉପରାଷ୍ଟ୍ରପତି ପଦ ପାଇଁ ଡେମୋକ୍ରେଟ୍ ପ୍ରାର୍ଥୀ ଭାବରେ ମନୋନୀତ ହେବାପରେ ଏହି ଗାଁ ଚର୍ଚ୍ଚାକୁ ଆସିଥିଲା । ସେହିବର୍ଷ ଉପରାଷ୍ଟ୍ରପତି ନିର୍ବାଚନରେ କମଳାଙ୍କ ବିଜୟ ପରେ ପୁରା ଗାଁ ଉତ୍ସବ ପାଳନ କରିଥିଲା ।

ପ୍ରଚାରର ଅନ୍ତିମ ଦିନରେ ଟ୍ରମ୍ପ ଓ ହାରିସ ସେମାନଙ୍କ ଉଦଯାପନୀ ଭାଷଣ ଦେଇଥିଲେ। କ୍ଷମତାକୁ ଫେରିବାକୁ ଚାହୁଁଥିବା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଉତ୍ତର କାରୋଲିନା, ପେନସିଲଭାନିଆ ଓ ମିଚିଗାନରେ ରାଲି କରିଥିବା ବେଳେ ହାରିସ ପେନ୍‌ସିଲଭାନିଆର ଫିଲାଡେଲଫିଆ ଓ ପିଟସବର୍ଗରେ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶେଷ ରାଲିରେ ଯୁକ୍ତି ବାଢ଼ିଥିଲେ ଯେ ତାଙ୍କ ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ କମଳା ହାରିସ୍ ନୁହଁନ୍ତି ବରଂ ଏକ ଖଳ ପ୍ରକୃତିର ‘ଡେମୋକ୍ରାଟ୍’ ବ୍ୟବସ୍ଥା । ତେବେ ହାରିସ ଟ୍ରମ୍ପଙ୍କ ବିଷୟରେ ଉଲ୍ଲେଖ କରିନଥିଲେ ମଧ୍ୟ ଭୟ ଓ ବିଭାଜନ ଦ୍ୱାରା ପରିଚାଳିତ ଏକ ଦଶନ୍ଧିର ରାଜନୀତିର ପୂର୍ଣ୍ଣଛେଦ ପକାଇବାକୁ ଭୋଟରମାନଙ୍କୁ ଆହ୍ବାନ ଦେଇଥିଲେ। ଯେହେତୁ ଚୂଡାନ୍ତ ଫଳ ପ୍ରକାଶ ପାଇବାରେ ଦୀର୍ଘ ସମୟ ଲାଗିବ, ତେଣୁ ଏବେଠାରୁ କିଛି ଆକଳନ କରିବା ସମ୍ଭବ ନୁହେଁ।

ତେବେ ୮ କୋଟିରୁ ଅଧିକ ଆମେରିକା ବାସୀ ଆଗୁଆ ଭୋଟ୍ ଦେଇସାରିଛନ୍ତି। ଫାଇନାଲ ଫଳାଫଳ ଆସିବାକୁ ଲାଗିଯାଇପାରେ ଗୋଟିଏ ସପ୍ତାହ ସମୟ। ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟିକ ପାର୍ଟିର କମଳା ହାରିସଙ୍କ ଭିତରେ କାଣ୍ଟେ କା ଟକ୍କର ହେଉଛି। ଜଣଙ୍କ ପାଖରେ ପୂର୍ବରୁ ରାଷ୍ଟ୍ରପତିର ଅଭିଜ୍ଞତା ରହିଛି ତ ଆଉ ଜଣେ ବର୍ତ୍ତମାନର ଉପରାଷ୍ଟ୍ରପତି। ତେଣୁ ପ୍ରାର୍ଥୀ ଭାବେ କେହି କାହାଠୁ କମ୍ ନୁହଁନ୍ତି।

ଆମେରିକାରେ ମୋଟ ୫୦ ରାଜ୍ୟ। ଇଲେକ୍ଟୋରାଲ୍ କଲେଜ ମୋଟ ୫୩୮। ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ। ତେବେ ଆମେରିକାରେ ଖେଳ ବିଗାଡି ପାରନ୍ତି ୭ ସ୍ୱିଙ୍ଗ ଷ୍ଟେଟ୍। ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩। ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି।

Leave a Reply

Your email address will not be published. Required fields are marked *